ଭୁବନେଶ୍ୱର(ଓଡ଼ିଶା ୱେୟାର): ଶେଷରେ କଂଗ୍ରେସରୁ ଇସ୍ତଫା ଦେଲେ ଝାରସୁଗୁଡ଼ା ବିଧାୟକ ନବ ଦାସ। ସେ ପିସିସିର କାର୍ଯ୍ୟକାରୀ ସଭାପତି ଓ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ନିକଟକୁ ପଠାଇ ଦେଇଛନ୍ତି। ସେ ଖୁବ୍ଶୀଘ୍ର ବିଧାୟକ ପଦରୁ ବି ଇସ୍ତଫା ଦେବେ ବୋଲି ସୂଚନା ମିଳିଛି।
ସେ ବିଜେଡିରେ ଯୋଗ ଦେବେ ବୋଲି ତାଙ୍କ ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି। ସେ ବିଜେଡିରୁ ପ୍ରାର୍ଥୀ ହୁଅନ୍ତୁ ବୋଲି ଅଞ୍ଚଳବାସୀ ଚାହୁଁଥିବା ସେ ଉଲ୍ଲେଖ କରିଛନ୍ତି।
ନବ ଲେଖିଛନ୍ତି,“ମୋ ଅଞ୍ଚଳର ଲୋକେ ଚାହୁଁଛନ୍ତି ମୁଁ ୨୦୧୯ ନିର୍ବାଚନ ବିଜେଡିରୁ ଲଢ଼େ। କାରଣ ସେମାନେ ଅଞ୍ଚଳର ବିକାଶ ଚାହୁଁଛନ୍ତି। ମୁଁ ବିଜେଡିରେ ଯୋଗ ଦିଏ ବୋଲି ସେମାନେ ଚାହୁଁଛନ୍ତି। ମୋ ଲୋକଙ୍କ ମୂଲ୍ୟବାନ ପରାମର୍ଶ ସଂପର୍କରେ ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆସନ୍ତା ୨୪ ତାରିଖରେ ଜଣାଇବି, ଯେତେବେଳେ ସେ ଝାରସୁଗୁଡ଼ା ଗସ୍ତରେ ଆସିବେ।”
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ତାଙ୍କର କିଛି ଅଭିଯୋଗ ନାହିଁ ବୋଲି ସେ ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି। ନିରଞ୍ଜନଙ୍କ ସହିତ ତାଙ୍କର ଭଲ ସଂପର୍କ ଥିବା ସେ ଏଥିରେ ସ୍ପଷ୍ଟ କରିଛନ୍ତି।
ଇସ୍ତଫା ପାଇଁ କ୍ଷମାପ୍ରାର୍ଥନା କରିବା ସହିତ ବିକାଶ ପାଇଁ ବିଜେଡିରେ ଯୋଗଦେବା ଉଚିତ୍ ହେବ ବୋଲି ଇସ୍ତଫାପତ୍ରରେ ନବ ଲେଖିଛନ୍ତି।
ସୂଚନାଯୋଗ୍ୟ, ୨୦୦୯ ଓ ୨୦୧୪ ବିଧାନସଭା ନିର୍ବାଚନରେ ନବ ଦାସ ବିଜେଡି ପ୍ରାର୍ଥୀ କିଶୋର ମହାନ୍ତିଙ୍କୁ ପରାସ୍ତ କରିଥିଲେ।


