ଜଗତସିଂହପୁର : ବିଜେଡି ଜଗତସିଂହପୁର ଜିଲ୍ଲା ସଂଗଠନରେ ଏକାଧିପତ୍ୟ ଜାହିର କରିବା ଏବେ ଜିଲ୍ଲା ସଭାପତି ତଥା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଦାସଙ୍କ ପାଇଁ ମହଙ୍ଗା ପଡ଼ିଛି।ଦୀର୍ଘବର୍ଷ ଧରି ଜିଲ୍ଲା ସଂଗଠନରେ ଗୋଷ୍ଠୀବିବାଦକୁ ପ୍ରଶୟ ଦେଇ ଦଳର ଅନ୍ୟ ବିଧାୟକମାନଙ୍କ ସାଂଗଠନିକ କାର୍ଯ୍ୟରେ ମାତ୍ରାଧିକ ହସ୍ତକ୍ଷେପ କରି ଆସୁଥିବା ବିଷ୍ଣୁଙ୍କ ପତିଆରା ଉପରେ ଅଙ୍କୁଶ ଲାଗିଛି।ଡାକ୍ତର ଦାମୋଦର ରାଉତ ବିଜେଡିରୁ ବହିଷ୍କାର ହେବାପରେ ବିଷ୍ଣୁଙ୍କ ଉପରେ ଦଳୀୟ ସୁପ୍ରିମୋଙ୍କ ଏଭଳି ଲଗାମ ତାଙ୍କୁ ଜିଲ୍ଲା ରାଜନୀତିରେ ସମ୍ପୂର୍ଣ୍ଣ କୋଣଠେସା କରିଦେଇଛି।ଯାହାର ପ୍ରମାଣ ନିକଟରେ କୁଜଙ୍ଗରେ ଅନୁଷ୍ଠିତ ମହିଳା ସମାବେଶରେ ମିଳିଛି।
ସୂଚନା ଅନୁସାରେ, ଦୀର୍ଘ ଦଶନ୍ଧି ଧରି ଜିଲ୍ଲା ସଂଗଠନରେ ନିଜର ଆଧିପତ୍ୟ ଜାହିର କରିବା ପାଇଁ ବିଷ୍ଣୁ ଦଳର ବିଧାୟକମାନଙ୍କ କ୍ଷମତାକୁ ଗୌଣ କରିବାରେ ଲାଗିଥିଲେ।ଯାହାର ଫଳ ଏବେ ତାଙ୍କୁ ଭୋଗିବାକୁ ପଡ଼ିଛି।ଜିଲ୍ଲାର ଅନ୍ୟତମ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କ ପାଇଁ ‘ଚେକ୍ ଆଣ୍ଡ ବାଲାନ୍ସ’ ଫର୍ମୂଲାକୁ କାର୍ଯ୍ୟକାରୀ କରିବା ପାଇଁ ଗତ କିଛିବର୍ଷ ଧରି ଜିଲ୍ଲା ସଂଗଠନରେ ବିଷ୍ଣୁଙ୍କ ପ୍ରଭାବକୁ ଦଳୀୟ ସୁପ୍ରିମୋ ଗୁରୁତ୍ୱ ଦେଇ ଆସୁଥିଲେ।କିନ୍ତୁ ଡାକ୍ତର ରାଉତଙ୍କୁ ବହିଷ୍କାର କରାଯିବା ପରେ ବିଷ୍ଣୁ ଏବେ ଦଳରେ ଗୌଣ ହୋଇପଡ଼ିଛନ୍ତି।ଜିଲ୍ଲାର ଅନ୍ୟ ଦୁଇ ବିଧାୟକ ବାଲିକୁଦା-ଏରସମାର ପ୍ରଶାନ୍ତ ମୁଦୁଲି ଓ ତିର୍ତୋଲ ବିଧାୟକ ଡାକ୍ତର ରାଜଶ୍ରୀ ମଲ୍ଳିକଙ୍କ ସହ ମଧ୍ୟ ବିଷ୍ଣୁଙ୍କ ତିକ୍ତ ସମ୍ପର୍କ ରହିଛି।ଜିଲ୍ଲା ସଭାପତି ଭାବେ ଦଳର ବିଧାୟକମାନଙ୍କ ସହ ସୁସମ୍ପର୍କ ଓ ସମନ୍ୱୟ ରକ୍ଷା କରିବାରେ ବିଫଳ ହୋଇଥିବା ବିଷ୍ଣୁ ନିଜର ଜିଲ୍ଲା ସଭାପତିପଣିଆ ଦେଖାଇ ହେବା ପାଇଁ ବାଲିକୁଦା,ତିର୍ତୋଲ ଓ ପାରାଦୀପରେ ଏକତରଫା ଭାବେ ବିଭିନ୍ନ ସାଂଗଠନିକ କାର୍ଯ୍ୟକ୍ରମ କରୁଥିଲେ।ଏପରିକି ଦଳର ଏହି ବିଧାୟକମାନେ ଯେଉଁ କର୍ମୀମାନଙ୍କୁ ଦଳବିରୋଧୀ କାର୍ଯ୍ୟରେ ବିତାଡ଼ିତ କରୁଥିଲେ ଅବା ସେମାନଙ୍କୁ ଦୂରେଇ ରଖୁଥିଲେ ବିଷ୍ଣୁ ସେହିଭଳି କର୍ମୀମାନଙ୍କୁ ଅଗ୍ରାଧିକାର ଦେଇ ସମ୍ପୃକ୍ତ ବିଧାୟକମାନଙ୍କ ବିରୋଧରେ ସମାନ୍ତରାଳ ଶକ୍ତି ଭାବେ ଉଭା କରାଉଥିଲେ।ବିଷ୍ଣୁଙ୍କ ଏଭଳି ଆଚରଣକୁ ନେଇ ବାରମ୍ବାର ବିବାଦୀୟ ପରିସ୍ଥିତିରେ ଜିଲ୍ଲାରେ ସୃଷ୍ଟି ହେଉଥିଲେ ମଧ୍ୟ ତାଙ୍କର ଚେତା ପଶିନଥିଲା।ବିଷ୍ଣୁଙ୍କ ଏଭଳି ଆଚରଣରେ ଦଳର ସୁପ୍ରିମୋ କ୍ଷୁବ୍ଧ ହେଉଥିଲେ ମଧ୍ୟ ତାଙ୍କର ସୁଧାର ଆସିନଥିଲା।
ଯେଉଁଥିପାଇଁ ନିକଟ ଅତୀତରେ ଜିଲ୍ଲା ମହିଳା ସଭାନେତ୍ରୀ ଡାକ୍ତର ରାଜଶ୍ରୀ ମଲ୍ଲିକ ଗଢ଼ିଥିବା ଜିଲ୍ଲା ମହିଳା କମିଟିରେ ବିଷ୍ଣୁଙ୍କ କଟ୍ଟରବିରୋଧୀଙ୍କୁ ସାମିଲ କରିଥିଲେ।ଜିଲ୍ଲାରେ ମହିଳା କମିଟି ଗଠନରେ ବିଷ୍ଣୁଙ୍କ ଟାଳଟୂଳ ନୀତି ଦେଖି ରାଜଶ୍ରୀ ନିଜଆଡ଼ୁ କମିଟି ଗଠନ କରିଥିଲେ।ତେବେ ବିଷ୍ଣୁଙ୍କ ନିର୍ବାଚନମଣ୍ଡଳୀରେ ତାଙ୍କର ବିରୋଧୀଙ୍କୁ ମହିଳା କମିଟିର ମୁଖ୍ୟ କରାଯିବାକୁ ନେଇ ହୋ-ହାଲ୍ଲା ପରେ ଦଳୀୟ ସୁପ୍ରିମୋଙ୍କ ପାଖରେ କାକୁତିମିନତୀ କରି ସେମାନଙ୍କୁ ହଟାଇବାରେ ବିଷ୍ଣୁ ସଫଳ ହୋଇଥିଲେ। ମାତ୍ର ସମ୍ପୃକ୍ତ ନେତ୍ରୀମାନଙ୍କୁ ପରବର୍ତୀ ସମୟରେ ରାଜଶ୍ରୀ ଜିଲ୍ଲାର ଉପସଭାନେତ୍ରୀ କରିଥିଲେ, ଯାହା ବିଷ୍ଣୁଙ୍କ ପାଇଁ ଶକ୍ତ ଚାପୁଡ଼ା ସଦୃଶ ଥିଲା।
ବିଷ୍ଣୁଙ୍କ ଏଭଳି ସାଂଗଠନିକ ଗତିବିଧି ଓ ବିବାଦୀୟ ସାଂଗଠନିକ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଦଳର ସୁପ୍ରିମୋ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି।ପ୍ରଶାନ୍ତଙ୍କ ବିରୋଧରେ ଗତକିଛି ବର୍ଷ ଧରି ବିଷ୍ଣୁ କାର୍ଯ୍ୟ କରିବା ସହ ପ୍ରଶାନ୍ତଙ୍କ କଟ୍ଟରବିରୋଧୀଙ୍କୁ ପ୍ରୋତ୍ସାହିତ କରି ବାଲିକୁଦା-ଏରସମା ଅଂଚଳରେ ରାଜନୀତିକ ଅସ୍ଥିରତା ସୃଷ୍ଟି କରୁଥିବା ଚର୍ଚ୍ଚା ହେଉଥିଲା।
ସେହିପରି ମହାନଦୀ ବଚାଂଅ ଆନ୍ଦୋଳନ ପାଇଁ ଦଳ ପକ୍ଷରୁ ହୋଇଥିବା କାର୍ଯ୍ୟକ୍ରମରେ ମଧ୍ୟ ବିଷ୍ଣୁଙ୍କୁ ବିଶେଷ ଗୁରୁତ୍ୱ ଦିଆଯାଇନଥିଲା।ପାରାଦୀପରେ ଏହି ଆନ୍ଦୋଳନର ଉଦ୍ଯାପନ କାର୍ଯ୍ୟକ୍ରମରେ ବିଜେଡି ସୁପ୍ରିମୋ ଯୋଗ ଦେଇଥିଲେ ମଧ୍ୟ ବିଷ୍ଣୁଙ୍କୁ ସେଥିରୁ ଦୂରେଇ ରଖାଗଲା।
ଏହାବ୍ୟତୀତ ଗତ ସପ୍ତାହରେ ଭୁବନେଶ୍ୱରରେ ଦଳୀୟ ମୁଖ୍ୟାଳୟରେ ପାରାଦୀପ ନିର୍ବାଚନମଣ୍ଡଳୀ ପ୍ରସଙ୍ଗରେ ଆଲୋଚନାବେଳେ ବିଷ୍ଣୁଙ୍କ ଏଭଳି ବିଭାଜନ ଓ ଗୋଷ୍ଠୀବାଦର ସାଂଗଠନିକ କାର୍ଯ୍ୟକ୍ରମକୁ ସମସ୍ତେ ଏକସ୍ୱରରେ ବିରୋଧ କରିଥିଲେ।ଏପରିକି ତାଙ୍କ ଯୋଗୁ ଜିଲ୍ଲାର ସଂଗଠନ ତଳିତଳାନ୍ତ ହେଉଛି ବୋଲି ଅଭିଯୋଗ ହୋଇଥିଲା।
ଗତ ଦିନକ ପୂର୍ବରୁ କୁଜଙ୍ଗରେ ମହିଳା ସମାବେଶରୁ ମଧ୍ୟ ବିଷ୍ଣୁଙ୍କୁ ଅଣଦେଖା କରାଯାଇଥିଲା।ସେ ଜିଲ୍ଲା ସଭାପତି ଥାଇ ମଧ୍ୟ ତାଙ୍କୁ କିମ୍ବା ତାଙ୍କର କୌଣସି ସମର୍ଥକଙ୍କୁ ସେଠାକୁ ଡକାଯାଇନଥିଲା।ବିଷ୍ଣୁ ଗତକାଲି ମଧ୍ୟ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସେ ଜାଣିନଥିବା କଥା କହି ପରୋକ୍ଷରେ ଦଳରେ ନିଜର ଦୟନୀୟ ସ୍ଥିତିର ପ୍ରମାଣ ଦେଇଛନ୍ତି।ଅବଶ୍ୟ ବିଷ୍ଣୁ ସମାନ୍ତରାଳ ଭାବେ ଜଗତସିଂହପୁର ଟାଉନ ହଲ୍ରେ ନିଜର ସମର୍ଥକଙ୍କ ଗହଣରେ ମହିଳା ସମାବେଶ କରିଥିଲେ ମଧ୍ୟ ସେଥିରେ କେବଳ ତାଙ୍କ ନିର୍ବାଚନମଣ୍ଡଳୀର ଲୋକମାନେ ସାମିଲ ହୋଇଥିଲେ।ଦଳର ରାଜ୍ୟ କିମ୍ବା ଜିଲ୍ଲାସ୍ତରର କୌଣସି ନେତାଙ୍କୁ ସେଠାରେ ଦେଖିବାକୁ ମିଳିନଥିଲା।
ନବୀନ ନିବାସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବିଷ୍ଣୁଙ୍କ ଏଭଳି ମତିଗତି ଉପରେ ଦଳୀୟ ସୁପ୍ରିମୋ କଡ଼ା ନଜର ରଖିଥିବାବେଳେ ନିର୍ବାଚନ ପୂର୍ବରୁ ତାଙ୍କୁ ଜିଲ୍ଲା ସଂଗଠନରେ ସମ୍ପୂର୍ଣ୍ଣ ଅଲୋଡ଼ା କରିବା ପାଇ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି।ପ୍ରଶାନ୍ତଙ୍କ ଉପରେ ଜିଲ୍ଲା ସଂଗଠନର ସମସ୍ତ ଦାୟିତ୍ୱ ନ୍ୟସ୍ତ କରି ବିଷ୍ଣୁଙ୍କ ଉପରେ ଲଗାମ ଦେବାକୁ ଯୋଜନା ହୋଇଥିବା ଆବଶ୍ୟକ ପଡ଼ିଲେ ତାଙ୍କ ବିରୋଧରେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବାର ସମ୍ଭାବନା ରହିଛି।


