ଭୁବନେଶ୍ୱର: ରାଜ୍ୟରେ ଭୟାବହ ‘ତିତଲି’ ରିଲିଫ୍ ଓ ପୁର୍ନବାସ ପାଇଁ ତୁରନ୍ତ ୧୦୦୦କୋଟି ଟଙ୍କାର ମଧ୍ୟବର୍ତୀ ସହାୟତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ।


ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ, ସାମୁଦ୍ରିକ ଝଡ଼ ‘ତିତଲି’ ଅକ୍ଟୋବର ୧୧ତାରିଖରେ ପଲାସା ନିକଟରେ ଉପକୂଳରେ ମାଡ଼ ହେବାପରେ ରାଜ୍ୟର ୧୭ଟି ଜିଲ୍ଲାରେ କ୍ଷୟକ୍ଷତି ହୋଇଛି । ତେବେ ସର୍ବାଧିକ କ୍ଷତି ଗଞ୍ଜାମ ଓ ଗଜପତି ଜିଲ୍ଲାରେ ହୋଇଛି । ଏହି ବାତ୍ୟାରେ ୬୦.୧୧ ଲକ୍ଷ ଲୋକ ପ୍ରଭାବିତ ହୋଇଥିବାବେଳେ ୫୭,୧୩୧ଟି ବାସଘର ଭାଙ୍ଗିଛି । ୨.୭୩ଲକ୍ଷ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଛି । ୫୭ଜଣ ପ୍ରାଣ ହରାଇଥିବାବେଳେ ୧୦ଜଣ ଏବେ ବି ନିଖୋଜ ଅଛନ୍ତି । ପ୍ରାଥମିକ ଆକଳନରୁ ଜଣାପଡ଼ିଛି ଯେ ବାତ୍ୟାରେ ୨୭୭୦.୨୮କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି । ତେବେ ଏନଡିଆରଏଫରୁ ଓଡ଼ିଶାକୁ ୨୦୧୪.୦୯ କୋଟି ଟଙ୍କାର ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି । ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି(ଏସଡିଆରଏଫ)ରେ ଥିବା ଅର୍ଥ ବାଦ ଏହି ସହାୟତା ଦେବାକୁ ଶ୍ରୀ ପଟ୍ଟନାୟକ ଲେଖିଛନ୍ତି ।
ସର୍ବାଧିକ କ୍ଷତିଗ୍ରସ୍ତ ଗଜପତି ଓ ଗଞ୍ଜାମରେ ରିଲିଫ୍ ଓ ପୁନର୍ବାସ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ତୁରନ୍ତ ୧୦୦୦କୋଟି ଟଙ୍କା ମଧ୍ୟବର୍ତୀକାଳୀନ ସହାୟତା ମଞ୍ଜୁର କରିବାକୁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି । ଏହାସହିତ ନଷ୍ଟ ହୋଇଥିବା ୫୭,୧୩୧ଟି ବାସଘରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ତୁରନ୍ତ ଆବଂଟନ ପାଇଁ ଲେଖିଛନ୍ତି ।


