ଭୁବନେଶ୍ୱର : ସଚିବାଳୟରେ ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ୭ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ବିଧାନସଭା ଅଧିବେଶନ ଯୋଗୁ କ୍ୟାବିନେଟ୍ ବୈଠକର ନିଷ୍ପତ୍ତି ସମ୍ପର୍କରେ ସରକାରୀ ଭାବେ କିଛି କୁହାଯାଇନାହିଁ । କିନ୍ତୁ ସୂଚନା ଅନୁସାରେ ଆଜିର କ୍ୟାବିନେଟ୍ ବୈଠକରେ ଝାରସୁଗୁଡ଼ା ଜିଲ୍ଲାର ୩ଟି ସହର ପାଇଁ ମେଗା ପାନୀୟ ଜଳ ପ୍ରକଳ୍ପ, ପୂର୍ବତନ ବିଧାୟକଙ୍କୁ ୫ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ସହ ମାସିକ ୨ହଜାର ଟଙ୍କା ମେଡିକାଲ ଭତ୍ତା, ଫରେଷ୍ଟର ପଦବୀ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତାର ସଂଶୋଧନ, ଓଡ଼ିଶା ସମବାୟ ସୋସାଇଟି ଆକ୍ଟ-୧୯୬୨ରେ ସଂଶୋଧନ, ଓଡ଼ିଶା ଭୂତଳ ଜଳ ବିଲ୍-୨୦୧୧ରେ ସଂଶୋଧନ, ଓଡ଼ିଶା ସରକାରୀ ରୁଲ୍ ଅଫ୍ ବିଜିନେସ୍ରେ ସଂଶୋଧନ ଓ ରାୟଗଡ଼ାର ଗୁଣୁପୁରସ୍ଥିତ ଜିଆଇଇଟିକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରସ୍ତାବକୁ ଅନୁମୋଦନ ମିଳିଥିବା ଜଣାପଡ଼ିଛି ।
ପଶ୍ଚିମ ଓଡ଼ିଶାର ବେଲପାହାଡ଼ ଓ ବ୍ରଜରାଜନଗର ପୌର ପରିଷଦ ଅଞ୍ଚଳରେ ୨୦୪୮ ମସିହା ସୁଦ୍ଧା ପ୍ରସ୍ତାବିତ ୧.୭୧ଲକ୍ଷ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଦୈନିକ ୧୯ ମିଲିୟନ ଲିଟର ବିଶିଷ୍ଟ ଏକ ମେଗା ପାନୀୟ ଜଳ ପ୍ରକଳ୍ପକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି । ହୀରାକୁଦ ଜଳଭଣ୍ଡାରରୁ ପାଣି ଅଣାଯାଇ ତାକୁ ବିଶୋଧନ କରାଯିବା ପରେ ବେଲପାହାଡ଼ ଓ ବ୍ରଜରାଜନଗର ସହରର ୨୪ଘଣ୍ଟିଆ ଜଳ ଆବଶ୍ୟକତାକୁ ପୂରଣ କରାଯିବ । ଏହା ସହିତ ଝାରସୁଗୁଡ଼ା ପୌରାଞ୍ଚଳର କେତେକ ଅଞ୍ଚଳକୁ ମଧ୍ୟ ଏହି ପାନୀୟ ଜଳ ଯୋଗାଣ ହେବ । ଏହି ପାନୀୟ ଜଳ ପ୍ରକଳ୍ପର ଟେଣ୍ଡରକୁ ରାଜସ୍ଥାନର ଜୁବେରୀ ଇଞ୍ଜିନିୟରି କମ୍ପାନୀ ଲିଃ ୨୧୪.୭୫ କୋଟି ଟଙ୍କାରେ ନେଇଛି ଓ ଏହାକୁ ଆଜି କ୍ୟାବିନେଟ୍ ମଞ୍ଜୁର କରିଛନ୍ତି । ସେହିପରି ପୂର୍ବତନ ବିଧାୟକଙ୍କୁ ମାସିକ ମେଡିକାଲ ଭତ୍ତା ବାବଦରେ ୨ହଜାର ଟଙ୍କା ସହ ନିୟମିତ ବିଧାୟକଙ୍କ ଭଳି ବାର୍ଷିକ ୫ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ସୁବିଧା ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁର କରିଛନ୍ତି । ୨୦୧୭ ସେପ୍ଟେମ୍ବର ୧୩ତାରିଖରେ ପୂର୍ବତନ ବିଧାୟକଙ୍କ ସ୍ୱାସ୍ଥ୍ୟବୀମାକୁ ୧ଲକ୍ଷ ଟଙ୍କାରୁ ଅଢ଼େଇ ଲକ୍ଷ ଟଙ୍କାକୁ ବୃଦ୍ଧି ହୋଇଥିଲା । କିନ୍ତୁ ଏହାକୁ ନେଇ ପୂର୍ବତନ ସଦସ୍ୟଙ୍କ ମଧ୍ୟରେ ଅସନ୍ତୋଷ ରହିଥିଲା ଓ ବଜେଟ୍ କମିଟିର ସୁପାରିସ୍ରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏହା ସହିତ ମନ୍ତ୍ରିମଣ୍ଡଳର ଯେଉଁ ସଦସ୍ୟ ସରକାରୀ ବାସଭବନ ପାଇନଥିବେ ତାଙ୍କୁ ଦୈନିକ ଘରଭଡ଼ା ବାବଦରେ ୧୦୦ଟଙ୍କା ପରିବର୍ତ୍ତେ ୧୦୦୦ଟଙ୍କା ମିଳିବ । ଏଥିପାଇଁ ଆବଶ୍ୟକ ଓଡ଼ିଶା ବିଧାନସଭା ସଦସ୍ୟ ଦରମା,ଭତ୍ତା ଓ ପେନ୍ସନ୍ ଆକ୍ଟ-୧୯୫୪ରେ ସଂଶୋଧନକୁ କ୍ୟବିନେଟ୍ ମଞ୍ଜୁର କରିଛନ୍ତି । ଏହି ବିଲ୍ ଅନୁମୋଦନ ଲାଭ କରିବା ପାଇଁ ବିଧାନସଭାକୁ ପଠାଯିବ ।
ସେହିପରି ଓଡ଼ିଶା ଫରେଷ୍ଟ ସର୍ଭିସ ଗ୍ରୁପ୍-୧(ଜୁନିୟର ବ୍ରାଞ୍ଚ୍) ରୁଲ୍ସ୍-୨୦୧୩ରେ ସଂଶୋଧନକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ଫରେଷ୍ଟରଙ୍କୁ ଅତିରିକ୍ତ ଜଙ୍ଗଲ ସଂରକ୍ଷକ ପଦବୀ ପର୍ଯ୍ୟନ୍ତ ପଦୋନ୍ନତି ଦେବା ନିମନ୍ତେ ରାଜ୍ୟ ସରକାର ଫରେଷ୍ଟର୍ଙ୍କ ଶିକ୍ଷାଗତ ଯୋଗ୍ୟତାକୁ ଯୁକ୍ତ ଦୁଇ ବିଜ୍ଞାନ ପରିବର୍ତ୍ତେ ସ୍ନାତକ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଫରେଷ୍ଟର ପଦବୀ ପାଇଁ ସର୍ବନିମ୍ନ ଯୋଗ୍ୟ ଯୁକ୍ତ ଦୁଇ ବିଜ୍ଞାନ ସହ ସ୍ନାତକ ହେବା ଜରୁରୀ । ଅତିରିକ୍ତ ଜଙ୍ଗଲ ସଂରକ୍ଷକର ମୋଟ ମଞ୍ଜୁରୀପ୍ରାପ୍ତ ୩୪୧ଟି ପଦବୀ ମଧ୍ୟରୁ ୨୨୭ଟି ପଦବୀ ସିଧାସଳଖ ନିଯୁକ୍ତି ପାଉଥିବା ଫରେଷ୍ଟ୍ ରେଞ୍ଜର୍ଙ୍କ ପଦୋନ୍ନତିରେ ପୂରଣ ହୋଇଥାଏ । ବାକି ପଦବୀକୁ ଫରେଷ୍ଟର୍ ର୍ୟାଙ୍କ୍ରୁ ପଦୋନ୍ନତି ପାଇ ଫରେଷ୍ଟ ରେଞ୍ଜର୍ ହେଉଥିବା ଅଫିସର୍ମାନଙ୍କ ପାଇଁ ଉଦ୍ଦିଷ୍ଟ ରହିଥାଏ ।
ସେହିପରି ଓଡ଼ିଶା ସମବାୟ ସୋସାଇଟି ଆକ୍ଟ-୧୯୬୨ର ଧାରା ୨ରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ଏହା ଦ୍ୱାରା ସମବାୟ ବ୍ୟାଙ୍କ ଓ ଆର୍ଥିକ କାରବାର କରୁଥିବା ସମବାୟ ସୋସାଇଟିକୁ ବାଦ୍ ଦେଲେ ଅନ୍ୟ କୌଣସି ସମବାୟ ସୋସାଇଟିଗୁଡ଼ିକ ଲୋକଙ୍କଠାରୁ ଟଙ୍କା ସଂଗ୍ରହ କରିପାରିବେ ନାହିଁ । ନାମକୁ ମାତ୍ର ସଦସ୍ୟ ପଞ୍ଜିକୃତ କରାଇ ଲୋକଙ୍କଠାରୁ ଜମା ସଂଗ୍ରହ କରିବା ଓ ସେମାନଙ୍କୁ ଋଣ ଦେବା ଉପରେ କଟକଣା ରହିବ । ଏହି ପ୍ରସ୍ତାବିତ ସଂଶୋଧନକୁ ଆଜି କ୍ୟାବିନେଟ୍ର ଅନୁମୋଦନ ମିଳିଛି । ତେବେ ଅନୁମୋଦନ ପାଇଁ ଏହି ବିଲ୍କୁ ବିଧାନସଭାକୁ ପଠାଯିବ ବୋଲି ଜଣାପଡ଼ିଛି ।
ସେହିପରି ଓଡ଼ିଶା ଭୂତଳ ଜଳ(ନିୟନ୍ତ୍ରଣ,ବିକାଶ ଓ ପରିଚାଳନା) ବିଲ୍-୨୦୧୧ର ଦୁଇଟି ଧାରାକୁ ନେଇ ରାଷ୍ଟ୍ରପତି ଆପତ୍ତି ଉଠାଇବା ପରେ ଏହାର ସଂଶୋଧନ ପ୍ରସ୍ତାବକୁ ଆଜି କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ଏହି ବିଲ୍ର ଦୁଇଟି ପ୍ରାବଧାନ କେନ୍ଦ୍ରୀୟ ବିଦ୍ୟୁତ୍ ଆଇନ-୨୦୦୩କୁ ବିରୋଧ କରୁଛି । ଯାହାକୁ ଦୃଷ୍ଟିରେ ରଖି ଏହି ଭୂତଳ ଜଳ ବିଲ୍ରେ ସଂଶୋଧନ ପ୍ରସ୍ତାବ କ୍ୟାବିନେଟ୍କୁ ଆସିଥିଲା । ଯାହାଫଳରେ ଭୂତଳ ଜଳସମ୍ପଦର ସୁନିୟନ୍ତ୍ରଣ, ପରିଚାଳନା ଓ ବିକାଶକୁ ସୁନିଶ୍ଚିତ କରାଯାଇପାରିବ ।
ସେହିପରି ଓଡ଼ିଶା ସରକାର ରୁଲ୍ସ୍ ଅଫ୍ ବିଜିନେସ୍ର ରୁଲ୍-୧୪ରେ ସଂଶୋଧନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ବୋଲି ଜଣାପଡ଼ିଛି ।


