ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟରେ ଏଣିକି ରାତିରେ ମଧ୍ୟ ଆହାର କେନ୍ଦ୍ର ଖୋଲିବ ଓ ୫ଟଙ୍କାରେ ଭାତ-ଡାଲମା ମିଳିବ । ଆଜିଠୁ ସମଗ୍ର ରାଜ୍ୟରେ ୫୬ଟି ଆହାର କେନ୍ଦ୍ର ରାତିରେ ଖୋଲିବ । ଏସବୁ ଆହାର କେନ୍ଦ୍ର ମୁଖ୍ୟତଃ ରାଜ୍ୟବ୍ୟାପୀ ହସ୍ପିଟାଲ ପରିସରରେ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କ୍ୟାପିଟାଲ ହସ୍ପିଟାଲ ପରିସରରେ ଏହି ଆହାର କେନ୍ଦ୍ରକୁ ଉଦଘାଟନ କରିଥିଲେ । ରାଜ୍ୟରେ ବିଭିନ୍ନ ହସ୍ପିଟାଲକୁ ଆସୁଥିବା ରୋଗୀ ଓ ସେମାନଙ୍କର ଆଟେଣ୍ଡାଣ୍ଟଙ୍କ ନିମନ୍ତେ ଏହି ଆହାର କେନ୍ଦ୍ର ଅଧିକ ସହାୟକ ହେବ । ଏହାସହ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ ପରିସରରେ ଖୋଲୁଥିବା ନୂଆ ‘ଆହାର’ କେନ୍ଦ୍ରର ମଧ୍ୟ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି। ସରକାରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ଆତ୍ମୀୟ ଓ ଜନସାଧାରଣ ରାତିରେ ଖାଇବା ନେଇ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ରାତି ୭ଟାରୁ ୯ଟା ମଧ୍ୟରେ ‘ଆହାର’ କେନ୍ଦ୍ରରେ ଲୋକମାନେ ଭାତ, ଡାଲମା ଓ ଖଟା ମିଳିବ। ରାଜ୍ୟର ୫୬ଟି ଆହାର କେନ୍ଦ୍ରରେ ଏହି ସୁବିଧା ମିଳିବ। ୧୫ହଜାର ଲୋକ ଏହି ସୁବିଧା ପାଇପାରିବେ ବୋଲି ଜଣାପଡ଼ିଛି।
କ୍ୟାପିଟାଲ ହସ୍ପିଟାଲକୁ ବାଦ୍ ଦେଲେ କଳିଙ୍ଗ ହସ୍ପିଟାଲ ଓ ସମ୍ ହସ୍ପିଟାଲ ନିକଟରେ ଥିବା ‘ଆହାର’ କେନ୍ଦ୍ରରେ ଆଜିଠାରୁ ଏହି ସୁବିଧା ଆରମ୍ଭ ହୋଇଛି। କ୍ୟାପିଟାଲ ହସ୍ପିଟାଲରେ ଥିବା ଏହି କେନ୍ଦ୍ରରେ ରାତିରେ ୫ଶହ ଲୋକଙ୍କୁ ଖାଇବା ମିଳିବ। ପୂର୍ବରୁ ଏହି କେନ୍ଦ୍ରରେ ଦିନରେ ହଜାର ଲୋକଙ୍କୁ ଖାଇବା ଦିଆଯାଉଛି। ହସ୍ପିଟାଲରେ ରୋଗୀଙ୍କ ଆଟେଣ୍ଡାଣ୍ଟଙ୍କୁ ମିଶାଇ କେତେଜଣ ଲୋକଙ୍କ ପାଇଁ ରାତି ଭୋଜନର ବ୍ୟବସ୍ଥା କରାଯିବ ଏଥିପାଇଁ ଗତ ୩ଦିନ ଧରି କସରତ ଚାଲିଥିଲା। ଶେଷରେ ୫ଶହ ଲୋକଙ୍କ ପାଇଁ ସ୍ଥିର ହୋଇଥିଲା। ସେହିପରି କଳିଙ୍ଗ ହସ୍ପିଟାଲ ଓ ସମ୍ ହସ୍ପିଟାଲ ନିକଟରେ ଥିବା ଆହାର କେନ୍ଦ୍ରରେ ୨୫୦ଜଣ ଲୋକଙ୍କୁ ରାତିରେ ଏହି ସୁବିଧା ମିଳିବ। ଆସନ୍ତା କିଛି ଦିନ ଭିତରେ ଏମ୍ସ ନିକଟରେ ଥିବା କେନ୍ଦ୍ରରେ ରାତି ଭୋଜନର ସୁବିଧା ଆରମ୍ଭ ହେବ। ‘ଆହାର’ କେନ୍ଦ୍ରରେ ଦିଆଯାଉଥିବା ଖାଦ୍ୟର ଗୁଣବତ୍ତାର ଯାଞ୍ଚ ପାଇଁ ତ୍ରିସ୍ତରୀୟ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଅକ୍ଷୟପାତ୍ର ଫାଉଣ୍ଡେସନ୍ ପକ୍ଷରୁ ଖାଇବା ଯୋଗାଇ ଦିଆଯାଉଥିବା ବେଳେ ସଂସ୍ଥା ମଧ୍ୟ ନିଜର ଗୁଣବତ୍ତା ଯାଞ୍ଚ କରୁଛି। ଏହାସହ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ବାଦ୍ ଏକ ତୃତୀୟ ସଂସ୍ଥା ଖାଦ୍ୟର ମାନ ଯାଞ୍ଚ କରି ଗୋପନୀୟ ରିପୋର୍ଟ ପ୍ରଦାନ କରୁଛି।


