ଭୁବନେଶ୍ୱର(ଓଡ଼ିଶା ୱେୟାର): ନୟାଗଡ଼ର ୫ବର୍ଷୀୟା ଝିଅ ପରୀ ହତ୍ୟା ମାମଲାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଥିବାବେଳେ ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଏ. ଚେଲାକୁମାର ଆସନ୍ତା ୫ତାରିଖରେ ପରୀର ପରିବାରବର୍ଗଙ୍କୁ ଭେଟିବେ ବୋଲି ଜଣାପଡ଼ିଛି । ପରୀକୁ ନ୍ୟାୟ ଦେବା ଦାବିରେ ବିଜେପି ପକ୍ଷରୁ ସିବିଆଇ ତଦନ୍ତ ଦାବି ସହ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରାଯାଉଥିବାବେଳେ କଂଗ୍ରେସ ପ୍ରଭାରୀ ଚେଲାକୁମାରଙ୍କ ଗସ୍ତ ରାଜନୀତିକୁ ଆହୁରି ସରଗରମ କରିବାର ଆଶଙ୍କା ହେଉଛି ।
ମିଳିଥିବା ସୂଚନା ଅନୁସାରେ କଂଗ୍ରେସ ପ୍ରଭାରୀ ସାଂସଦ ଚେଲାକୁମାର ଆସନ୍ତା ୪ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ସେ ୪ତାରିଖ ପୂର୍ବାହ୍ନ ୧୧ଟାରେ କଂଗ୍ରେସ ଭବନରେ କଂଗ୍ରେସ ବିଧାୟକ ଦଳ ବୈଠକରେ ଯୋଗଦେବେ । ସେହିଦିନ ୪ଟାରେ କଂଗ୍ରେସର ସାଂଗଠନିକ ସ୍ଥିତି ନେଇ ବରିଷ୍ଠ ନେତୃବୃନ୍ଦଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ୫ତାରିଖରେ ନୟାଗଡ଼ ଗସ୍ତ କରି ମୃତ ପରୀର ପରିବାରକୁ ଭେଟିବେ । ନୟାଗଡ଼ରୁ ଫେରି ଅପରାହ୍ନ ୩ଟାରେ ଭୁବନେଶ୍ୱରରେ ପିସିସି ପର୍ଯ୍ୟବେକ୍ଷକ ଓ ଜିଲ୍ଲା ସଭାପତିମାନଙ୍କର ଏକ ବୈଠକରେ ଯୋଗ ଦେବେ ବୋଲି ପିସିସି ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ, ବିଜେପି ବିଧାୟକଙ୍କର ଏକ ପ୍ରତିନିଧି ମଣ୍ଡଳୀ ଗତ ଦୁଇଦିନ ତଳେ ପରୀର ପରିବାର ସଦସ୍ୟଙ୍କୁ ଭେଟିଛନ୍ତି ।


