ବୋଲଗଡ଼ : ଶ୍ୱଶୁର ଘରେ ନିଆଁ ଲଗାଇବା ଅଭିଯୋଗରେ ବୋଲଗଡ଼ ଥାନା ପୁଲିସ ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ବଡ଼ସହରା ଗ୍ରାମର ମନୋଜ କୁମାର ସାହୁ (୨୬)ଙ୍କୁ ଗିରଫ କରି କୋର୍ଟଚାଲଣ କରିଛି। ଗୁରୁବାର ରାତିରେ ପୁଲିସ ତାଙ୍କୁ ଭୁବନେଶ୍ୱରରୁ ଗିରଫ କରିଥିଲା। ବୋଲଗଡ଼ ଥାନା ଅନ୍ତର୍ଗତ ତୃତୀୟାପଡ଼ା ଗ୍ରାମରେ ଥିବା ତାଙ୍କ ଶ୍ୱଶୁର ଘରେ ନିଆଁ ଲଗାଇଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ତେବେ ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ମନୋଜର ବଡ଼ଭାଇ ମାନସ ଫେରାର୍ ଥିବା ଜଣାଯାଇଛି। ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି।
ବୋଲଗଡ଼ ପୁଲିସ ସୂଚନା ଅନୁଯାୟୀ, ମନୋଜ ବୋଲଗଡ଼ ତୃତୀୟାପଡ଼ା ଗ୍ରାମର କମଳା ସାହୁଙ୍କୁ ବିବାହ କରିଥିଲେ। ବିବାହର କିଛି ଦିନ ପରେ ଶ୍ୱଶୁର ଘର ଲୋକେ ଯୌତୁକ ପାଇଁ କମଳାଙ୍କୁ ନିର୍ଯାତନା ଦିଆଯିବାରୁ ସେ ବାପଘରକୁ ପଳାଇ ଆସିଥିଲେ। ତେବେ ଗତ ମାର୍ଚ୍ଚ ୨୪ ତାରିଖ ରାତି ପ୍ରାୟ ୨ଟାରେ ମନୋଜ ଓ ତାଙ୍କ ବଡ଼ ଭାଇ ମାନସ ଭୁବନେଶ୍ୱରରୁ ଏକ କାର୍ରେ ଆସି କମଳାଙ୍କୁ ରାତାରାତି ନେଇଯିବା ପାଇଁ ଜିଦ୍ କରିଥିଲେ। କିନ୍ତୁ କମଳାଙ୍କ ପରିବାର ଲୋକେ ଏଥିରେ ଅରାଜି ହେବାରୁ ରାଗରେ ୨ ଭାଇ ଶଶ୍ୱରଘର ବାଡ଼ିପଟ ଚାଳରେ ନିଆଁ ଲଗାଇ ଦେଇଥିଲେ। ଏନେଇ କମଳାଙ୍କ ମା’ ସୁବର୍ଣ୍ଣି ବୋଲଗଡ଼ ଥାନାରେ ଅଭିଯୋଗ କରିଥିଲେ।


