ଭୁବନେଶ୍ୱର(ଓଡ଼ିଶା ୱେୟାର): ଏଣିକି ରାଜ୍ୟର ସମସ୍ତ ଛୋଟବଡ଼ ସହରରେ ଲୋକଙ୍କୁ ୫ଟଙ୍କିଆ ‘ଆହାର’ ଉପଲବ୍ଧ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ୩୮ଟି ଆହାର କେନ୍ଦ୍ରକୁ ଲୋକାର୍ପିତ କରିବା ପରେ ରାଜ୍ୟର ସମସ୍ତ ୧୧୪ଟି ପୌରାଞ୍ଚଳରେ ଆହାର କେନ୍ଦ୍ର ଖୋଲିଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ରାଜ୍ୟର ସବୁ ପୌରାଞ୍ଚଳରେ ୧୫୭ଟି ଆହାର କେନ୍ଦ୍ର ଜରିଆରେ ଏହି କାର୍ଯ୍ୟକ୍ରମ ସାମିଲ ହେଲା ଏବଂ ଏହା ସହିତ ୫୬ ଟି ଡାକ୍ତରଖାନା କ୍ୟାମ୍ପସରେ ଏହି ସୁବିଧା ରାତିରେ ଉପଲବ୍ଧ ହେଉଛି। ଏହାଦ୍ୱାରା ପ୍ରତିଦିନ ୧ ଲକ୍ଷ ଲୋକେ ଏହି କାର୍ଯ୍ୟକ୍ରମରେ ସୁଲଭ ଖାଦ୍ୟ ଖାଇବାର ସୁଯୋଗ ପାଇପାରିବେ। ସମସ୍ତଙ୍କ ସହଯୋଗରେ ଆଗକୁ ଏହିଭଳି ଭଲ ଭଲ ସେବା ଲୋକଙ୍କୁ ଯୋଗାଇ ଦିଆଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ସୂଚନାଯୋଗ୍ୟ ଯେ ୨୦୧୫ ଅପ୍ରେଲ ପହିଲାରେ ରାଜ୍ୟର ୫ ଟି ମୁନିସିପାଲିଟି କର୍ପୋରେସନ ଅଞ୍ଚଳରେ ୨୧ ଟି ଆହାର କେନ୍ଦ୍ର ଆରମ୍ଭ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ୭.୨ କୋଟି ମିଲ୍ ଲୋକଙ୍କୁ ଦିଆଯାଇସାରିଛି। ଏହି କାର୍ଯ୍ୟକ୍ରମରେ ଖାଦ୍ୟ ପଦାର୍ଥ ପରିବହନ ପାଇଁ ୬୫ ଟି ଗାଡି ଓ ୨୦୦୦ ଲୋକ ନିଯୁକ୍ତି ହୋଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଆହାର ଓଡିଶାର ୱେବପୋର୍ଟାଲ ମଧ୍ୟ ଉନ୍ମୋଚନ କରିଥିଲେ। ଏହି ସାଇଟ୍ ଦ୍ୱାରା ଆହାର କାର୍ଯ୍ୟକ୍ରମ ପାଇଁ ଇଚ୍ଛୁକ ବ୍ୟକ୍ତିମାନେ ଦାନ କରିପାରିବେ। ଏହି କାର୍ଯ୍ୟକ୍ରମ ପାଇଁ ନିଜର ଅବଦାନ ପାଇଁ ଉଚ୍ଛୁକ ବ୍ୟକ୍ତି ଜନ୍ମଦିନ,ବିବାହ ବାର୍ଷିକୀ,ଶ୍ରାଦ୍ଧ ବା ଅନ୍ୟକୌଣସି ସ୍ମରଣୀୟ ଦିନରେ ସ୍ୱେଚ୍ଛାକୃତ ଭାବେ ଯେକୌଣସି ଆହାର କେନ୍ଦ୍ରକୁ ଗୋଟିଏ ନିର୍ଦ୍ଧିଷ୍ଟ ଦିନରେ ଖାଦ୍ୟ ପ୍ରଦାନ ବ୍ୟବସ୍ଥା କରିପାରିବେ।
ଏହି କାର୍ଯ୍ୟକ୍ରମରେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ଉଷା ଦେବୀ, ଉନ୍ନୟନ କମିଶନର ଅସିତ ତ୍ରିପାଠୀ, ଗୃହ ନିର୍ମାଣ ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଯୋଗ ଦେଇଥିଲେ। ନଗର ଉନ୍ନୟନ ପ୍ରମୁଖ ସଚିବ ମାଥିଭାଥାନନ୍ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ପୌରନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ଧନ୍ୟବାଦ ଅର୍ପଣ କରିଛନ୍ତି ।


