ଭୁବନେଶ୍ୱର(ଓଡ଼ିଶା ୱେୟାର):ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜରିୱାଲ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି।ତେବେ ମୁଖ୍ୟମନ୍ତ୍ରୀ ହେବାପରେ କେଜରିୱାଲ ପ୍ରଥମଥର ଓଡ଼ିଶା ଗସ୍ତରେ ଆସୁଥିବାବେଳେ ତାଙ୍କର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କୌଣସି କାର୍ଯ୍ୟକ୍ରମ ନଥିବା ଜଣାପଡ଼ିଛି।
କେଜରିୱାଲ ସାମାଜିକ ନ୍ୟାୟ ଅଭିଯାନ ପକ୍ଷରୁ ରାଜଧାନୀ ଭୁବନେଶ୍ୱରସ୍ଥିତ ଲୋୟର ପିଏମଜିରେ ଆୟୋଜିତ ଏକ ବିଶାଳ ଜନସଭାକୁ ସେ ସମ୍ବୋଧିତ କରିବେ। କଂଗ୍ରେସରୁ ବହିଷ୍କୃତ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ଓ ନିଲମ୍ବିତ କୃଷ୍ଣଚନ୍ଦ୍ର ଶଗରିଆଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶେଷକରି ଦଳିତ ଓ ପଛୁଆ ବର୍ଗର ଲୋକମାନଙ୍କୁ ଏକଜୁଟ ହେବେ ବୋଲି ଜଣାପଡ଼ିଛି। ଏହି କାର୍ଯ୍ୟକ୍ରମ ମା୍ମମରେ ଶ୍ରୀକାନ୍ତ ଓ ଶଗରିଆ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି।
ସୂଚନା ଅନୁସାରେ କେଜରିୱାଲ ଆସନ୍ତାକାଲି ସକାଳ ୧୦ଟା ୩୫ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ôଚବା ପରେ ତାଙ୍କ ଦଳ(ଆମ୍ ଆଦମୀ ପାର୍ଟି) ପକ୍ଷରୁ ଏକ ବାଇକ୍ ର୍ୟାଲିରେ ତାଙ୍କୁ ରାଜ୍ୟ ଅତିଥି ଭବନ ପର୍ଯ୍ୟନ୍ତ ନିଆଯିବ। ସେଠାରେ ଦଳର ପଦାଧିକାରୀ ଓ ସମାଜର ବିଭିନ୍ନ ବର୍ଗକୁ ଭେଟିବା ପରେ ଦିନ ସାଢ଼େ ୧୨ଟାରେ ଲୋୟର ପିଏମଜିରେ ଆୟୋଜିତ ସଭାକୁ ସମ୍ବୋଧିତ କରିବେ। ସେଠାରେ ଧାରଣାରେ ବସିଥିବା ନବନିର୍ମାଣ କୃଷକ ସଂଗଠନର କର୍ମକର୍ତ୍ତାଙ୍କୁ ଭେଟିବା ପରେ ଦଳର ରାଜ୍ୟ କାର୍ଯ୍ୟାଳୟକୁ ବୁଲିଯିବା ସହ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟି ସେ ସନ୍ଧ୍ୟା ୭ଟାରେ ଦିଲ୍ଲୀ ଅଭିମୁଖେ ଗସ୍ତ କରିବେ।


