ନୂଆଦିଲ୍ଲୀ: ଆୟକର ରିଟର୍ଣ୍ଣ ଦାଖଲ କରିବାର ସମୟ ସୀମା ଜୁଲାଇ ୩୧ ପରେ କିଛି ଦିନ ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି। ତେବେ ସରକାର ଏ ବିଷୟରେ ଆଗୁଆ କିଛି ଘୋଷଣା କରିବେ ନାହିଁ। କାରଣ ସମୟ ସୀମା ବଢ଼ିଲା ବୋଲି ଘୋଷଣା କଲେ ଟିକସଦାତାମାନେ ଠିକ ସମୟରେ ଆୟକର ଦାଖଲ କରିବା ପ୍ରତି ଗୁରୁତ୍ୱ ଦେବେ ନାହିଁ। ଚଳିତ ବର୍ଷ ଆୟକର ଦାଖଲ କରିବା ପାଇଁ ଟିକସଦାତାମାନେ କେତେକ ନୂଆ ପ୍ରକାର ସମସ୍ୟା ସାମ୍ନା କରୁଛନ୍ତି। ପାନ୍ କାର୍ଡ ସହିତ ଆଧାର ସଂଯୋଗ କରିବାକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି। ଏହା ବ୍ୟତୀତ ଆଉ କେତେକ ନୀତି ସମ୍ପର୍କିତ ପରିବର୍ତ୍ତନ ଯୋଗୁଁ ଟିକସଦାତାମାନେ ରିଟର୍ଣ୍ଣ ଦାଖଲ କରିବାରେ ଅସୁବିଧା ସାମ୍ନା କରୁଛନ୍ତି। ସେଥିପାଇଁ ସରକାର ଆୟକର ରିଟର୍ଣ୍ଣ ଦାଖଲ ସମୟ ସୀମା ବଢ଼ାଇବା ଉପରେ ବିଚାର କରୁଛନ୍ତି।


