ଭୁବନେଶ୍ୱର: ବିଧାନସଭାର ବଜେଟ୍ ଅଧିବେଶନ ପାଇଁ ବିଜେଡି ଆଜି ନିଜର ରଣନୀତି ଚୂଡ଼ାନ୍ତ କରିଛି । ବିଧାନସଭାର ୫୪ନମ୍ବର ପ୍ରକୋଷ୍ଠରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବିଧାୟକ ଦଳ ବୈଠକରେ ଶାସକ ଦଳ ବିଧାନସଭାରେ କେଉଁ ପ୍ରସଙ୍ଗ ଉଠାଇବ ତାକୁ ଚୂଡ଼ାନ୍ତ ରୂପ ଦିଆଯାଇଛି । ଏହା ସହିତ ବିରୋଧୀ ଦଳ ଯେଉଁ ପ୍ରସଙ୍ଗ ଉଠାଇବ ତାକୁ ସାମ୍ନା କରାଯିବ ବୋଲି ଦଳ କହିଛି ।ଭୁବନେଶ୍ୱର: ବିଧାନସଭାର ବଜେଟ୍ ଅଧିବେଶନ ପାଇଁ ବିଜେଡି ଆଜି ନିଜର ରଣନୀତି ଚୂଡ଼ାନ୍ତ କରିଛି । ବିଧାନସଭାର ୫୪ନମ୍ବର ପ୍ରକୋଷ୍ଠରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବିଧାୟକ ଦଳ ବୈଠକରେ ଶାସକ ଦଳ ବିଧାନସଭାରେ କେଉଁ ପ୍ରସଙ୍ଗ ଉଠାଇବ ତାକୁ ଚୂଡ଼ାନ୍ତ ରୂପ ଦିଆଯାଇଛି । ଏହା ସହିତ ବିରୋଧୀ ଦଳ ଯେଉଁ ପ୍ରସଙ୍ଗ ଉଠାଇବ ତାକୁ ସାମ୍ନା କରାଯିବ ବୋଲି ଦଳ କହିଛି । ବୈଠକ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି, ମହାନଦୀ ଟ୍ରିବ୍ୟୁନାଲ କାର୍ଯ୍ୟକାରିତା, ପୋଲାଭରମ୍ ପ୍ରସଙ୍ଗ, କୃଷି ଓ କୃଷକ ସମ୍ପର୍କିତ ପ୍ରସଙ୍ଗ ବିଧାନସଭାରେ ଉଠାଯିବ । ବିରୋଧୀ ଦଳ ଯାହା ଉଠାଇବ ତାହା ଉପରେ ଆଲୋଚନା କରାଯିବ । ସେହିପରି ସରକାରୀ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ କହିଛନ୍ତି ଯେ, ବଜେଟ୍ ଅଧିବେଶନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ନିର୍ବାଚନ ପୂର୍ବରୁ ଏହା ଶେଷ ବଜେଟ୍ ଅଧିବେଶନ ହୋଇଥିବାରୁ ସମସ୍ତ ବିଧାୟକଙ୍କୁ ଗୃହରେ ଉପସ୍ଥିତ ରହିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ବିରୋଧୀ ଦଳ ଗୃହରେ ଯେଉଁ ପ୍ରସଙ୍ଗ ଉଠାଇବ ଶାସକ ଦଳ ତାହା ଉପରେ ଆଲୋଚନା ପାଇଁ ସକରାତ୍ମକ ଆଭିମୁଖ୍ୟ ପୋଷଣ କରିବ । ସରକାରଙ୍କ କାର୍ଯ୍ୟକ୍ରମକୁ ଦୃଢ଼ତାର ସହ ଗୃହରେ ଉପସ୍ଥାପନ କରାଯିବ । ଆଜିର ବୈଠକରେ ନବନିର୍ବାଚିତ ବିଧାୟକ ରୀତା ସାହୁଙ୍କୁ ସ୍ୱାଗତ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ବିଭିନ୍ନ ଅବହେଳା ପ୍ରସଙ୍ଗକୁ ବିଧାୟକମାନେ ଗୃହରେ ଉଠାଇବେ । ବିଶେଷକରି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ଼ଗୁଣ ବୃଦ୍ଧି କରିବାକୁ କେନ୍ଦ୍ର ସରକାର କରିଥିବା ଘୋଷଣାର ଏପର୍ଯ୍ୟନ୍ତ ‘ମୋଡାଲିଟି’ ଧାର୍ଯ୍ୟ ହୋଇନଥିବାରୁ ତାକୁ ମଧ୍ୟ ବିଜେଡି ବିଧାୟକମାନେ ଗୃହରେ ଉଠାଇବେ । ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବୈଠକରେ ବିଧାୟକ ସମୀର ରଞ୍ଜନ ଦାସ ବିନା ଟେଣ୍ଡରରେ ବ୍ଲକ୍ ମାଧ୍ୟମରେ ୫ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ନିମନ୍ତେ ଅନୁମତି ଓ ଯେଉଁଠି ଅଙ୍ଗନୱାଡ଼ି ଘରଗୁଡ଼ିକ ରହିଛି ସେ କ୍ଷେତ୍ରରେ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାର୍ଯ୍ୟାଦେଶକୁ ବିନା ଟେଣ୍ଡରରେ ଦେବା ପାଇଁ ପ୍ରସ୍ତାବ ଦେଇଥିଲେ । ସେହିପରି ବିଧାୟିକା ପ୍ରମିଳା ମଲ୍ଲିକ ବିଧାୟକମାନଙ୍କର ପାଣ୍ଠିକୁ ବୃଦ୍ଧି ପାଇଁ ପ୍ରସ୍ତାବ ଦେଇଥିଲେ । ବିଧାୟକ ଆୟୁବ ଖାନ୍ ଓ ଅନ୍ୟାନ୍ୟ ବିଧାୟକମାନେ କେତେକ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି ।


