ଭୁବନେଶ୍ୱର :ରାଜ୍ୟ ସରକାର ଆଜି ଚାଷୀଙ୍କ ପାଇଁ ଆଉ ୨ଟି ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି । କୃଷି, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ପ୍ରଦୀପ ମହାରଥୀ ଆଜି ‘ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନ’ ଓ ‘ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା’ର ଶୁଭାରମ୍ଭ କରିଛନ୍ତି । ରାଜ୍ୟର କୃଷି ଯନ୍ତ୍ରପାତି ନିର୍ମାଣ କ୍ଷେତ୍ରରେ ଅଭିନବ ଜ୍ଞାନକୌଶଳ ସମୃଦ୍ଧ ଚାଷୀମାନଙ୍କୁ ପ୍ରୋତ୍ସାହିତ କରିବା ‘ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନ’ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟରେ । ସେହପରି ରାଜ୍ୟରେ କୃଷିଭିତ୍ତିକ ଉଦ୍ୟୋଗ ପ୍ରତିଷ୍ଠା ଓ ରିହାତି ପ୍ରଦାନକୁ ତ୍ୱରାନ୍ୱିତ କରିବା ପାଇଁ ‘ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା’ ଏକ ସରଳୀକୃତ ପ୍ରକ୍ରିୟା ବୋଲି ମନ୍ତ୍ରୀ କହିଛନ୍ତି । ରାଜ୍ୟସ୍ତରର ୧୧ ଜଣ, ଜିଲ୍ଲାସ୍ତରର ୯୦ ଜଣ ଏହିପରି ୧୦୧ ଜଣ ଚାଷୀଙ୍କୁ ପ୍ରତିବର୍ଷ ପୁରସ୍କୃତ କରାଯିବ । ରାଜ୍ୟସ୍ତରୀୟ ୩ଟି ପ୍ରଥମ ପୁରସ୍କାର ପାଇଁ ୨ ଲକ୍ଷ ଟଙ୍କା, ୩ଟି ଦ୍ୱିତୀୟ ପୁରସ୍କାର ପାଇଁ ୧ ଲକ୍ଷ ୫୦ ହଜାର ଟଙ୍କା ଓ ୫ଟି ତୃତୀୟ ପୁରସ୍କାର ବାବଦରେ ୧ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ସେହିପରି ଜିଲ୍ଲାସ୍ତରୀୟ ପୁରସ୍କାରରରେ ୯୦ ଜଣ ଚାଷୀଙ୍କୁ ୧୫ ହଜାର ଟଙ୍କା ଲେଖାଏଁ ଦିଆଯିବ । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବା ଏହି ଯୋଜନାର ଯାଞ୍ଚ ପ୍ରକ୍ରିୟାରେ ନ୍ୟାସନାଲ ଇନୋଭେସନ୍ ଫାଉଣ୍ଡେସନ୍ ସହାୟତ କରିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି । ସଂପୂର୍ଣ୍ଣ ଅନ୍ଲାଇନ୍, ସହଜ, ସମୟାନୁମୋଦିତ, ସ୍ୱଚ୍ଛ ଓ ଉଦ୍ୟୋଗୀ ଉପଯୋଗୀ ‘ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା’ ନିମନ୍ତେ ସମର୍ପିତ ଏକ ନୂତନ େୱବ୍ ପୋର୍ଟାଲ ଓ ମୋବାଇଲ୍ ଆପ୍ର ଶୁଭାରମ୍ଭ କରି ମନ୍ତ୍ରୀ ଶ୍ରୀ ମହାରଥୀ କହିଛନ୍ତି ଯେ ଏହା ଦ୍ୱାରା ଜଣେ ଉଦ୍ୟୋଗୀ ନିଜ ମୋବାଇଲ୍ରେ କୃଷି ଉଦ୍ୟୋଗ ସ୍ଥାପନ ନିମନ୍ତେ ଆବେଦନ କରିପାରିବେ । ଏହି ସରଳୀକୃତ ଅନ୍ଲାଇନ୍ ପ୍ରକ୍ରିୟାର ସୁଯୋଗ ନେଇ ରାଜ୍ୟର ଶିକ୍ଷିତ ଯୁବକଯୁବତୀ ତଥା ସବୁବର୍ଗର ଉତ୍ସାହୀ ଉଦ୍ୟୋଗୀମାନେ କୃଷି, ଉଦ୍ୟାନ କୃଷି, ମତ୍ସ୍ୟଚାଷ, ପ୍ରାଣୀସଂପଦ ବିକାଶ ଏବଂ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ବହୁଳ ସଂଖ୍ୟାରେ କୃଷି ଉଦ୍ୟୋଗ ସ୍ଥାପନ କରି ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ପାଇବା ସଙ୍ଗେସଙ୍ଗେ ଓଡ଼ିଶାର ଚାଷୀମାନଙ୍କର ରୋଜଗାର ବୃଦ୍ଧି ଓ ନୂତନ କର୍ମନିଯୁକ୍ତିରେ ସହାୟକ ହୋଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ମହାରଥୀ ଆଶା ପ୍ରକାଶ କରିଛନ୍ତି ।


