ଭୁବନେଶ୍ୱର(ଓଡ଼ିଶା ୱେୟାର):ଭିତରକନିକାରେ ପର୍ଯ୍ୟଟକଙ୍କ ସୁବିଧା ନିମନ୍ତେ ‘ଅରଣ୍ୟ ନିବାସ’ ଲୋକାର୍ପିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭିତରକନିକାରେ ‘ଅରଣ୍ୟ ନିବାସ’ର ଶୁଭ ଉଦଘାଟନ କରିଛନ୍ତି । ଭିତରକନିକାରେ ଇକୋ-ରିଟ୍ରିଟ୍ କାର୍ଯ୍ୟକ୍ରମ ପ୍ରତି ପର୍ଯ୍ୟଟକ ଆକୃଷ୍ଟ ହେଉଥିବାବେଳେ ଅରଣ୍ୟ ନିବାସ ଭଳି ସ୍ଥାୟୀ ରହଣୀ ସୁବିଧା ଆଗାମୀ ଦିନରେ ଭିତରକନିକା ଜାତୀୟ ଉଦ୍ୟାନରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ଦିଗରେ ସହାୟକ ହେବ ।
ରାଜ୍ୟ ପର୍ଯ୍ୟଟନ ବିଭାଗର ଏହି ‘ଅରଣ୍ୟ ନିବାସ’କୁ ଓଟିଡିସି ପରିଚାଳନା କରିବ । ଦେଶବିଦେଶର ପର୍ଯ୍ୟଟକଙ୍କୁ ହାତପାଆନ୍ତାରେ ସମସ୍ତ ସୁବିଧାସୁଯୋଗ ଓ ରହଣୀ ସହ ସେମାନଙ୍କୁ ଭିତରକନିକା ଜାତୀୟ ଉଦ୍ୟାନରେ ମନୋରମ ସୌନ୍ଦର୍ଯ୍ୟ ଉପଭୋଗ ପ୍ରଦାନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସ୍ଥାପନ ହୋଇଥିବା ‘ଅରଣ୍ୟ ନିବାସ’ ଅଧିକ ସହାୟକ ହୋଇପାରିବ । ଭିତରକନିକାର ଅରଣ୍ୟ ନିବାସରେ ରାତ୍ରିଯାପନ ପାଇଁ ଯେକେହି ପାନ୍ଥନିବାସର ୱେବସାଇଟକୁ ଯାଇ ବୁକିଂ କରିପାରିବେ । ଏହି ଅରଣ୍ୟ ନିବାସରେ ମୋଟ ୧୨ଟି ରୁମ ଥିବାବେଳେ ସୁସ୍ୱାଦୁ ଓଡ଼ିଆ ଖାଦ୍ୟ ନିମନ୍ତେ ଏକ ରେଷ୍ଟୁରାଣ୍ଟ ମଧ୍ୟ ରହିଛି ।
ଆଜି ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସ୍ଥାନୀୟ ବିଧାୟକ ଧ୍ରୁବଚରଣ ସାହୁ, ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର,ଭିନ୍ନକ୍ଷମ ଆୟୋଗ ଅଧ୍ୟକ୍ଷା ସୁଲୋଚନା ଦାସ, ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଟା ସୁଲତା ଦେଓ, କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ପ୍ରମୁଖ ଉପସ୍ଥିତ ଥିଲେ ।


