ଭୁବନେଶ୍ୱର : ୨୦୧୮-୧୯ ଆର୍ଥିକ ବର୍ଷ ଶେଷ ବେଳକୁ ରାଜ୍ୟର ଋଣବୋଝ ୯୧ହଜାର ୯୪୩କୋଟି ୬୮ଲକ୍ଷ ଟଙ୍କା ଛୁଇଁବ ବୋଲି ବଜେଟ୍ରେ ଆକଳନ ହୋଇଛି । ୨୦୧୮-୧୯ରେ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ହାର ୮ରୁ ୮.୫% ରହିବ ବୋଲି ଆକଳନ କରାଯାଇଥିଲେ ମଧ୍ୟ ରାଜ୍ୟ ସରକାର ବର୍ଷଶେଷ ବେଳକୁ ମୋଟ୍ ମୋଟ ରାଜ୍ୟ ଘରୋଇ ଉତ୍ପାଦ(ଜିଏସ୍ଡିପି)ର ୨୦.୭୩ ପ୍ରତିଶତ ଋଣ କରିବେ । ୨୦୧୯-୧୮ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୧୫,୪୬୦କୋଟି ଟଙ୍କା ଋଣ କରିବା ପାଇଁ ନିଷ୍ପତ୍ତି ନେଇଥିବାବେଳେ ଖୋଲା ବଜାରରୁ ୬ହଜାର କୋଟି ଟଙ୍କା ଉଠାଇବେ । ୨୦୧୭-୧୮ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ଋଣବୋଝ ୭୬,୪୮୩ କୋଟି ୬୮ଲକ୍ଷ ଟଙ୍କା ଛୁଇଁଛି । ଏହି ବର୍ଷରେ ରାଜ୍ୟ ସରକାର ମୋଟ ୧୪,୩୪୮.୨୨ କୋଟି ଟଙ୍କା ଋଣ କରିଛନ୍ତି । ଯାହାକି ମୋଟ ଜିଏସ୍ଡିପିର ୧୮.୩୯ ପ୍ରତିଶତ ରହିଛି । ତେବେ ଏ ସମ୍ପର୍କରେ ଅର୍ଥ ସଚିବ ତୁହିନ୍କାନ୍ତ ପାଣ୍ଡେ କହିଛନ୍ତି ଯେ, ଓଡ଼ିଶା ଆର୍ଥିକ ଉତ୍ତରଦାୟିତ୍ୱ ଓ ବଜେଟ୍ ପରିଚାଳନା ଆଇନ-୨୦୦୫କୁ ପାଳନ କରି ରାଜ୍ୟ ସରକାର ମୋଟ୍ ଋଣବୋଝକୁ ରାଜ୍ୟ ଜିଡିପିର ୨୫ ପ୍ରତିଶତ ମଧ୍ୟରେ ସୀମିତ ରଖିବାକୁ ପ୍ରତିଶ୍ରୁତିବଦ୍ଧ । ୨୦୧୮-୧୯ ଆର୍ଥିକ ବର୍ଷ ସୁଦ୍ଧା ରାଜ୍ୟର ମୋଟ ଜିଡିପି ୪ଲକ୍ଷ ୪୩ହଜାର ୪୭୯କୋଟି ଟଙ୍କାରେ ପହଞ୍ôଚବ । ତେବେ ୨୦୧୭-୧୮ ଆର୍ଥିକ ବର୍ଷର ଜାନୁୟାରୀ ଶେଷ ସୁଦ୍ଧା ରାଜ୍ୟର ଋଣବୋଝ ୬୮,୯୨୫କୋଟି ଟଙ୍କା ରହିଛି । ସେହିପରି କର୍ମଚାରୀଙ୍କୁ ସପ୍ତମ ବେତନ କମିଶନ ସୁପାରିସ୍ ଆଧାରରେ ବର୍ଦ୍ଧିତ ଦରମା(ବକେୟା) ଦେବା ପାଇଁ ସରକାର ୪ହଜାର କୋଟି ଟଙ୍କାର ପ୍ରାବଧାନ କରିଛନ୍ତି । ୨୦୧୭-୧୮ ଓ ୨୦୧୮-୧୯ରେ କର୍ମଚାରୀମାନେ ମୋଟ ବର୍ଦ୍ଧିତ ଦରମା ବକେୟାର ୪୦ ପ୍ରତିଶତ ପାଇବେ । କେବଳ କର୍ମଚାରୀଙ୍କ ଦରମା ପାଇଁ ୨୦୧୮-୧୯ରେ ରାଜ୍ୟ ସରକାର ୨୨,୦୨୧ କୋଟି ଟଙ୍କା ଓ ପେନସନ୍ ପାଇଁ ୧୧,୯୧୨କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ।


