ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ପରିସ୍ଥିତିକୁ ନେଇ ବିଜେପି ପକ୍ଷରୁ ଦିଆଯାଇଥିବା ମୁଲତବୀ ପ୍ରସ୍ତାବ ଉପରେ ଆଜି ବି ଗୃହରେ ଆଲୋଚନା ହୋଇପାରିନି । ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ମଧ୍ୟରେ ରହିଥିବା ଫାଟର ଫାଇଦା ଶାସକ ବିଜେଡିକୁ ମିଳିଛି । ଗତକାଲି କୋଟିଆ ଓ ଚାଷୀ ପ୍ରସଙ୍ଗ ଏବଂ ଆଜି ଚାଷୀ ପ୍ରସଙ୍ଗକୁ ନେଇ ଗୃହରେ ବିରୋଧୀ କଂଗ୍ରେସର ହଟ୍ଟଗୋଳ ଓ ସେଥିରେ ବିଜେପି ସହଭାଗୀ ହେବା ଯୋଗୁ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ସମ୍ଭବପର ହୋଇପାରିନଥିଲା । ଅବଶ୍ୟ ଆଜି ସର୍ବଦଳୀୟ ବୈଠକରେ ସହମତି ପରେ ଆସନ୍ତାକାଲି ଗୃହର ସ୍ଥିତି ସ୍ୱାଭାବିକ ହେବାର ସମ୍ଭାବନା ରହିଛି ।
ଗତକାଲି ଭଳି ଆଜି ପ୍ରଶ୍ନକାଳ ପରେ ଶୂନ୍ୟକାଳରେ କଂଗ୍ରେସ ସଦସ୍ୟମାନେ ଚାଷୀ ପ୍ରସଙ୍ଗକୁ ନେଇ ଗୃହରେ ଉଦବେଗ ପ୍ରକାଶ କରିଥିଲେ । ଚାଷୀ ପ୍ରସଙ୍ଗ ହୋଇଥିବାରୁ ବିଜେପି ମଧ୍ୟ କଂଗ୍ରେସ ସଦସ୍ୟଙ୍କ ସହ ସ୍ୱର ମିଳାଇବାରୁ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା ଓ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ଗୃହକୁ ବାରମ୍ବାର ମୁଲତବୀ କରିବାକୁ ପଡ଼ିଥିଲା । ଗତକାଲି କୋଟିଆ ଓ ଚାଷୀ ପ୍ରସଙ୍ଗକୁ ନେଇ ପ୍ରଶ୍ନକାଳ ପରେ ଅନୁରୂପ ପରିସ୍ଥିତି ଯୋଗୁ ଶୂନ୍ୟକାଳ ଓ ମୁଲତବୀ ଆଲୋଚନା ସମ୍ଭବପର ହୋଇପାରିନଥିବାବେଳେ ଆଜି ମଧ୍ୟ ଗୃହରେ ଶୂନ୍ୟକାଳ ପରେ ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା । ଆଜି ପ୍ରଥମାର୍ଦ୍ଧରେ ଗୃହ ଏକାଧିବାର ମୁଲତବୀ ହେବାପରେ ଦ୍ୱିତୀୟାର୍ଦ୍ଧରେ ମଧ୍ୟ ସମାନ ପରିସ୍ଥିତି ଜାରି ରହିଥିଲା । ପରେ ବାଚସ୍ପତି ଶ୍ରୀ ପାତ୍ର ସର୍ବଦଳୀୟ ବୈଠକ ଡାକି ଗୃହକୁ ସ୍ୱାଭାବିକ କରାଇଛନ୍ତି । ସର୍ବଦଳୀୟ ବୈଠକ ପରେ ଗୃହରେ ବିବୃତ୍ତି ରଖି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ ଯେ, ରାଜ୍ୟରେ ସମସ୍ତ ପଞ୍ଜିକୃତ ଚାଷୀଙ୍କଠୁ ରାଜ୍ୟ ସରକାର ଧାନ କିଣିବେ । ନକଲି ଚାଷୀ ଧରାପଡ଼ିଲେ ସେମାନଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ରୁଜୁ ହେବ । ମନ୍ତ୍ରୀଙ୍କ ଏହି ବିବୃତ୍ତି ପରେ ଗୃହରେ ଅଚଳାବସ୍ଥା ଦୂର ହୋଇଥିଲା ଓ ସାଧାରଣ ବଜେଟ ଉପରେ ଆଲୋଚନା ହୋଇଥିଲା ।
ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁ ଗତକାଲି ଭଳି ଆଜି ମଧ୍ୟ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇପାରିନଥିବାରୁ ତାହା ସରକାରଙ୍କୁ ସୁହାଇଛି । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଉଦବେଗଜନକ ଭାବେ ବୃଦ୍ଧି ପାଉଥିବାବେଳେ ଶାସକ ଦଳକୁ ପରୋକ୍ଷରେ ସୁହାଇବା ଭଳି ପରିସ୍ଥିତି ବିରୋଧୀ ଦଳ ସୃଷ୍ଟି କରୁଛି, ଯାହାଫଳରେ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ଆଲୋଚନା ସମ୍ଭବପର ହୋଇପାରୁନଥିବା ଜଣାପଡ଼ିଛି । ତେବେ ଏହି ଆଲୋଚନା ନହେବା ପଛରେ ବିରୋଧୀ ଓ ଶାସକ ଦଳ ମଧ୍ୟରେ କିଏ କାହାକୁ ସହଯୋଗ କରୁଛି ତାହା ବୁଝାପଡ଼ୁନଥିବା ଚର୍ଚ୍ଚା ହେଉଛି ।


