ନୂଆଦିଲ୍ଲୀ:ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଢେଙ୍କାନାଳର କମଳାଙ୍ଗ ଗାଁ ନିକଟରେ ୭ଟି ହାତୀ ପ୍ରାଣ ହରାଇବା ଘଟଣାର ତଦନ୍ତ ପାଇଁ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ(ଏନଜିଟି)ଏକ କମିଟି ଗଠନ କରିଛନ୍ତି।ଏନଜିଟି ଅଧ୍ୟକ୍ଷ ଜଷ୍ଟିସ ଆଦର୍ଶ କୁମାର ଗୋଏଲଙ୍କ ଖଣ୍ଡପୀଠଙ୍କ ନିର୍ଦ୍ଦେଶରେ ଗଠିତ କମିଟିରେ ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟର ପ୍ରତିନିଧି, ଡେରାଡୁନସ୍ଥିତ ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନର ପ୍ରତିନିଧି, ହାତୀ ପ୍ରୋଜେକ୍ଟର ନିର୍ଦ୍ଦେଶକ ଓ ମୁଖ୍ୟ ବନ୍ୟପ୍ରାଣୀ ୱାର୍ଡେନ(ଓଡ଼ିଶା) ସଦସ୍ୟ ରହିବେ।
କେଉଁ ପରିସ୍ଥିତିରେ ହାତୀଙ୍କ ମୃତ୍ୟୁ ହେଲା ଓ ଭବିଷ୍ୟତରେ ଏହାକୁ କିଭଳି ଏଡ଼ାଇ ହେବ ତା’ର ଅନୁଧ୍ୟାନ କରି ରିପୋର୍ଟ ଦେବେ।ଦୁଇ ସପ୍ତାହ ମଧ୍ୟରେ ଏହି ଟିମ୍ ଘଟଣାସ୍ଥଳକୁ ଯାଇ ଆବଶ୍ୟକ ତଦନ୍ତ କରିବ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।ଏହି ସୁପାରିସକୁ ଆଧାର କରି ସମଗ୍ର ଦେଶରେ ବନ୍ୟପ୍ରାଣୀ ଚଳପ୍ରଚଳ କରୁଥିବା ଅଂଚଳରେ ଆବଶ୍ୟକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଏନଜିଟି କହିଛନ୍ତି।ଏହି ଟିମର ସଂଯୋଜକ ଭାବେ ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟର ପ୍ରତିନିଧି କାର୍ଯ୍ୟ କରିବେ।
ସୂଚନାଯୋଗ୍ୟ, ଏନଜିଟି ପୂର୍ବରୁ ତାଙ୍କ ନିର୍ଦ୍ଦେଶରେ ସପ୍ତାହକ ମଧ୍ୟରେ ମୁଖ୍ୟ ବନ୍ୟପ୍ରାଣୀ ୱାର୍ଡେନଙ୍କ ପାଖରେ ୧କୋଟି ଟଙ୍କା ଦାଖଲ କରିବାକୁ ସେସୁ(ବିଦ୍ୟୁତ କମ୍ପାନୀ)କୁ ନିର୍ଦ୍ଦେଶ ଦେଇଥିଲେ।ଅକ୍ଟୋବର ୨୭ ତାରିଖରେ ଢେଙ୍କାନାଳର କମଳାଙ୍ଗରେ ବିଦ୍ୟୁତ ଆଘାତରେ ୭ଟି ହାତୀ ପ୍ରାଣ ହରାଇଥିଲେ।


