ଭୁବନେଶ୍ୱର(ଓଡ଼ିଶା ୱେୟାର):ରାଜ୍ୟରେ ସୂଚନା ଅଧିକାର ଆଇନ ଓ ଲୋକସେବା ଅଧିକାର ଆଇନକୁ ସଠିକ୍ ଭାବେ କାର୍ଯ୍ୟକାରୀ କରିବା ଦିଗରେ ବିଶେଷ ଗୁରୁତ୍ୱ ଦେଉନଥିବା ରାଜ୍ୟ ସରକାର ଏବେ ‘ମୋ ସେବା କେନ୍ଦ୍ର’ର ଭେଳିକି ଆରମ୍ଭ କରିଛନ୍ତି । ଆଜି ପଂଚାୟତିରାଜ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବ୍ୟାପୀ ୩ହଜାର ମୋ ସେବା କେନ୍ଦ୍ରକୁ ଲୋକାର୍ପିତ କରିଥିବାବେଳେ ଆଗାମୀ ଦିନରେ ରାଜ୍ୟର ସବୁ ପଂଚାୟତରେ ଗୋଟିଏ ଲେଖାଏଁ ଏହି କେନ୍ଦ୍ର ଖୋଲିବ ବୋଲି ଘୋଷଣା କରିଛନ୍ତି । ଏହା ଦ୍ୱାରା ୮ହଜାର ଯୁବକଯୁବତୀଙ୍କୁ ଆତ୍ମନିଯୁକ୍ତି ସୁଯୋଗ ମିଳିବ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ହଜାରରୁ ଅଧିକ ‘ମୋ ସେବା କେନ୍ଦ୍ର’ ଏବଂ ଓଡ଼ିଶାୱାନ୍ ପୋର୍ଟାଲକୁ ଲୋକାର୍ପିତ କରି କହିଛନ୍ତି ଯେ, ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିବସକୁ ରାଜ୍ୟ ସରକାର ପଂଚାୟତିରାଜ ଓ ଲୋକସେବା ଦିବସ ଭାବେ ପାଳନ କରୁଛନ୍ତି । ସେବା ଓ ସମ୍ମାନ ହେଉଛି ତାଙ୍କ ସରକାରର ମୂଳମନ୍ତ୍ର । ଗଣତନ୍ତ୍ରରେ ଲୋକ ହେଉଛନ୍ତି ମାଲିକ । ସେମାନଙ୍କୁ ସଶକ୍ତ କରିବା ଓ ସମ୍ମାନର ସହ ସେବା ଯୋଗାଇ ଦେଇ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ଏହି ଲକ୍ଷ୍ୟ ନେଇ ‘ଫାଇଭ-ଟି ଓ ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ସାଧାରଣ ଲୋକ ଯେପରି ସୁବିଧାରେ ଓ ସହଜରେ ବିଭିନ୍ନ ସରକାରୀ ସେବା ପାଇପାରିବେ ତା’ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ବିଜୁବାବୁ ଚାହୁଁଥିଲେ, ଟେକ୍ନୋଲୋଜିର ସୁବିଧା ଗାଁ ଗାଁରେ ପହଂଚୁ,ବିଜ୍ଞାନର ସୁଫଳ ସାଧାରଣ ଲୋକର ସେବାରେ ଉପଯୋଗ ହେଉ ତା’ର ଜୀବନଧାରଣ ମାନରେ ଉନ୍ନତି ଆସୁ । ସେ ଦିଗରେ ‘ମୋ ସେବାକେନ୍ଦ୍ର’ ଏକ ବଳିଷ୍ଠ ପଦକ୍ଷେପ । ସାଧାରଣ ଲୋକେ ନିଜ ଘର ପାଖରେ ବିଭିନ୍ନ ପ୍ରକାରର ସରକାରୀ ସୁବିଧା ପାଇପାରିବେ ଓ ସେମାନଙ୍କୁ ଆଉ ବାରମ୍ବାର ଅଫିସ ଯିବାର ଆବଶ୍ୟକତା ରହିବ ନାହିଁ । କମ୍ପ୍ୟୁଟର ଜାଣିଥିବା ଲୋକମାନେ ଓଡ଼ିଶାୱାନ ପୋର୍ଟାଲ ମାଧ୍ୟମରେ ସେବା ପାଇପାରିବେ । ଏହି ଦୁଇ କାର୍ଯ୍ୟକ୍ରମ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ତଥା ସେବାର ଗୁଣାତ୍ମକ ମାନ ତଦାରଖ କରିବା ପାଇଁ ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ, ରାଜ୍ୟରେ ୨୦୧୨ ମସିହାରୁ ଲୋକସେବା ଅଧିକାର ଆଇନ କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ସରକାରୀସ୍ତରରେ ତା’ର ନିୟମିତ ସମୀକ୍ଷା ହେଉନଥିବାରୁ ଲୋକମାନଙ୍କୁ ନିର୍ଦ୍ଦିଷ୍ଟ ଅବଧି ମଧ୍ୟରେ ସେବା ମିଳିବା ସମ୍ଭବପର ହୋଇପାରୁନି । ସରକାର ଏହି ଆଇନର କାର୍ଯ୍ୟକାରିତାକୁ ନେଇ ମଧ୍ୟ ସମ୍ପୂର୍ଣ୍ଣ ଚୁପ୍ ରହିଛନ୍ତି ।


