ଭୁବନେଶ୍ୱର : ଓଡ଼ିଶା, କୋଣାର୍କ ମନ୍ଦିର, ଜଗନ୍ନାଥ ମନ୍ଦିର ଓ ବିଧାୟକଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇ ଆଜି ଗିରଫ ହୋଇଥିବା ଦିଲ୍ଲୀର ସାମ୍ବାଦିକ ଅଭିଜିତ୍ ଆୟର ମିତ୍ର ନୂଆ ଠିକଣା ଝାରପଡ଼ା ଜେଲ୍ ପାଲଟିଛି।ଶ୍ରୀ ଆୟରଙ୍କୁ କମିଶନରେଟ ପୁଲିସ ଆଜି ଗିରଫ କରବା ପରେ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ହାଜର କରିଥିଲା ।ତେବେ କୋର୍ଟ ତାଙ୍କୁ ୧୪ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇବା ପରେ କଡ଼ା ସୁରକ୍ଷା ମଧ୍ୟରେ ତାଙ୍କୁ ଝାରପଡ଼ା ଜେଲକୁ ସ୍ଥାନାନ୍ତର କରାଯାଇଛି ।
ଓଡ଼ିଶାର ଐତିହ୍ୟ ଓ ସଂସ୍କୃତି ସମ୍ପର୍କରେ ଅଶାଳୀନ ମନ୍ତବ୍ୟ ଦେବା ଅଭିଯୋଗରେ ଶହୀଦ ନଗର ଥାନାରେ ତାଙ୍କ ନାଁରେ ସେପ୍ଟେମ୍ବର ୨୦ ତାରିଖରେ ରୁଜୁ ହୋଇଥିବା ମାମଲାରେ ପୁଲିସର ୪ଜଣିଆ ଟିମ୍ ତାଙ୍କୁ ଜେରା କରିବା ପରେ ସନ୍ଧ୍ୟାରେ ସ୍ଥାନୀୟ ଏସଡିଜେଏମ୍ କୋର୍ଟରେ ହାଜର କରିଥିଲା । କୋର୍ଟ ତାଙ୍କୁ ୧୪ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ତାଙ୍କ ବିରୁଦ୍ଧରେ ଶହୀଦ ନଗର ଥାନାରେ ଆଇପିସିର ଧାରା ୨୯୪, ୨୯୫-କ, ୧୫୩-କ, ୫୦୦, ୫୦୬ ଓ ଆଇଟି ଆକ୍ଟର ଧାରା-୬୭ ଅନ୍ତର୍ଗତ ମାମଲା ରୁଜୁ ହୋଇଥିଲା । ଶ୍ରୀ ଆୟରଙ୍କୁ ୭ଦିନିଆ ରିମାଣ୍ଡରେ ନେବା ପାଇଁ କୋଣାର୍କ ପୁଲିସ କୋର୍ଟରେ ଆବେଦନ କରିଥିଲା । ତେବେ ଏହାଉପରେ କୋର୍ଟ ପରେ ବିଚାର କରିବେ ।
ସୂଚନାଯୋଗ୍ୟ ଶ୍ରୀ ଆୟର ଆଜି ସକାଳେ ବିଧାନସଭା ଗୃହ କମିଟି ଆଗରେ ହାଜର ହୋଇ ପୂର୍ବରୁ ସୋଶାଲ ମିଡିଆରେ ସେ ଦେଇଥିବା ମନ୍ତବ୍ୟ ପାଇଁ ଦୁଃଖ ପ୍ରକାଶ କରିବା ସହ ଏହା ତାଙ୍କର ନିର୍ବୋଧତା ବୋଲି କହିଥିଲେ । ତେବେ ଗୃହ କମିଟି ଆଜି ତାଙ୍କୁ ପ୍ରାୟ ଅଢ଼େଇ ଘଂଟା ଧରି ତାଙ୍କୁ ବିଭିନ୍ନ ପ୍ରଶ୍ନ କରିବା ପରେ ପୁଣିଥରେ ନଭେମ୍ବର ୨ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସତ୍ୟପାଠ ଆକାରରେ ଶ୍ରୀ ଆୟର ନିଜର ପକ୍ଷ ରଖିବା ପରେ ଗୃହ କମିଟି ତା’ର ଚୂଡ଼ାନ୍ତ ନିଷ୍ପତି ନେବ ବୋଲି ଜଣାପଡ଼ିଛି । ଗୃହ କମିଟି ଆଗରେ ନିଜର ପକ୍ଷ ରଖିବା ପରେ କମିଶନରେଟ ପୁଲିସ ତାଙ୍କୁ ଗିରଫ କରିଥିଲା ।
ଉଲ୍ଲେଖଯୋଗ୍ୟ ଓଡ଼ିଶା, କୋଣାର୍କ ଓ ଜଗନ୍ନାଥ ମନ୍ଦିର ଏବଂ ବିଧାୟକମାନଙ୍କ ସମ୍ପର୍କରେ ଅଶାଳୀନ ମନ୍ତବ୍ୟ ଦେଇ ଶ୍ରୀ ଆୟର ବିବାଦୀୟ ହୋଇପଡ଼ିଥିଲେ । ତାଙ୍କ ବିରୁଦ୍ଧରେ ଶହୀଦ ନଗର ଥାନା ଓ କୋଣାର୍କ ଥାନାରେ ମାମଲା ରୁଜୁ ହୋଇଛି । ସେ ପୂର୍ବରୁ ଇ-ମେଲ୍ ପଠାଇ ଏଭଳି ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରିଥିଲେ ଓ ୨୩ ତାରିଖରେ ଗୃହ କମିଟି ଆଗରେ ହାଜର ହେବେ ବୋଲି ସୂଚନା ଦେଇଥିଲେ ।
କଡ଼ା ସୁରକ୍ଷା ବଳୟ ମଧ୍ୟରେ ଆଜି ଦିନ ପ୍ରାୟ ୧୧ଟା ୫ମିନିଟରେ ପୁଲିସ ଶ୍ରୀ ଆୟରଙ୍କୁ ବିଧାନସଭାର ୫୪ନମ୍ବର ପ୍ରକୋଷ୍ଠରେ ହାଜର କରାଇଥିଲା । କମିଟିର ଅଧ୍ୟକ୍ଷ ଶ୍ରୀ ମିଶ୍ର ଥିବାବେଳେ ସଦସ୍ୟ ଭାବେ ସଞ୍ଜୟ ଦାସବର୍ମା, ଅରୁଣ ସାହୁ, ପ୍ରମିଳା ମଲ୍ଲିକ, ଦେବୀ ପ୍ରସାଦ ମିଶ୍ର ଓ କନକବର୍ଦ୍ଧନ ସିଂହଦେଓ ରହିଛନ୍ତି ।
ସୂଚନାଯୋଗ୍ୟ, ଚଳିତମାସ ୫ତାରିଖରେ ସୁପ୍ରିମକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିବାକୁ ମନା କରିଦେଇଥିଲେ । ସେ ଧାର୍ମିକ ଭାବନାକୁ ଉସକାଇଥିବା ଯୋଗୁ ମୁଖ୍ୟ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗେଇ ତାଙ୍କର ଜାମିନ ଆବେଦନକୁ ଖାରଜ କରିଦେଇଥିଲେ ।


