ଭୁବନେଶ୍ୱର(ଓଡ଼ିଶା ୱେୟାର): ପୌର ଓ ପଂଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ଏବେ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ନିମନ୍ତେ ରଣନୀତି ପ୍ରସ୍ତୁତ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ମହିଳାଙ୍କୁ ସଶକ୍ତିକରଣ କରିବା ଦିଗରେ ନିଆଯାଇଥିବା ପଦକ୍ଷେପ ଓ ସହାୟତା ସମ୍ପର୍କିତ ଏକ ପୁସ୍ତକ ମାଧ୍ୟମରେ ରାଜ୍ୟର ସବୁ ଘରେ ପହଂଚି ମହିଳାଙ୍କୁ ପ୍ରଭାବିତ କରିବାକୁ ଦଳ ଲକ୍ଷ୍ୟ ରଖିଛି । ଦଳର ମହିଳା କର୍ମକର୍ତ୍ତାଙ୍କୁ ମଧ୍ୟ ଏହି ପୁସ୍ତକ ଯେଭଳି ସବୁ ବର୍ଗର ମହିଳାଙ୍କ ପାଖରେ ସେ ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି ।
ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ମହିଳା ସଶକ୍ତିକରଣ ନିମନ୍ତେ ମୋଦି ସରକାର ନେଇଥିବା ପଦକ୍ଷେପ ଓ ସହାୟତା ଉପରେ ଉପରେ ଭାରତ ସରକାରଙ୍କ ଦ୍ୱାରା ଲିଖିତ ଓଡ଼ିଆ ଅନୁବାଦ ପୁସ୍ତକ ‘ଭାରତୀୟ ମହିଳା – ଆହ୍ୱାନ ଉପରେ ବିଜୟ, ପ୍ରତିବନ୍ଧକର ବିନାଶ’କୁ ଉନ୍ମୋଚିତ ହୋଇଛି । ଏହି ଅବସରରେ ଉକ୍ତ ପୁସ୍ତକ ଜରିଆରେ ଓଡ଼ିଶାର ମହିଳା ମାନଙ୍କ ପ୍ରତି ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୁରୁତ୍ୱକୁ ରାଜ୍ୟର ସବୁ ମାଆ ଭଉଣୀଙ୍କ ପାଖରେ ପହଁଚାଇବାକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ କେବଳ ମହିଳାଙ୍କ ବିକାଶ ହେଉନାହିଁ ବରଂ ଦେଶର ବିକାଶ ନେତୃତ୍ୱ ମହିଳାଙ୍କ ହାତରେ ପହଁଚୁଛି । ଦେଶରେ ଅନେକ ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ଥିଲେ ମାତ୍ର ପ୍ରଧାନମନ୍ତ୍ରୀଙ୍କର ଗରିବ ମାଆଙ୍କ ପ୍ରତି ପ୍ରତିବଦ୍ଧତା କାରଣରୁ ଆଜି ମହିଳାମାନେ ସ୍ୱାବଲମ୍ବୀ ହେବା ସହ ଆତ୍ମନିର୍ଭର ହୋଇଛନ୍ତି । ମୋଦି ସରକାରରେ ଓଡ଼ିଶାରେ ୭୭ ଲକ୍ଷ ୧୪ ହଜାର ୮୦୯ଟି ଘର ସହ ଶୌଚାଳୟ ନିର୍ମାଣ କରାଯାଇ ମହିଳାଙ୍କୁ ସମ୍ମାନ ଦିଆଯାଇଛି । ସେହିପରି କରୋନା ସମୟରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ୪୭ ଲକ୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ମାଗଣାରେ ୩ଟି ଏଲପିଜି ସିଲିଣ୍ଡରର ବ୍ୟବସ୍ଥା ହୋଇଥିବା ବେଳେ ଓଡ଼ିଶାକୁ କରୋନା ସମୟରେ ୪୪୦ କୋଟି ଟଙ୍କା ବ୍ୟୟରେ ୬୮.୭୯ ଲକ୍ଷ ଏଲପିଜି ସିଲିଣ୍ଡର ଦିଆଯାଇଛି । ରାଜ୍ୟର ୮୫.୨୦ ଲକ୍ଷ ଜନଧନ ଆକାଉଂଟଧାରୀ ମହିଳାଙ୍କୁ ୧୨୫୮.୨୦ କୋଟି ଟଙ୍କା ବ୍ୟାଙ୍କ ଆକାଉଂଟକୁ ଟ୍ରାନ୍ସଫର କରାଯାଇଛି । ତେଣୁ ଏହି ପୁସ୍ତକର ସମସ୍ତ ଉପସ୍ଥାପନା ଓ ତଥ୍ୟ ଓଡ଼ିଶାର ମହିଳା ତଥା ପାଠକମାନଙ୍କୁ ବେଶ୍ ପ୍ରଭାବିତ କରିବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।
ସେହିପରି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି ଯେ, କେନ୍ଦ୍ରରେ ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ପରେ ମାତୃଶକ୍ତି ପାଇଁ ଶୈାଚାଳୟ ନିର୍ମାଣ, ଉଜ୍ଜ୍ୱଳା ଯୋଜନାରେ ମାଗଣା ରୋଷେଇ ଗ୍ୟାସ ବଂଟନ, ସୁକନ୍ୟା ସମୃଦ୍ଧି ଯୋଜନା, ମୁଦ୍ରା ଯୋଜନାରେ ମହିଳାମାନଙ୍କ ଭାଗିଦାରିତା ଭଳି ଅନେକ ମହିଳା କଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ କରିବା ସହ ସଫଳ ରୂପାୟନ ମଧ୍ୟ କରିଛନ୍ତି । ଏଥିସହ ମହିଳା ସୁରକ୍ଷାକୁ ଅଗ୍ରାଧିକାର ଦେଇ ଆସୁଛନ୍ତି । ଅନ୍ୟପଟେ ରାଜ୍ୟରେ ଶିଶୁ ଓ ମହିଳାମାନେ ଅସୁରକ୍ଷିତ ହୋଇପଡିବା ଅତ୍ୟନ୍ତ ଚିନ୍ତାଦାୟକ ବିଷୟ ।
ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ନେତ୍ରୀ ସୁରମା ପାଢ଼ୀ, ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ପ୍ରଭାତୀ ପରିଡ଼ା, ସୁକେଶୀ ଓରାମ, ଅନୀତା ଶୁଭଦର୍ଶିନୀ, ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ଠାକୁର ରଣଜିତ ଦାସ, ସୋନାଲୀ ସାହୁ, ଅନୁ ଚୈାଧୁରୀ, କାନନବାଳା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।


