କଟକ(ଓଡବ୍ଲ୍ୟୁ): ଦୁଇମାସରୁ ଅଧିକ ଦିନ ଧରି ଚାଲିଥିବା ଓକିଲ ଆନ୍ଦୋଳନ ନିର୍ଣ୍ଣାୟକ ମୋଡ଼ରେ ପହଂଚିଛି।ଓକିଲଙ୍କ ଆନ୍ଦୋଳନ ଭଣ୍ଡୁର ଉଦ୍ୟମ କରୁଥିବା ଅଭିଯୋଗରେ ହାଇକୋର୍ଟ ବାର ଆସୋସିଏସନରୁ ୩ଜଣ ବରିଷ୍ଠ ଓକିଲଙ୍କୁ ବହିଷ୍କୃତ କରାଯାଇଛି।ଏ ସମ୍ପର୍କରେ ସୂଚନା ଦେଇ ହାଇକୋର୍ଟ ବାର ଆସୋସିଏସନ ସମ୍ପାଦକ ସତ୍ୟବ୍ରତ ମହାନ୍ତି କହିଛନ୍ତି ଯେ ସାଧାରଣ ପରିଷଦ ବୈଠକରେ ଦୀର୍ଘ ସମୟ ଧରି ବିଚାରବିମର୍ଶ ପରେ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ୯ ତାରିଖ ପର୍ଯ୍ୟନ୍ତ ବଳବତର ରଖିବାକୁ ନିଷ୍ପତି ହୋଇଛି।ଏହା ସହିତ ଆନ୍ଦୋଳନକୁ ଭଣ୍ଡୁର କରିବା କାରଣରୁ ୩ଜଣ ବରିଷ୍ଠ ଓକିଲଙ୍କୁ ବହିଷ୍କୃତ କରାଯାଇଥିବାବେଳେ ଜଣଙ୍କୁ କାରଣଦର୍ଶାଅ ନୋଟିସ ଜାରି ପାଇଁ ନିଷ୍ପତି ହୋଇଛି।
ବିଜେଡି ଆଇନଜୀବୀ ସାମ୍ମୁଖ୍ୟର ଆବାହକ ମିଲନ କାନୁନଗୋ, ବିଜେଡି ଆଇନଜୀବୀ ସାମ୍ମୁଖ୍ୟର ଉପଦେଷ୍ଟା ଅସୀମ ଅମିତାଭ ଦାସ ଓ ବାରର ପୂର୍ବତନ ଉପସଭାପତି ବଂଶୀଧର ଶତପଥୀଙ୍କୁ ବାର ଆସୋସିଏସନରୁ ବହିଷ୍କୃତ କରାଯାଇଥିବାବେଳେ ବାର ଆସୋସିଏସନର ଅଧ୍ୟକ୍ଷ ଟହଲି ଚରଣ ମହାନ୍ତିଙ୍କୁ କାରଣଦର୍ଶାଅ ନୋଟିସ ଜାରି କରାଯାଇଛି।
୯ତାରିଖ ଦିନ ହାଇକୋର୍ଟ ଏହି ମାମଲାର ଶୁଣାଣି କରିବାର ଥିବାରୁ ତା’ପରେ ପରବର୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ।


