ଉତ୍ତର ଭୁବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଆଜି ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ଦଳରେ ଲଗାତାର ଅବହେଳା ଅଭିଯୋଗ କରି ସେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫାପତ୍ର ଦଳର ସଭାପତିଙ୍କ ପାଖକୁ ପଠାଇଛନ୍ତି। ଇସ୍ତଫାପତ୍ରରେ ସେ ତାଙ୍କ କ୍ଷୋଭ ପ୍ରକାଶ କରିଛନ୍ତି। ଅନ୍ୟପଟେ ପ୍ରିୟଦର୍ଶୀ ମିଶ୍ର ବିଜେପିରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ମଧ୍ୟ ଗୋଟିଏ ମହଲରେ ଆଲୋଚନା ହେଉଛି।
ପ୍ରିୟଦର୍ଶୀ ମିଶ୍ର ୨୦୧୪ରୁ ୨୦୧୯ ଯାଏ ଉତ୍ତର ଭୁବନେଶ୍ବରର ବିଧାୟକ ଥିଲେ। ୨୦୧୯ ପରଠାରୁ ତାଙ୍କୁ ଦଳରେ ଗୁରୁତ୍ୱ ଦିଆଯାଉନଥିଲା। ୨୦୧୯ରେ ତାଙ୍କୁ ଟିକେଟ୍ ଦିଆନଯାଇ ଦଳ ଉତ୍ତର ଭୁବନେଶ୍ୱରରୁ ସୁଶାନ୍ତ ରାଉତଙ୍କୁ ଟିିକେଟ୍ ଦେଇଥିଲା । ଚର୍ଚ୍ଚା ଚାଲିଛି ଯେ ବର୍ତ୍ତମାନର ବିଧାୟକ ସୁଶାନ୍ତ କୁମାର ରାଉତ ପୁଣିଥରେ ଏଠାରୁ ଲଢ଼ିବେ। ଏ ନେଇ ଦଳ ତାଙ୍କୁ ସବୁଜ ସଙ୍କେତ ଦେଇଛି। ସୁଶାନ୍ତଙ୍କ ସମର୍ଥକ ଉତ୍ସାହିତ। ଏପଟେ ବିଜେଡି ଟିକେଟ୍ ପାଇବାକୁ ଅନ୍ୟତମ ଆଶାୟୀ ତଥା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ପରବର୍ତ୍ତୀ ନିଷ୍ପତ୍ତି ଉପରେ ଏବେ ସମସ୍ତଙ୍କ ନଜର ରହିଥିଲା। ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ପରଠାରୁ ଶ୍ରୀ ମିଶ୍ର କୌଣସି ବନ୍ଧୁମିଳନ କିମ୍ବା ସମାବେଶ କରୁ ନ ଥିଲେ।

ବିଜେଡିରୁ ଇସ୍ତଫା ଦେବା ପରେ ପ୍ରିୟଦର୍ଶୀ ମିଶ୍ର ଗଣମାଧ୍ୟମରେ କହିଛନ୍ତି, ମୁଁ ଛାତ୍ରାବସ୍ଥାରୁ ବିଜୁ ବାବୁଙ୍କ ସହିତ କାମ କରିଛି। ୩୦ ବର୍ଷରୁ ଅଧିକ ସମୟ ଧରି ମୁଁ ନିଷ୍ଠାର ସହିତ ଏହି ଦଳ ପାଇଁ କାମ କରିଛି। କିନ୍ତୁ ଦଳ ମୋତେ କ୍ରମାଗତ ଭାବେ ଅବହେଳା କରିଛି। ତା’ର ପ୍ରତିବାଦରେ ମୁଁ ଆଜି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛି। ସେ କହିଛନ୍ତି, ପୂର୍ବରୁ ମୁଁ ମୋର ଅଭିଯୋଗ ଦଳୀୟ ନେତୃତ୍ୱଙ୍କୁ ଜଣାଇ ଦେଇଥିଲି। ମୁଁ କହିଥିଲି- ପାର୍ଟିରେ ମୋର ବୋଧେ ଆଉ ସ୍ଥାନ ନାହିଁ। ମୋତେ ଦଳର କୌଣସି କାର୍ଯ୍ୟ କରିବାକୁ ସୁଯୋଗ ଦିଆଯାଉ ନାହିଁ। ଦୀର୍ଘ ବର୍ଷ ଧରି ଦଳର କୌଣସି କାର୍ଯ୍ୟକ୍ରମକୁ ଡକା ଯାଉନି। ତେଣୁ ମୁଁ ଆଉ ଦଳରେ ରହିବା କଥା ନୁହେଁ ବୋଲି ହୃଦ୍ବୋଧ କରୁଛି।
ପ୍ରିୟଦର୍ଶୀ କହିଛନ୍ତି, ଦଳ ଲଗାତାର ମୋତେ ଅଣଦେଖା କରିଛି। ଦଳ ମୋତେ ଲଗାତାର ଧୋକା ଦେଇ ଚାଲିଛି। ୨୦୧୯ରେ ମୋତେ ଟିକେଟ ଦିଆଯାଇ ନଥିଲା। ମୋତେ ଦଳ ପାଇଁ କାମ କରିବାକୁ କୁହାଯାଇଥିଲା। ୨୦୨୪ରେ ଟିକେଟ୍ କଥା ଦେଖାଯିବ ବୋଲି କୁହାଯାଇଥିଲା। ପରେ ମୋତେ ହାଉସିଂ ବୋର୍ଡ କର୍ପୋରେସନ ଦାୟିତ୍ୱ ଦିଆଯାଇଥିଲା। ଅଧାରୁ ମୋତେ ସେ ଦାୟିତ୍ୱ ଛାଡ଼ିଦେବାକୁ କୁହାଯାଇଥିଲା। ପାର୍ଟି ପାଇଁ କାମ କରିବାକୁ କୁହାଯାଇଥିଲା। ତା’ସହିତ ୨୦୨୪ରେ ନିର୍ବାଚନ ଲଢ଼ିବ ବୋଲି କୁହାଯାଇଥିଲା। ମୁଁ ସେହି ନିର୍ଦ୍ଦେଶ ମାନିଥିଲି। କିନ୍ତୁ ପରେ ଯେମିତି ଦାୟିତ୍ୱ ଦିଆଯିବା କଥା ତାହା ଦିଆଯାଇ ନଥିଲା। ଯେତେବେଳେ ଦେଖିଲି ମୁଁ ଦଳ ପାଇଁ ଅଲୋଡ଼ା ହୋଇଯାଉଛି, ତେଣୁ ବାଧ୍ୟ ହେଲି ଇସ୍ତଫା ଦେବାକୁ। ସେହିପରି ଦଳ ମୋତେ ପୁଣି ଥରେ ଧୋକା ଦେବ ବୋଲି ମୋର ହୃଦ୍ବୋଧ ହୋଇଥିଲା। ତେଣୁ ତା’ ପୂର୍ବରୁ ଦଳରୁ ବାହାରିଯିବାକୁ ଉଚିତ୍ ମଣିଲି। ତାଙ୍କ ସମର୍ଥକ, ସହଯୋଗୀ ଓ ଶୁଭେଚ୍ଛୁଙ୍କ ପରାମର୍ଶରେ ସେ ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି କହିଛନ୍ତି। ସେମାନେ ଯାହା ନିଷ୍ପତ୍ତି ନେବେ ସେ ତାକୁ ଗ୍ରହଣ କରିବେ ବୋଲି କହିଛନ୍ତି।


