ବାଲିଗୁଡ଼ା: ଭାରସାମ୍ୟ ହରାଇ ବ୍ରିଜରୁ ତଳକୁ ଖସିଲା ସ୍କୁଟି । ଦଣ୍ଡ ନାଚ ଦେଖି ୩ ଜଣ ସାଙ୍ଗ ସ୍କୁଟି ଯୋଗେ ଘରକୁ ଫେରୁଥିଲେ। ବାଟରେ ଭାରସାମ୍ୟ ହରାଇ ବ୍ରିଜରୁ ତଳକୁ ଖସିପଡ଼ିଲା ସ୍କୁଟି। ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ରାଇକିଆ ଥାନା ମଣ୍ଡାକିଆ ବୁଡ଼ାମାହା ବ୍ରିଜରୁ ତଳକୁ ଖସିଲା ସ୍କୁଟି । ୩ ମୃତ ଯୁବକ ବେରେଡାକିଆ ଅଞ୍ଚଳର ହୋଇଥିବା ସୂଚନା ମିଳିଛି। ମୃତଦେହ ଉଦ୍ଧାର କରି ମେଡିକାଲ ପଠାଇଲା ରାଇକିଆ ପୋଲିସ।
ସୂଚନା ଅନୁସାରେ, ବିଳମ୍ବିତ ରାତିରେ ପବୁରିଆ ରାସ୍ତାରେ ରାଇକିଆ ଆସୁଥିବା ବେଳେ ସ୍କୁଟିଟି ଭାରସାମ୍ୟ ହରାଇ ଏକ ଖୁଣ୍ଟରେ ବାଡେଇ ହେବା ପରେ ବ୍ରିଜ୍ ତଳକୁ ଖସି ପଡ଼ିଥିଲା । ଫଳରେ ସ୍କୁଟିରେ ଥିବା ୩ ଜଣ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରୁ ଜଣଙ୍କ ଘର ବେରେଡାକିଆରେ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ଘର ଡଲାବାଲିର ବୋଲି ଜଣାପଡ଼ିଛି । ଏମାନେ ହେଲେ ବସନ୍ତ ପଣ୍ଡା, ବ୍ରହ୍ମାନନ୍ଦ ଭୋଇ ଓ କୁସଲ ଦିଗାଲ । ସମସ୍ତେ ରାଇକିଆ ଅଂଚଳରେ ରହୁଥିବା ପୋଲିସ ସୂଚନା ଦେଇଛି । ଗତକାଲି ବିଳମ୍ବିତ ରାତିରେ ୩ ଜଣ ସାଙ୍ଗ ଦଣ୍ଡନାଚ ଦେଖି ବାବୁଲିଆରୁ ଘରକୁ ଫେରୁଥିଲେ । ଏହି ସମୟରେ ମଣ୍ଡାକିଆ ବୁଡ଼ାମାହା ନିକଟରେ ସ୍କୁଟିଟି ଭାରସାମ୍ୟ ହରାଇ ବ୍ରିଜରେ ଥିବା ବାଡ଼ାକୁ ଧକ୍କା ଦେଇଥିଲା । ପରେ ସମସ୍ତେ ସ୍କୁଟି ସହ ବ୍ରିଜର ତଳକୁ ଖସିପଡ଼ିଥିଲେ । ଆଜି ସକାଳେ ବ୍ରିଜ ତଳେ ୩ ଜଣ ଯୁବକ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଏନେଇ ପୁଲିସକୁ ଖବର ଦେଇଥିଲେ । ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ଘଟଣାର ତଦନ୍ତ କରୁଛି । ଦୁର୍ଘଟଣାରେ ସ୍କୁଟିଟି ମଧ୍ୟ ଭାଙ୍ଗିଯାଇଛି । ୩ ସାଙ୍ଗଙ୍କ ମୃତ୍ୟୁପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।


