ଭୁବନେଶ୍ୱର(ଓଡ଼ିଶା ୱେୟାର):୧୯୯୪ ବ୍ୟାଚ୍ ଓଡ଼ିଶା କ୍ୟାଡ଼ରର ପୂର୍ବତନ ଆଇଏଏସ ଅଶ୍ୱିନୀ ବୈଷ୍ଣବ କେଉଁ ଦଳର ପ୍ରାର୍ଥୀ ତାକୁ ନେଇ ସଂଶୟ ଲାଗି ରହିଥିବାବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ପଷ୍ଟୀକରଣ ଦେଇଛନ୍ତି । ଶ୍ରୀ ବୈଷ୍ଣବ ବିଜେପି ପ୍ରାର୍ଥୀ ଓ ବିଜେଡି ତାଙ୍କୁ ସମର୍ଥନ କରିବ। ଶ୍ରୀ ବୈଷ୍ଣବଙ୍କ ପ୍ରାର୍ଥୀତ୍ୱ ଓ ସମର୍ଥନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ତାଙ୍କ ସହ କଥା ହୋଇଥିଲେ। ସୂଚନାଯୋଗ୍ୟ, ଶ୍ରୀ ବୈଷ୍ଣବ ବିଜେଡିର ରାଜ୍ୟସଭା ପ୍ରାର୍ଥୀ ବୋଲି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବାର ୩୦ମିନିଟ ପୂର୍ବରୁ ତାଙ୍କୁ ବିଜେପି ନିଜର ପ୍ରାର୍ଥୀ ବୋଲି ଟ୍ୱିଟର ମାଧ୍ୟମରେ ସୂଚନା ଦେଇଥିଲା। ବିଜେପିର ଟ୍ୱିଟର ଓ ନବୀନଙ୍କ ଘୋଷଣା ମଧ୍ୟରେ ତାଳମେଳ ନଥିବାରୁ ଶ୍ରୀ ବୈଷ୍ଣବ ବାସ୍ତବରେ କେଉଁ ଦଳର ରାଜ୍ୟସଭା ପ୍ରାର୍ଥୀ ତାକୁ ନେଇ ସଂଶୟ ଲାଗି ରହିଥିଲା। ଯାହାକୁ ନେଇ ଗଣମାଧ୍ୟମରେ ସଂଶୟ ଲାଗିବା ପରେ ନବୀନ ପୁଣିଥରେ ସଫେଇ ଦେଇଥିଲେ। ନବୀନଙ୍କ ଏଭଳି ସ୍ପଷ୍ଟୀକରଣ ଓ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ ପରେ ବିଜେଡି ପୁଣିଥରେ ବିଜେପି ଆଡ଼କୁ ଢ଼ଳୁଥିବା ସ୍ପଷ୍ଟ ହୋଇଛି।


