ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟ ସରକାର ଫେବୃୟାରୀ ମାସ ପାଇଁ କୋଭିଡ୍ କଟକଣା ଗାଇଡଲାଇନ ଜାରି କରିବାପରେ ଆସନ୍ତା ପହିଲାରୁ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବା ନିମନ୍ତେ ରାଜ୍ୟ ମହିଳା ଓ ଶିଶୁବିକାଶ ବିଭାଗ ଆଜି ସମସ୍ତ ଜିଲ୍ଲାପାଳଙ୍କୁ ଏସଓପି ଜାରି କରିଛନ୍ତି । ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ମାସକୁ ୨୫ଦିନ ପାଇଁ ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ଖୋଲିବ । ଏହି କେନ୍ଦ୍ରରେ ୩ରୁ ୬ବର୍ଷ ବୟସର ପିଲାମାନଙ୍କୁ ରନ୍ଧା ଖାଦ୍ୟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ରାଜ୍ୟ ମହିଳା ଓ ଶିଶୁବିକାଶ ବିଭାଗ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ ଆଜି ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଫେବୃୟାରୀ ପହିଲାରୁ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ଖୋଲିବା ନିମନ୍ତେ ଆବଶ୍ୟକ ଏସଓପି ଜାରି କରିଛନ୍ତି । ଜିଲ୍ଲାର ଆଇସିଡିଏସ(ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟକ୍ରମ) ଅଧିକାରୀଙ୍କୁ ଏହି ଏସଓପିକୁ କଡ଼ାକଡ଼ି ଭାବେ ପାଳନ ନିମନ୍ତେ ଜିଲ୍ଲାପାଳମାନେ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ କହିଛନ୍ତି ।
ଏସଓପି ଅନୁସାରେ, ଅଙ୍ଗନବାଡ଼ି ଦିଦି ଓ ସହାୟିକାଙ୍କ ସମେତ ସମସ୍ତ ପିଲା(୩ରୁ ୬ବର୍ଷ ବୟସର) ଯେପର୍ଯ୍ୟନ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ରହିବେ ନିଶ୍ଚିତ ଭାବେ ମୁହଁରେ ମାସ୍କ ପିନ୍ଧିବେ । ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାମାନଙ୍କୁ ୬ଫୁଟ ଦୂରତ୍ୱରେ ବସାଇବା ପାଇଁ ବ୍ୟବସ୍ଥା ରହିବ । ପିଲାମାନେ ଅଙ୍ଗନବାଡ଼ି କେନ୍ଦ୍ରକୁ ଆସିଲେ ‘ଆଜି ମୋ ଜନ୍ମଦିନ’ ଗୀତ ଗାଇବା ଶୈଳୀରେ ସେମାନଙ୍କୁ ୨୦ସେକେଣ୍ଡ ପର୍ଯ୍ୟନ୍ତ ହାତ ଧୋଇବା ପାଇଁ ପ୍ରୋତ୍ସାହିତ କରିବା ନିମନ୍ତେ ପଦକ୍ଷେପ ନେବାକୁ କୁହାଯାଇଛି । ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ କୋଭିଡ୍ ଗାଇଡଲାଇନ ପାଳନ କରାଯିବ । ଅଙ୍ଗନବାଡ଼ି କେନ୍ଦ୍ର ଭିତରକୁ କୌଣସି ବାହାର ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ । ଆବଶ୍ୟକ ପଡ଼ିଲେ ଦୁଇଟି ବ୍ୟାଚ୍ ପିଲାମାନଙ୍କୁ କେନ୍ଦ୍ରକୁ ଆଣିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଅଙ୍ଗନବାଡ଼ି କେନ୍ଦ୍ର ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ଖୋଲିବ । ପ୍ରତିମାସରେ ସର୍ବାଧିକ ୨୫ଦିନ କେନ୍ଦ୍ର ଖୋଲିବ । ଏହି ସମୟରେ ସମସ୍ତ ପିଲାଙ୍କୁ ଗରମ ରନ୍ଧା ଖାଦ୍ୟ ଦିଆଯିବ । ଏହି ଖାଦ୍ୟ ପ୍ରସ୍ତୁତି ସମୟରେ ସମ୍ପୂର୍ଣ୍ଣ ପରିଚ୍ଛନ୍ନତା ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ପିଲାମାନଙ୍କ ଦେହରେ କୌଣସି ଫ୍ଲୁ’ର ଲକ୍ଷଣ ଥିବ ସେମାନଙ୍କୁ ଅଙ୍ଗନବାଡ଼ି କେନ୍ଦ୍ରକୁ ଆସିବାକୁ ଅନୁମତି ମିଳିବ ନାହିଁ । କଣ୍ଟେନମେଣ୍ଟ ଜୋନ୍ ଥିବା ଅଂଚଳରେ ଥିବା ପିଲା କିମ୍ବା ଫ୍ଲୁ’ ଲକ୍ଷଣ ଥିବା ପିଲାଙ୍କୁ ସେମାନଙ୍କ ଘରେ ରାସନ୍ ଦିଆଯିବ । ତା’ଛଡ଼ା ଗର୍ଭବତୀ ମହିଳା, ୬୫ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ମଧ୍ୟ ଅଙ୍ଗନବାଡ଼ି କେନ୍ଦ୍ରକୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ । ୬ମାସରୁ ୩ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁ, ଗର୍ଭବତୀ ଓ ପ୍ରସୂତୀ ମହିଳାଙ୍କୁ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଖାଦ୍ୟସାମଗ୍ରୀ ସେମାନଙ୍କ ଘରେ ଉପଲବ୍ଧ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାଙ୍କ ଟୀକାକରଣ, ସ୍ୱାସ୍ଥ୍ୟ ପରୀକ୍ଷା, ପୃଷ୍ଟିକର ଆହାର ପ୍ରଦାନ ଭଳି କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦିଆଯାଇଛି ।


