ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟର ସମସ୍ତ ଆଂଚଳିକ ପରିବହନ କାର୍ଯ୍ୟାଳୟ(ଆରଟିଓ) ପେପରଲେସ୍ ହେବ । ଏହାସହିତ ମୋବାଇଲ୍ ଆପ୍ ମାଧ୍ୟମରେ ଏଣିକି ଲର୍ଣ୍ଣିଂ ଡ୍ରାଇଭିଂ ଲାଇସେନ୍ସ ମିଳିବ । ପରିବହନ ବିଭାଗର ଏଭଳି ପ୍ରୟାସ ଯୋଗୁ ବର୍ଷକୁ ଏକ ହଜାର ଗଛକୁ ସୁରକ୍ଷା ମିଳିବା ସହ ପ୍ରାୟ ୧କୋଟି ପେପର ମଧ୍ୟ ନଷ୍ଟ ହେବ ନାହିଁ ବୋଲି ଜଣାପଡ଼ିଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ପରିବହନ ପ୍ରାଧିକରଣର ୯ଟି ଅନଲାଇନ୍ ସେବାକୁ ଉଦଘାଟନ କରିବା ସହ ଫାଇଭ-ଟି ପ୍ରୟାସ ଯୋଗୁ ରାଜ୍ୟବାସୀଙ୍କୁ ଘରେ ବସି ଅନଲାଇନରେ ଏହି ସୁବିଧା ମିଳିପାରିବ ବୋଲି କହିଛନ୍ତି । ଗାଡ଼ି ପଞ୍ଜିକରଣଠୁ ଆରମ୍ଭ କରି ଗାଡ଼ି ମାଲିକାନା ପରିବର୍ତ୍ତନ ଓ ମୋବାଇଲ ଆପରେ ଲର୍ଣ୍ଣିଂ ଲାଇସେନ୍ସ ଭଳି ୯ଟି ସେବା ଅନଲାଇନରେ ଉପଲବ୍ଧ ହେବ ବୋଲି କହିଛନ୍ତି । ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ମୋବାଇଲ ଆପ୍ ଜାରି କରିଛି । ଏହି ଆପ୍ ମଧ୍ୟ ଜାତୀୟ ଇ-ଗଭର୍ଣ୍ଣାନ୍ସ ଡିଭିଜନର ମୋବାଇଲ୍ ଆପ୍ ପ୍ଲାଟଫର୍ମ ‘ଉମଙ୍ଗ’ରେ ଉପଲବ୍ଧ ହେବ । ଏଭଳି ପଦକ୍ଷେପ ଯୋଗୁ ଲୋକଙ୍କ ମଧ୍ୟରେ ବଡ଼ ଆଶା ସଂଚାର ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ପରିବହନ ବିଭାଗର ଯେଉଁସବୁ ଅନଲାଇନ ସେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ଲୋକାର୍ପଣ କରିଛନ୍ତି ସେଥିରେ କାଗଜବିହୀନ ଗାଡ଼ି ପଞ୍ଜିକରଣ ବ୍ୟବସ୍ଥା ରହିଛି । ଡିଲରଙ୍କୁ ଏଣିକି ଆରଟିଓ ଅଫିସକୁ ଯିବାକୁ ପଡ଼ିବ ନାହିଁ । ଗ୍ରାହକ ଚାହିଁଲେ ରାଜ୍ୟର ଯେକୌଣସି ଆରଟିଓରେ ନିଜର ଗାଡ଼ି ପଞ୍ଜିକରଣ କରିପାରିବେ । କଣ୍ଟ୍ରାକ୍ଟ କ୍ୟାରେଜ ପରମିଟ ଓ ମାଲବାହୀ ପରମିଟ ସ୍ୱତଃ ଅନୁମୋଦନ, ଆନ୍ତଃରାଜ୍ୟ ଓ ଆଂଚଳିକ ବସ ଚଳାଚଳ ପାଇଁ ସ୍ୱତଃ ପରମିଟ୍ , ଇଣ୍ଟରନ୍ୟାସନାଲ ଡ୍ରାଇଭିଂ ପରମିଟ୍ , ଉମଙ୍ଗ ଆପରେ ଲର୍ଣ୍ଣିଂ ଲାଇସେନ୍ସ, ଯେକୌଣସି ଆରଟିଓରେ ପଞ୍ଜିକରଣ ନବୀକରଣ ଓ ରାଜ୍ୟର ଯେକୌଣସି ଆରଟିଓରେ ଗାଡ଼ିର ମାଲିକାନା ଟ୍ରାନ୍ସଫର ଭଳି ସୁବିଧା ଅନଲାଇନରେ ଉପଲବ୍ଧ ହେବ । ଫାଇଭ-ଟି କାର୍ଯ୍ୟକ୍ରମରେ ଜନକେନ୍ଦ୍ରିକ ସେବା ଯୋଗାଇ ଦେବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି ।
ଆଜିର ଏହି କାର୍ଯ୍ୟକ୍ରମରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ମୁଖ୍ୟ ସଚିବ ସୁରେଶ ମହାପାତ୍ର, ପରିବହନ ସଚିବ ମଧୁସୂଦନ ପାଢ଼ୀ, ରାଜ୍ୟ ପରିବହନ କମିଶନର ସଞ୍ଜିବ ପଣ୍ଡା, ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ, ଏନଆଇସି ଡିଜି ନୀତା ବର୍ମା ପ୍ରମୁଖ ଉପସ୍ଥିତ ଥିଲେ ।


