ଭୁବନେଶ୍ୱର(ଓଡ଼ିଶା ୱେୟାର) : ପୁଣି ଜଣେ ବିଧାୟିକା ପ୍ରାର୍ଥୀ ପ୍ରତ୍ୟାହାର କରିବେ ବୋଲି ଚର୍ଚ୍ଚା ଜୋର ଧରିଛି । ସିପ୍ରା ମଲ୍ଲିକଙ୍କୁ ବିଜେଡି ଟିକେଟ ମିଳିନଥିଲା । ତେଣୁ ସେ ସ୍ୱାଧୀନ ଭାବେ ଲଢିବେ ବୋଲି ନିଷ୍ପତ୍ତି ନେବା ସହ ଏଥିଲାଗି ଗତକାଲି ବା ମଙ୍ଗଳବାର ଦିନ ପ୍ରାର୍ଥୀପତ୍ର ମଧ୍ୟ ଦାଖଲ କରିଥିଲେ । ହେଲେ ସେ ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ନିଷ୍ପତ୍ତି ନେଇଛନ୍ତି ।
ସୂଚନାନୁୁୁୁଯାୟୀ, ଆଜି ସିପ୍ରା ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିବାପରେ ଗଣମାଧ୍ୟମକୁ କହିଥିଲେ ଯେ ତାଙ୍କ ପ୍ରାର୍ଥୀପତ୍ରରୁ ସେ ବହୁ ଜଲଦି ପ୍ରତ୍ୟାହୃତ କରିବେ । ତେବେ କାହିଁକି ସେ ଏହି ପ୍ରତ୍ୟାହୃତ କରୁଛନ୍ତି ଏବେ କିଏ ତାଙ୍କୁ ବାଧ୍ୟ କଲା ତାହା ବର୍ତ୍ତମାନ ପଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏଥିସହ ସେ କହିଛନ୍ତି ଯେ, ଏଥର ନିର୍ବାଚନ ଲଢ଼ିବାକୁ ଇଛାଥିଲା । ଜନସମର୍ଥକମାନେ ମଧ୍ୟ ମୋ ସାଥିରେ ଥିଲେ । ଦଳର ସୁପ୍ରିମୋଙ୍କ ନିର୍ଦ୍ଦେଶ ମାନି ନିଃସର୍ତ୍ତରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାକୁ ନିଷ୍ପତି ନେଇଛି । ତାଙ୍କୁ ଦଳୀୟ ଟିକେଟ ମିଳିନଥିଲେ ମଧ୍ୟ ସେ ଲୋକଙ୍କ ସହ ସର୍ବଦା ରହିବେ ଓ ବିଧାୟକ ନ ରହିଲେ ମଧ୍ୟ ବିଧାୟକ ଭଳି ଦାୟିତ୍ୱ ତୁଲାଇବେ ବୋଲି ସିପ୍ରା କହିଛନ୍ତି । ସେପଟେ ସେ ପରୋକ୍ଷରେ ବିଜେଡି ଉପରେ ବର୍ଷିଥିବାର ମଧ୍ୟ ଦେଖିବାକୁ ମିଳିଥିଲା, ତାଙ୍କ ପ୍ରତି ଅନ୍ୟାୟ ହୋଇଛି ବୋଲି ସେ କହିବାକୁ ପଛାଇ ନଥିଲେ ।
ତେବେ ତାଙ୍କର ଏହି ପ୍ରତ୍ୟାହୃତ ନିଷ୍ପତ୍ତି ଶୁଣାଣି ବେଳେ ଅର୍ଥମନ୍ତ୍ରୀ ତଥା କେନ୍ଦ୍ରପଡ଼ାର ବିଜେଡି ପ୍ରାର୍ଥୀ ଶଶିଭୂଷଣ ବେହେରା, କେନ୍ଦ୍ରାପଡ଼ା ବିଧାୟକ କିଶୋର ଚନ୍ଦ୍ର ତରାଇ ଓ ମହାକଳାପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।


