ଭୁବନେଶ୍ୱର : ଆନ୍ତର୍ଜାତିକ ବଜାରରେ ପେଟ୍ରୋଲ ଓ ଡିଜେଲ ଦର କମ୍ ରହିଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ କୁପରିଚାଳନା ଯୋଗୁ ଦେଶରେ ତୈଳ ଦର ୪ବର୍ଷ ମଧ୍ୟରେ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି । କେନ୍ଦ୍ର ସରକାର ତୈଳ ଦର ବୃଦ୍ଧିକୁ ନେଇ ସ୍ପଷ୍ଟ ମତ ରଖୁନାହାନ୍ତି ବରଂ ବିଭ୍ରାନ୍ତି ସୃଷ୍ଟି କରି ଚାଲିଛନ୍ତି । ନିଜ ଅପାରଗତାକୁ ଲୁଚେଇବାକୁ ବିଭିନ୍ନ ବାହାନା ନେଉଛନ୍ତି । ଏଭଳି ଛଳନା ଓ ଲୋକମାନଙ୍କ ସ୍ୱାର୍ଥ ସହ ଖେଳକୁ ବରଦାସ୍ତ କରାଯିବ ନାହିଁ ଓ ତୈଳ ଦରର ଯୁକ୍ତିପୂର୍ଣ୍ଣ ଦର ଲାଗୁ ନହେଲା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ବିଜେଡି ଚେତାବନୀ ଦେଇଛି । ଏହା ସହିତ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ଆଗରେ ଦଳର ଯୁବ ଓ ଛାତ୍ର ଶାଖାର କର୍ମୀମାନେ ଚଳିତ ମାସ ୭ତାରିଖରେ ସକାଳ ୯ଟାରୁ ୧୨ ପର୍ଯ୍ୟନ୍ତ କେନ୍ଦ୍ର ସରକାର ତୈଳ ଦର ନାଁରେ କିଭଳି ଲୁଟ୍ କରୁଛନ୍ତି ତାହା ଅବଗତ କରାଇବେ
ଆଜି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଦଳର ଦୁଇ ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ଓ ଅରୁଣ ସାହୁ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ,
ତୈଳ କ୍ଷେତ୍ରର କୁପରିଚାଳନାଗତ ଅପରାଗତା ପାଇଁ ଅର୍ଥନୀତି ବିକୃତି ଓ ଚାପଗ୍ରସ୍ତ ହୋଇଛି । ତୈଳର କ୍ରମାଗତ ଅଯୌକ୍ତିକ ଦରବୃଦ୍ଧିରେ ଅର୍ଥନୀତିଜ୍ଞ ବିଜ୍ଞତାର ଅଭାବ ପରିଲକ୍ଷିତ ହୋଇଛି ଓ ଏହାର ନକାରାତ୍ମକ ପ୍ରଭାବ ସବୁ ସ୍ତରରେ ପଡୁଛି । ବାରମ୍ବାର ତୈଳ ଦର ବୃଦ୍ଧି ଯୋଗୁ ନିତ୍ୟ ବ୍ୟବହାର୍ଯ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ହୁ ହୁ ହୋଇ ବଢ଼ିଚାଲିଛି । ଖାଉଟିମାନଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ କେନ୍ଦ୍ର ସରକାର ଯେଉଁ ଅପରାଧ କରୁଛନ୍ତି, ତା’ର ବିରୋଧରେ ପୁଞ୍ଜିଭୂତ ଅସନ୍ତୋଷ ତୀବ୍ର ରୂପ ଧାରଣା କରିବାକୁ ଯାଉଛି । ଭାରତ ବର୍ଷରେ ପେଟ୍ରୋଲ ମୂଲ୍ୟ ୪ବର୍ଷରେ ସର୍ବାଧିକ, ଡିଜେଲ୍ ମୂଲ୍ୟ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି । ତୈଳ ଦର ବୃଦ୍ଧିକୁ ବିଜେଡି ପକ୍ଷରୁ ଦୃଢ଼ ବିରୋଧ କରାଯିବା ସହ କେନ୍ଦ୍ର ସରକାରଙ୍କ ଜନସ୍ୱାର୍ଥ ବିରୋଧୀ ନୀତିର ପର୍ଦ୍ଦାଫାସ୍ କରି ଲୋକଙ୍କ ସାମ୍ନାରେ ବାସ୍ତବ ତଥ୍ୟ ଓ ସତ୍ୟ ଉପସ୍ଥାପନ କରାଯିବ ବୋଲି ବିଜେଡି କହିଛି । ଡଃ ସାହୁ ଏହି ଅବସରରେ ବିଜେପି ଜାତୀୟ ଅଧ୍ୟକ୍ଷ ଅମିତ୍ ଶାହଙ୍କୁ କଟାକ୍ଷ କରି କହିଛନ୍ତି ଯେ, ଗୋଟିଏ ବର୍ଷରେ ଅମିତ୍ ଶାହଙ୍କ ପୁଅ ଜୟଙ୍କ ସମ୍ପତ୍ତି ୫୦ହଜାର ଟଙ୍କାରୁ ୮୦କୋଟି ଟଙ୍କାରେ କିଭଳି ପହଞ୍ôଚଲା ତାହାର ମନ୍ତ୍ର ଯଦି ଅମିତ୍ ଶାହ ଦେବେ ତାକୁ ଓଡ଼ିଆ ଭାବେ ଆମେ ଗ୍ରହଣ କରିବୁ । ପ୍ରତିବର୍ଷ ୨କୋଟି ଯୁବକଙ୍କୁ ଚାକିରି ଯୋଗାଇ ଦିଆଯିବ ବୋଲି କେନ୍ଦ୍ରର ମୋଦି ସରକାର କହିଥିଲେ । ମାତ୍ର ତାହା ନକରି ଶେଷକୁ ପକୁଡ଼ି ବିକିବାକୁ କହିଲେ । କେଉଁ ଉନ୍ନତମାନର ତେଲ ଓ ବେସନରେ ପକୁଡି ତିଆରି କରାଯାଇ ପାରିବ ସେ ମନ୍ତ୍ର ମଧ୍ୟ ଦିଅନ୍ତୁ । ପ୍ରତିବର୍ଷ ୨କୋଟି ଯୁବକଙ୍କୁ ଚାକରି ମିଳିଥିଲେ ସେହି ହିସାବରେ ଓଡ଼ିଶାରୁ ୯ରୁ ୧୦ଲକ୍ଷ ଯୁବକ ଚାକିରି ପାଇଥାନ୍ତେ । ଭାରତୀୟ ମୁଦ୍ରାରେ ପାକିସ୍ତାନରେ ପେଟ୍ରୋଲ ଲିଟର ପିଛା ୪୮ଟଙ୍କା ଓ ଡିଜେଲ ୫୪ଟଙ୍କା ଥିବାବେଳେ ଶ୍ରୀଲଙ୍କାରେ ପେଟ୍ରୋଲ ଲିଟର ପିଛା ୪୯ଟଙ୍କା ଓ ଡିଜେଲ ୪୦ଟଙ୍କା ରହିଛି । କିନ୍ତୁ ଭାରତରେ ତୈଳ ଦର ହୁ ହୁ ହୋଇ ବଢ଼ିଚାଲିଛି । ଏହା ହେଉଛି ଭାରତ ସରକାରଙ୍କ ବଡ଼ ଅବଦାନ । ତୈଳ ଦର ଉପରେ ଓଡ଼ିଶା ସବୁଠୁ କମ୍ ଭ୍ୟାଟ୍ ନେଉଛି । ରାଜସ୍ଥାନରେ ୩୨%, ଉତ୍ତରପ୍ରଦେଶରେ ୩୪%, ଉତ୍ତରାଖଣ୍ଡରେ ୩୬%, ତେଲେଙ୍ଗାନାରେ ୩୫%, ଆନ୍ଧ୍ରପ୍ରଦେଶରେ ୩୯% ଭ୍ୟାଟ୍ ନିଆଯାଉଥିବାବେଳେ ଓଡ଼ିଶାରେ ପେଟ୍ରୋଲିୟମ ସାମଗ୍ରୀ ଉପରୁ ମାତ୍ର ୨୬% ଭ୍ୟାଟ୍ ନିଆଯାଉଛି ।
ତେଣୁ ତୈଳ ଦରକୁ ନେଇ କେନ୍ଦ୍ର ସରକାରଙ୍କ ଅପାରଗତା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ବିଜେଡି ନିଷ୍ପତ୍ତି ନେଇଛି । ଏପ୍ରିଲ ୭ତାରିଖରେ ସମସ୍ତ ପେଟ୍ରୋଲ ପମ୍ପ ସମ୍ମୁଖରେ ୩ଘଣ୍ଟିଆ ସଚେତନତା କାର୍ଯ୍ୟକ୍ରମ ଶାନ୍ତିଶୃଙ୍ଖଳା ସହିତ କରିବା ପାଇଁ ନିବେଦନ କରାଯାଇଛି । ଏହି କାର୍ଯ୍ୟକ୍ରମ ଜାରି ରହିଥିଲା ବେଳେ ଯେଭଳି କୌଣସି ଗ୍ରାହକ କୌଣସି ସମସ୍ୟାରେ ସମ୍ମୁଖୀନ ନହୁଅନ୍ତି ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦିଆଯିବ ବୋଲି ବିଜେଡି କହିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ସମ୍ପାଦକ ବିଜୟ ନାୟକ, ଯୁବ ବିଜେଡି ସଭାପତି ଅମ୍ରେଶ ପତ୍ରୀ ଓ ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର ଉପସ୍ଥିତ ଥିଲେ ।


