ରାଜ୍ୟର ବିଧାୟକ, ମନ୍ତ୍ରୀ ଓ ପୂର୍ବତନ ବିଧାୟକମାନେ ଏଣିକି ମାଲାମାଲ୍ ହେବେ । ସେମାନଙ୍କ ଦରମା-ଭତ୍ତା ଓ ପେନସନରେ ପ୍ରାୟ ସାଢେ଼ ୩ ଗୁଣ ବୃଦ୍ଧି ହୋଇଛି । ଆଜି ବିଧାନସଭାରେ ଏ ସଂକ୍ରାନ୍ତ ୩ଟି ବିଲକୁ ସରକାର ଉପସ୍ଥାପନ କରିବାର ମାତ୍ର କିଛି ସମୟ ମଧ୍ୟରେ ପାରିତ କରାଇ ନେଇଥିବାରୁ ବିଧାନସଭା ସଦସ୍ୟମାନଙ୍କ ଆର୍ଥିକ ସୁବିଧାରେ ବ୍ୟାପକ ପରିବର୍ତ୍ତନ ଆସିବ । ଦୀର୍ଘ ପ୍ରାୟ ୮ବର୍ଷ ପରେ ବିଧାୟକମାନଙ୍କ ଏହି ଦରମା ଓ ଭତ୍ତା ବୃଦ୍ଧି ରାଜ୍ୟ ଇତିହାସରେ ସର୍ବାଧିକ ବୋଲି କୁହାଯାଉଛି । ଏହି ବର୍ଦ୍ଧିତ ଦରମା ଓ ପେନସନ୍ ପିଛିଲା ଭାବେ ୨୦୨୪ ମସିହା ଜୁନ୍ ୫ ତାରିଖରୁ ଲାଗୁ ହେବ । ରାଜ୍ୟପାଳଙ୍କ ଅନୁମୋଦନ ପରେ ଏହି ବିଲ୍ କାର୍ଯ୍ୟକାରୀ ହେବ ।
୮ବର୍ଷ ପରେ ବଢ଼ିବ ସାଢେ଼ ୩ଗୁଣ ବିଧାୟକଙ୍କ ଦରମା
ବିଧାୟକମାନେ ଏବେ ପାଉଥିବା ଦରମା ଓ ଭତ୍ତା ତୁଳନାରେ ଆଜି ପାରିତ ବିଲ୍ ଆଧାରରେ ପ୍ରାୟ ଅଢେ଼ଇ ଗୁଣ ଅଧିକ ଦରମା ଓ ଭତ୍ତା ପାଇବେ । ଶେଷଥର ପାଇଁ ବିଧାୟକମାନଙ୍କ ଦରମା ୨୦୧୭ ମସିହାରେ ସଂଶୋଧିତ ହୋଇଥିଲା । ୨୦୧୭ ମସିହା ସଂଶୋଧନ ଅନୁସାରେ ବିଧାୟକମାନଙ୍କ ଦରମା ୩୫ହଜାର ଟଙ୍କା ଓ ଅନ୍ୟାନ୍ୟ ଭତ୍ତା ବାବଦରେ ୫୭ହଜାର ଟଙ୍କାକୁ ମିଶାଇ ମୋଟ ୯୨ହଜାର ଟଙ୍କା ଦରମା ରହିଛି । ଏହାବାଦ୍ ଗସ୍ତ ଖର୍ଚ୍ଚ ଓ ଦୈନିକ ଭତ୍ତାକୁ ମିଶାଇ ସେମାନେ ମାସିକ ପ୍ରାୟ ଏବେ ୯୮ହଜାରରୁ ୧ଲକ୍ଷ ଟଙ୍କା ପାଉଛନ୍ତି ।
ବିଧାୟକମାନଙ୍କର ମାସିକ ଚିକିତ୍ସା ଭତ୍ତାକୁ ୫ହଜାର ଟଙ୍କାରୁ ୩୫ହଜାର ଟଙ୍କା, ନିର୍ବାଚନ ମଣ୍ଡଳୀ ଭତ୍ତ ୨୦ହଜାର ଟଙ୍କାରୁ ୭୫ହଜାର ଟଙ୍କା, କନଭେନାନ୍ସ ଭତ୍ତା ୫୦ହଜାର ଟଙ୍କା, ଫିକ୍ସଡ୍ ଗସ୍ତ ଖର୍ଚ୍ଚ ୧୫ହଜାରରୁ ୫୦ହଜାର ଟଙ୍କା, ପୁସ୍ତକ ଓ ପତ୍ରପତ୍ରିକା ଖର୍ଚ୍ଚ ୧୦ହଜାର ଟଙ୍କା, ଇଲେକ୍ଟ୍ରିସିଟି ଭତ୍ତା ୨୦ହଜାର ଟଙ୍କା, ଟେଲିଫୋନ୍ ଭତ୍ତା ୧୫ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଗାଡି କିଣିବା ପାଇଁ ଅଗ୍ରୀମ ରାଶିକୁ ୫ ଲକ୍ଷରୁ ବଢାଇ ୧୦ ଲକ୍ଷ ଟଙ୍କା କରାଯାଇଛି ।
ଏହି ସଂଶୋଧନରେ ପରେ ବିଧାୟକମାନଙ୍କ ମୂଳ ଦରମା ୯୦ହଜାର ଟଙ୍କା ଓ ଅନ୍ୟାନ୍ୟ ଭତ୍ତା ବାବଦରେ ୨.୫୫ଲକ୍ଷକୁ ମିଶାଇଲେ ସେମାନେ ମୋଟ ନିଶ୍ଚିତ ଭାବେ ୩.୪୫ଲକ୍ଷ ଟଙ୍କା ପାଇବେ । ଯାହାକି ପ୍ରାୟ ୨୪୫% ବୃଦ୍ଧି ବୋଲି କୁହାଯାଉଛି । ଏହାବାଦ୍ ଗସ୍ତ ଖର୍ଚ୍ଚ ଓ ଦୈନିକ ଭତ୍ତା(ସିଟିଂ ଆଲାଉନ୍ସ) ମିଳିବ ।
ମୁଖ୍ୟମନ୍ତ୍ରୀଙ୍କ ଦରମା ୩.୭୪ଲକ୍ଷ ଟଙ୍କାକୁ ବୃଦ୍ଧି
ମୁଖ୍ୟମନ୍ତ୍ରୀଙ୍କ ମୂଳ ଦରମା ୪୧ହଜାରରୁ ବଢି ୧ ଲକ୍ଷ ଟଙ୍କା ହୋଇଛି । ଏହାସହିତ କାର ଆଲାଉନ୍ସ ବାବଦରେ ୯୧ହଜାର ଟଙ୍କା, ସତ୍କାର ଭତ୍ତା ବାଦରେ ୧.୮୩ଲକ୍ଷ ଟଙ୍କା ପାଇବେ । ଫଳରେ ମୁଖ୍ୟମନ୍ତ୍ରୀ ନିଶ୍ଚିତ ଭାବେ ମାସିକ ଦରମା ଓ ଭତ୍ତା ବାବଦରେ ପ୍ରାୟ ୩.୭୪ଲକ୍ଷ ଟଙ୍କା ପାଇବେ । ଏହାବାଦ ସେ ସିଟିଂ ଆଲାଉନ୍ସ ବାବଦରେ ଦିନକୁ ୨ହଜାର ଟଙ୍କା ଓ ରହିବା ବାବଦରେ ଦିନକୁ ୨ହଜାର ଟଙ୍କା ପାଇବେ । ସେହିପରି କ୍ୟାବିନେଟ୍ ମନ୍ତ୍ରୀମାନଙ୍କ ମୂଳ ଦରମା ୯୬ହଜାର ଟଙ୍କା, କାର ଆଲାଉନ୍ସ ୮୭ହଜାର ଟଙ୍କା ଓ ସତ୍କାର ଭତ୍ତା ୧.୭୯ଲକ୍ଷ ଟଙ୍କାକୁ ମିଶାଇଲେ ନିଶ୍ଚିତ ୩.୬୨ଲକ୍ଷ ଟଙ୍କା ଦରମା ଓ ଭତ୍ତା ପାଇବେ । ସେହିପରି ରାଷ୍ଟ୍ରମନ୍ତ୍ରୀଙ୍କ ଦରମା ୯୪ହଜାର ଟଙ୍କା, କାର ଆଲାଉନ୍ସ ୮୭ହଜାର ଟଙ୍କା ଓ ସତ୍କାର ଭତ୍ତା ୧.୭୯ ଟଙ୍କାକୁ ମିଶାଇଲେ ମୋଟ୍ ଦରମା ୩.୬୦ଲକ୍ଷ ଟଙ୍କା ପାଇବେ । ଏହାବାଦ୍ ସେମାନେ ସିଟିଂ ଆଲାଉନ୍ସ ବାବଦରେ ଦିନକୁ ୨ହଜାର ଟଙ୍କା ପାଇବେ ।
ସେହିପରି ବାଚସ୍ପତି ଓ ଉପମୁଖ୍ୟମନ୍ତ୍ରୀଙ୍କୁ ମାସିକ ଦରମା ୯୮ହଜାର ଟଙ୍କା, କାର ଆଲାଉନ୍ସ ୮୯ହଜାର ଟଙ୍କା ଓ ସତ୍କାର ଭତ୍ତା ୧.୮୧ଲକ୍ଷ ଟଙ୍କା ସହ ମୋଟ ୩.୬୮ଲକ୍ଷ ଟଙ୍କା ଦରମା ମିଳିବ । ଉପବାଚସ୍ପତି ଓ ସରକାରୀ ମୁଖ୍ୟ ସଚେତକଙ୍କୁ ରାଷ୍ଟ୍ରମନ୍ତ୍ରୀଙ୍କ ସହ ସମାନ ଦରମା ଓ ଭତ୍ତା ମିଳିବ । ସରକାରୀ ଉପମୁଖ୍ୟ ସଚେତକଙ୍କୁ ମାସିକ ୯୨ହଜାର ଟଙ୍କା ଦରମା, ୮୩ହଜାର ଟଙ୍କାର କାର ଆଲାଉନ୍ସ ଓ ୧.୭୫ଲକ୍ଷ ଟଙ୍କାର ସତ୍କାର ଭତ୍ତା ମିଶାଇ ମୋଟ ୩.୫୦ଲକ୍ଷ ଟଙ୍କା ଦରମା ଓ ଭତ୍ତା ମିଳିବ ।
ପୂର୍ବତନ ବିଧାୟକମାନଙ୍କୁ ମିଳିବ ମାସିକ ଗସ୍ତ ଖର୍ଚ୍ଚ
ପୂର୍ବତନ ବିଧାୟକମାନଙ୍କ ପାଇଁ ବେଶୀ ସୁବିଧାସୁଯୋଗର ବ୍ୟବସ୍ଥା ହୋଇଛି । ସେମାନଙ୍କ ମାସିକ ମୂଳ ପେନସନ ୩୦ହଜାର ଟଙ୍କାରୁ ବଢ଼ି ୮୦ହଜାର ଟଙ୍କା କରାଯାଇଛି । ୫ ବର୍ଷରୁ ଅଧିକ ସମୟ ବିଧାୟକ ରହିଥିଲେ ପ୍ରତି ଅତିରିକ୍ତ ବର୍ଷ ପାଇଁ ବାର୍ଷିକ ୩ହଜାରଟଙ୍କା ଲେଖାଏଁ ଅଧିକ ପେନସନ ମିଳିବ । ସେହିପରି ସେମାନଙ୍କ ଚିକିତ୍ସା ଭତ୍ତା ବାବଦରେ ମାସିକ ୨ହଜାରର ୨୫ହଜାର ଟଙ୍କାକୁ ବଢ଼ାଇ ଦିଆଯାଇଛି । ପ୍ରଥମଥର ପାଇଁ ପୂର୍ବତନ ବିଧାୟକମାନଙ୍କୁ ମାସିକ ଗସ୍ତ ଖର୍ଚ୍ଚ ବାବଦରେ ୧୨୫୦୦ଟଙ୍କା ମିଳିବ । ପୂର୍ବତନ ବିଧାୟକମାନଙ୍କ ମାସିକ ପେନସନ୍ (ସର୍ବାଧିକ ୭୦ହଜାର ଟଙ୍କା) କ୍ୟାପିଂକୁ ମଧ୍ୟ ହଟାଇ ଦିଆଯାଇଛି । ଯଦି କୌଣସି ବିଧାୟକଙ୍କର ପ୍ରଥମ କାର୍ଯ୍ୟକାଳ ମଧ୍ୟରେ ମୃତୁ୍ୟ ହୁଏ ତାଙ୍କର ଆଇନଗତ ଉତ୍ତରାଧିକାରୀଙ୍କୁ ୨୫ଲକ୍ଷ ଟଙ୍କାର ଏକକାଳୀନ ସହାୟତା ରାଶି ପ୍ରଦାନ କରାଯିବ ।
ସୂଚନାଯୋଗ୍ୟ, ଓଡ଼ିଶା ବିଧାନସଭା ସଦସ୍ୟଙ୍କ ଦରମା,ଭତ୍ତା ଓ ପେନସନ୍ ସଂଶୋଧନ ବିଲ-୨୦୨୫, ଓଡ଼ିଶା ମନ୍ତ୍ରୀଙ୍କ ଦରମା ଓ ଭତ୍ତା ସଂଶୋଧନ ବିଲ-୨୦୨୫ ଏବଂ ଓଡ଼ିଶା ବିଧାନସଭା ବାଚସ୍ପତି ଓ ଉପବାଚସ୍ପତି ଦରମା ଭତ୍ତା ସଂଶୋଧନ ବିଲ-୨୦୨୫କୁ ଆଜି ଗୃହରେ ଉପସ୍ଥାପନ କରିବାର କିଛି ସମୟ ମଧ୍ୟରେ ତାହା ପାରିତ ହୋଇଯାଇଛି । ଏହି ସଂଶୋଧନ ଫଳରେ ରାଜ୍ୟର ବିଧାୟକମାନେ ଏଣିକି ମାସିକ ପ୍ରାୟ ୩.୪୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା ଓ ଭତ୍ତା ପାଇବେ । ସେହିପରି ପୂର୍ବତନ ବିଧାୟକମାନେ ମାସିକ ପେନସନ୍ ଓ ଭତ୍ତା ବାବଦରେ ୧.୧୭ଲକ୍ଷ ଟଙ୍କା (ନୂତନ ଭାବେ ମାସିକ ଗସ୍ତ ଖର୍ଚ୍ଚ ସାମିଲ) ସହ ନିଜର କାର୍ଯ୍ୟକାଳ ହିସାବରେ(ପ୍ରତି ୫ବର୍ଷ କାର୍ଯ୍ୟକାଳ ପାଇଁ ୧୫ହଜାର ଟଙ୍କା) ପେନସନ୍ ପାଇବେ ।


