ଭୁବନେଶ୍ୱର : କୃଷି ସହ ରାଜ୍ୟର ଅନ୍ୟାନ୍ୟ ଅଗ୍ରାଧିକାର କ୍ଷେତ୍ରଗୁଡ଼ିକୁ ଅଧିକ ପରିମାଣର ଋଣ ଯୋଗାଇ ଦେବାରେ ବ୍ୟାଙ୍କଗୁଡ଼ିକ ଆଗେଇ ଆସିବା ଉଚିତ୍ । ବ୍ୟାଙ୍କମାନଙ୍କ ଦ୍ୱାରା ସମୟୋପଯୋଗୀ ଋଣ ବ୍ୟବସ୍ଥା କରାଯାଉନଥିବାରୁ ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ରାଜ୍ୟ ସରକାରଙ୍କ କଳିଙ୍ଗ ଶିକ୍ଷାସାଥୀ ଯୋଜନାରେ ଚଳିତବର୍ଷ ଦିଆଯାଇଥିବା ଋଣ ସନ୍ତୋଷଜନକ । ରାଜ୍ୟରେ ମୁଦ୍ର ଋଣ ଯୋଜନାରେ କିଶୋର ଓ ତରୁଣମାନଙ୍କୁ ଦିଆଯାଉଥିବା ଋଣ ସନ୍ତୋଷଜନକ ନୁହେଁ । ଯେଉଁ କିଛି ଏଟିଏମ୍ରେ ନଗଦ ଅର୍ଥ ସମସ୍ୟା ରହିଛି ତା’ର ତ୍ୱରିତ୍ ସମାଧାନ କରିବାକୁ ମନ୍ତ୍ରୀ ଶ୍ରୀ ବେହେରା ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦେଇଛନ୍ତି । ଚଳିତ ୨୦୧୮-୧୯ ଆର୍ôଥକ ବର୍ଷରେ ବାର୍ଷିକ କ୍ରେଡିଟ୍ ପ୍ଲାନ୍ରେ ୭୧,୪୨୦କୋଟି ଟଙ୍କା ଟଙ୍କାର ଲକ୍ଷ୍ୟଧାର୍ଯ୍ୟ କରାଯାଇଛି ।
ଆଜି ଅପରାହ୍ନରେ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର ୧୫୦ତମ ବୈଠକରେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ ସାଧାରଣ ଲୋକଙ୍କ ଆର୍ଥିକ ବ୍ୟବସ୍ଥାର ଉନ୍ନତି ସହିତ ରାଜ୍ୟର ଅର୍ଥନୀତିକ ପ୍ରଗତିରେ ବ୍ୟାଙ୍କଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାରୁ ରାଜ୍ୟରେ ବିଶେଷକରି ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳଗୁଡ଼ିକରେ ବ୍ୟାଙ୍କ ପ୍ରତିଷ୍ଠା ଦିଗରେ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେଉଛନ୍ତି । ମୁଖ୍ୟତଃ ସଡ଼କ, ବିଦ୍ୟୁତ୍, ଟେଲିଫୋନ୍, ଭି-ସାଟ୍ ଓ ଇଣ୍ଟରନେଟ୍ ସୁବିଧା ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଛି । ତେଣୁ କୃଷି ଓ ଆନୁସଙ୍ଗିକ କ୍ଷେତ୍ର, ଏମ୍ଏସ୍ଏମ୍ଇ, ଶିକ୍ଷା ଓ ଗୃହ ପରି ପ୍ରମୁଖ କ୍ଷେତ୍ରରେ ବ୍ୟବସାୟିକ ବ୍ୟାଙ୍କ ସହ ଘରୋଇ ବ୍ୟାଙ୍କଗୁଡ଼ିକ ପର୍ଯ୍ୟାପ୍ତ ପରିମାଣର ଋଣ ପ୍ରଦାନ ପାଇଁ ଆଗେଇ ଆସିବା ଉଚିତ୍ । ରାଜ୍ୟର ଆର୍ଥିକ ଅନଗ୍ରସର ଲୋକ ଯେପରି ବ୍ୟାଙ୍କିଙ୍ଗ୍ ସୁବିଧା ପାଇପାରିବେ ସେଥିପ୍ରତି ଯତ୍ନବାନ ହେବାକୁ ସେ ବ୍ୟାଙ୍କମାନଙ୍କୁ ପରାମର୍ଶ ଦେଇଥିଲେ । ସେହିପରି ଅର୍ଥ ସଚିବ ତୁହିନ୍କାନ୍ତ ପାଣ୍ଡେ କହିଥିଲେ ଯେ କ୍ରେଡିଟ୍ ଡିପୋଜିଟ୍ ଅନୁପାତ ଉପରେ ବ୍ୟାଙ୍କଗୁଡ଼ିକ ଅଧିକ ଗୁରୁତ୍ୱ ଦେବା ଉଚିତ୍ । ୯ଟି ଜିଲ୍ଲାରେ ଏହି ହାରା ୬୦ ପ୍ରତିଶତରୁ ଅଧିକ ଥିବାବେଳେ ଅନ୍ୟ ୯ଟି ଜିଲ୍ଲାରେ ଏହା ୪୦ ପ୍ରତିଶତରୁ କମ୍ ରହିଛି । ଏସବୁ ଜିଲ୍ଲାଗୁଡ଼ିକରେ କ୍ରେଡିଟ୍ ଡିପୋଜିଟ୍ ଅନୁପାତ ବୃଦ୍ଧି ଉପରେ ସେ ଗୁରୁତ୍ୱ ଦେଇଥିଲେ । ୨୦୧୭ ମାର୍ଚ୍ଚ ସୁଦ୍ଧା ରାଜ୍ୟର ୧୪୭୪ଟି ପଞ୍ଚାୟତରେ ବ୍ୟାଙ୍କ ଶାଖା କିମ୍ବା ବ୍ୟାଙ୍କ ସୁବିଧା ଉପଲବ୍ଧ ନଥିବାବେଳେ ୨୦୧୮ ଫେବୃୟାରୀ ୨୩ତାରିଖ ସୁଦ୍ଧା ଏଥିରୁ ୯୬୫ଟି ପଞ୍ଚାୟତରେ ବ୍ୟାଙ୍କିଙ୍ଗ୍ ସୁବିଧା ଯୋଗାଇ ଦିଆଯାଇଛି । ବାକି ୫୦୯ଟି ପଞ୍ଚାୟତରେ ୨୦୧୯ ମାର୍ଚ୍ଚ ସୁଦ୍ଧା ବ୍ୟାଙ୍କ ଆଉଟ୍ଲେଟ୍ ସୁବିଧା ଉପଲବ୍ଧ ହେବ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମତ୍ସ୍ୟ ସଚିବ ବିଶାଳ ଗଗନ, ଓୟୁଏଟି କୁଳପତି ସୁରେନ୍ଦ୍ରନାଥ ପଶୁପାଳକ, କୃଷି ବିଭାଗର ସ୍ୱତନ୍ତ୍ର ଭାସ୍କରଜ୍ୟୋତି ଶର୍ମା, ୟୁକୋ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ବ୍ୟାଙ୍କର୍ସ କମିଟି ଅଧ୍ୟକ୍ଷ ଜି.ସୁବ୍ରମଣିୟା ଆୟର, ରିଜର୍ଭ ବ୍ୟାଙ୍କ ଆଞ୍ଚଳିକ ନିର୍ଦ୍ଦେଶକ ଏମ୍.କେ.ମଲ, ନାବାର୍ଡର ସିଜିଏମ୍ କେ.ସି.ପାଣିଗ୍ରାହୀ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ସିଜିଏମ୍ ପ୍ରବୀଣା କାଲାଙ୍କ ସମେତ ଆର୍ଥିକ ଓ ବୀମା ସଂସ୍ଥାର ଅଧିକାରୀମାନେ ଉପସ୍ଥିତ ଥିଲେ ।


