ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟର ସୀମାବର୍ତ୍ତୀ ଅଂଚଳ ଗସ୍ତ କରି ବାସ୍ତବ ସ୍ଥିତି ପରଖି ଫେରିବାପରେ ରାଜ୍ୟ ସରକାରଙ୍କୁ ବିଜେପି କଡ଼ା ସମାଲୋଚନା କରିଛି । ଅବିଭକ୍ତ ଗଞ୍ଜାମ ଓ କୋରାପୁଟ ଜିଲ୍ଲାର ସୀମାନ୍ତ ଗାଁ ଅସୁରକ୍ଷିତ, ବାଧ୍ୟବାଧକତାରେ ଓଡ଼ିଶା ଲୋକେ ଏବେ ଆନ୍ଧ୍ର ମୁହାଁ ହୋଇଛନ୍ତି ଓ ଆଉ ଗୋଟିଏ ଷଢ଼େଇକଳା-ଖରସୁଆଁ ଘଟଣାର ପୁନରାବୃତ୍ତି ନହେଉ ବୋଲି ବିଜେପି ସତର୍କ କରାଇ ଦେଇଛି । ରାଜ୍ୟର ସୀମାକୁ ସୁରକ୍ଷିତ ରଖିବା ପାଇଁ ବିଜେପି ଖୁବଶୀଘ୍ର ସୀମାନ୍ତ ସୁରକ୍ଷା ସେଲ୍ ଗଢ଼ିବ ବୋଲି କହିଛି ।
ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିବାରେ ନେତୃତ୍ୱ ନେଇଥିବା ଅଂଚଳ ଓ ଅଂଚଳବାସୀଙ୍କୁ ଉପେକ୍ଷା କରାନଯାଉ । ଶ୍ରୀକାକୁଲମ୍ ଜିଲ୍ଲା ପ୍ରଶାସନ ଆଜି ସେଠାରେ ନିର୍ବାଚନ କରିଛନ୍ତି । ରାଜ୍ୟ ସରକାର ବିଳମ୍ବରେ ସୁପ୍ରିମକୋର୍ଟ ଯାଇଛନ୍ତି । ଏତେ ବିଳମ୍ବ କାହିଁକି ହେଲା ସେ ପ୍ରଶ୍ନ କରିବା ସହ ଏଥିପାଇଁ ରାଜ୍ୟ ପ୍ରଶାସନ ଓ ଗୁଇନ୍ଦା ବିଭାଗ ଫେଲ୍ ବୋଲି କହିଛନ୍ତି । ଓଡ଼ିଶା ସୀମା ଭିତରେ ଆନ୍ଧ୍ରର ବେଆଇନ ନିର୍ବାଚନର କୌଣସି ସୂଚନା ପ୍ରଶାସନ ପାଖରେ ନଥିଲା । ବିଜେପି ପ୍ରତିନିଧି ଦଳର ଅନୁରୋଧ ରଖି ବହୁ ଗ୍ରାମବାସୀ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ସହ ନିର୍ବାଚନକୁ ବର୍ଜନ କରିଛନ୍ତି । ସୁପ୍ରିମକୋର୍ଟଙ୍କୁ ବିଳମ୍ବରେ ରାଜ୍ୟ ସରକାର ଜଣାଇଲେ, କିନ୍ତୁ ନିର୍ବାଚନକୁ ରୋକିପାରିଲେ ନାହିଁ । ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଏବଂ ଗଂଜାମ ଜିଲ୍ଲାର ବହୁ ସୀମାନ୍ତବର୍ତୀ ଗାଁ ମାନଙ୍କରେ ଆନ୍ଧ୍ର ବେଆଇନ ଭାବେ ପଂଚାୟତ ନିର୍ବାଚନ କରୁଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ରାଜ୍ୟ ସରକାର ଏହି ସବୁ ତଥ୍ୟକୁ ରାଜ୍ୟବାସୀଙ୍କ ଠାରୁ ଲୁଚାଇ ରଖିବା ପରିତାପର ବିଷୟ । ଗଂଜାମ ଜିଲ୍ଲାରେ ଆନ୍ଧ୍ର ନିର୍ବାଚନ କରୁଥିବା ବିଷୟରେ ଗଂଜାମ ଜିଲ୍ଲାପାଳ ଅବଗତ ନଥିବା ରାଜ୍ୟ ପ୍ରଶାସନର ଅପାରଗତାକୁ ଦର୍ଶାଇଛି । ଆନ୍ତଃ ଜିଲ୍ଲା ସୀମା ବିବାଦ ନିଶ୍ଚିିତ ଭାବେ ଦୁର୍ଭାଗ୍ୟଜନକ । ପ୍ରାଥମିକତା ଭିତ୍ତିରେ ରାଜ୍ୟ ସରକାର ଏହି ବିବାଦ ତୁଟାଇବା ଉଚିତ୍ । କଳିଙ୍ଗଦୋଳା ଜଳସେଚନ ପ୍ରକଳ୍ପରୁ କାହିଁକି ଓଡ଼ିଶାବାସୀ ବଚିତ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିବା ସହ ସର୍ବଦଳୀୟ ଓ ସାମାଜିକ ନେତୃତ୍ୱଙ୍କୁ ନେଇ ସୀମା ସୁରକ୍ଷା ସମ୍ପର୍କରେ ରାଜ୍ୟ ସରକାର ଆଲୋଚନା କରନ୍ତୁ ବୋଲି କହିଛନ୍ତି । ୨୦୦୬ ମସିହାରେ ସୁପ୍ରିମକୋର୍ଟ କୋଟିଆ ଉପରେ ସ୍ଥିତାବସ୍ଥା ରକ୍ଷା କରିବା ପାଇଁ ଆଦେଶ ଦେଲେ । କିନ୍ତୁ ଆନ୍ଧ୍ରପ୍ରଦେଶ ସୁପ୍ରିମକୋର୍ଟର ନିର୍ଦ୍ଦେଶକୁ ଅବମାନନାନ କରି ବିଗତ କିଛି ବର୍ଷ ଧରି ମନୋନୟନ ପ୍ରକ୍ରିୟାରେ ନିର୍ବାଚନ କରୁଥିବାବେଳେ ଚଳିତ ବର୍ଷ ପ୍ରଥମ ଥର ପାଇଁ ପ୍ରତ୍ୟକ୍ଷ ନିର୍ବାଚନ କରୁଛନ୍ତି । ବିଳମ୍ବରେ ରାଜ୍ୟ ସରକାର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇ ଅବୈଧ ନିର୍ବାଚନ ପ୍ରକ୍ରିୟାକୁ ବନ୍ଦ କରିପାରିଲେ ନାହିଁ । ଓଡିଶା ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଏବଂ ଗୁଇନ୍ଦା ବିଭାଗ ସଂପୂର୍ଣ୍ଣ ବିଫଳ ହୋଇଛି । କୋଟିଆ ଅଂଚଳରେ ବିକାଶ ପଂହଚିବାରେ ବିଫଳ ହୋଇଥିବାରୁ ଓଡିଶାର ସୀମାନ୍ତବର୍ତୀ ଅଂଚଳର ଲୋକେ ଆନ୍ଧ୍ର ମୁହାଁ ହେଉଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ସ୍ୱାସ୍ଥ୍ୟ, ଶିକ୍ଷା, ବାସଗୃହ, ପାନୀୟ ଜଳ ଓ ରୋଜଗାରର ସୁବିଧା ଓଡିଶାରୁ ମିଳୁନାହିଁ । କେନ୍ଦ୍ର ସରକାରଙ୍କର ଚତୁର୍ଦ୍ଦଶ ଅର୍ଥ କମିଶନରେ ଆସିଥିବା ଅର୍ଥ ବିନିଯୋଗ ହୋଇନାହିଁ । ୨୦୧୮ ମସିହାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗସ୍ତ ପରେ ହିଁ କୋଟିଆ ଅଂଚଳରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ଓ ବିଏସଏନଏଲ ଟାୱାର ସ୍ଥାପନା ସମ୍ଭବ ହୋଇପାରିଛି । କୋଭିଡ ସମୟରେ ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ ଯୋଜନାରେ ୮ ମାସ ବଦଳରେ କେବଳ ୨ ମାସର ଚାଉଳ ଓ ଡାଲି ଯୋଗାଇ ଦିଆଯାଇଛି । ରାଜ୍ୟ ସରକାରଙ୍କ ଦାୟିତ୍ୱହୀନତା, ଉଦାସୀନତା ଓ ସମ୍ବେଦନହୀନତା କାରଣରୁ କୋଟିଆ ଗ୍ରାମପୁଂଜର ୨୧ଟି ବିବାଦୀୟ ଗାଁର ଜନସାଧାରଣ ଆନ୍ଧ୍ର ମୁଖା ହେବାକୁ ବାଧ୍ୟ ହେଉଛନ୍ତି ବୋଲି ଶ୍ରୀ ମହାନ୍ତି ଦୃଢ ଅଭିଯୋଗ କରିଛନ୍ତି ।
ସୂଚନାଯୋଗ୍ୟ, ବିଜେପି ପ୍ରତିନିଧି ଦଳ ୪ ଦିନିଆ ଗସ୍ତରେ ଅବିଭକ୍ତ କୋରାପୁଟ ଓ ଗଂଜାମ ଜିଲ୍ଲାର ସୀମା ଅଂଚଳ ବୁଲି, ଆନ୍ଧ୍ର ଅବୈଧ ନିର୍ବାଚନ କରାଉଥିବା ଗାଁ ଗୁଡ଼ିକରେ ଗ୍ରାମବାସୀଙ୍କୁ ଏହି ବେଆଇନ ନିର୍ବାଚନରେ ସାମିଲ ନହେବା ପାଇଁ ଅନୁରୋଧ କରିଥିଲେ । ଏହି ପ୍ରତିନିଧି ଦଳରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ବିଧାୟକ କେ.ନାରାୟଣ ରାଓ ଓ ନିତ୍ୟାନନ୍ଦ ଗଣ୍ଡ, ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ ଓ ଜୟରାମ ପାଙ୍ଗୀ, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ରାଜ୍ୟ ମୁଖପାତ୍ର ବିରଂଚୀ ତ୍ରିପାଠୀ, କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ସୁରଥ ବିଶ୍ୱାଳ ଏବଂ ସ୍ଥାନୀୟ ନେତୃବୃନ୍ଦ ପ୍ରମୁଖ ସାମିଲ ଥିଲେ ।


