ଭୁବନେଶ୍ୱର(ଓଡ଼ିଶା ୱେୟାର): ଏବେ ରାଜ୍ୟର ୩୮୦ଜଣ ପୂର୍ବତନ ବିଧାୟକଙ୍କୁ ମାସିକ ପେନସନ୍ ଓ ଚିକିତ୍ସା ଭତ୍ତା ରାଜ୍ୟ ସରକାର ପ୍ରଦାନ କରୁଛନ୍ତି । ଏହି ପୂର୍ବତନ ବିଧାୟକମାନଙ୍କ ମଧ୍ୟରେ ମୋଟ ୫୩ଜଣ ବିଧାୟକ ଏଭଳି ଅଛନ୍ତି ଯେଉଁମାନେକି ମାସିକ ୫୦ହଜାର ଟଙ୍କାରୁ ଅଧିକ ପେନସନ ପାଉଥିବାବେଳେ ୭ଜଣଙ୍କର ମାସିକ ପେନସନ ୭୦ହଜାର ଟଙ୍କା ରହିଛି ।
ସୂଚନାକର୍ମୀ ପ୍ରଦୀପ ପ୍ରଧାନଙ୍କୁ ସୂଚନା ଅଧିକାର ଆଇନ ବଳରେ ରାଜ୍ୟ ସରକାର ଗତ ସପ୍ତାହରେ ଦେଇଥିବା ତଥ୍ୟ ଅନୁସାରେ, ୩୮୦ଜଣ ପୂର୍ବତନ ବିଧାୟକଙ୍କୁ ପେନସନ୍ ସହ ମାସିକ ୨ହଜାର ଟଙ୍କାର ମେଡିକାଲ ଆଲାଉନ୍ସ(ଚିକିତ୍ସା ଭତ୍ତା) ପ୍ରଦାନ କରାଯାଉଛି । ଏହି ବିଧାୟକମାନଙ୍କୁ ସର୍ବନିମ୍ନ ୩୦ହଜାର ଓ ସର୍ବାଧିକ ୭୦ହଜାର ଟଙ୍କା ପେନସନ ମିଳୁଛି । ଏବାବଦରେ ରାଜ୍ୟ ରାଜକୋଷରୁ ମାସିକ ପ୍ରାୟ ୨୦କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଥିବା ଜଣାପଡ଼ିଛି ।
ସର୍ବାଧିକ ୭୦ହଜାର ଟଙ୍କା ପେନସନ ପାଉଥିବା ପୂର୍ବତନ ବିଧାୟକଙ୍କ ମଧ୍ୟରେ ହେମାନନ୍ଦ ବିଶ୍ୱାଳ,ଡମ୍ବୁରଧର ଉଲାକା, ସୁରେନ୍ଦ୍ରନାଥ ନାୟକ, ଭି.ସୁଜ୍ଞାନୀକୁମାରୀ ଦେଓ,ବିଜୟଶ୍ରୀ ରାଉତରାୟ,ହୃଷିକେଶ ନାୟକ, ଡାକ୍ତର ଦାମୋଦର ରାଉତ ରହିଛନ୍ତି । ସେହିପରି ଯୋଗେନ୍ଦ୍ର ବେହେରା, ମଙ୍ଗଳା କିଷାନ, ମହେଶ୍ୱର ମହାନ୍ତି,ରାମକୃଷ୍ଣ ପଟ୍ଟନାୟକ, ଦୁର୍ଯ୍ୟୋଧନ ମାଝୀ, ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ମାସିକ ୬୮ହଜାର ଟଙ୍କା ପେନସନ ମିଳୁଥିବାବେଳେ ବିଜୟ ମହାପାତ୍ରଙ୍କୁ ୫୮ହଜାର ଟଙ୍କା ଓ ଦିଲ୍ଲୀପ ରାୟଙ୍କୁ ୫୦ହଜାର ଟଙ୍କା ମାସିକ ପେନସନ ମିଳୁଛି ।


