ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟକରେ ମହାନଦୀ ପ୍ରସଙ୍ଗରେ ଦେଇଥିବା ମନ୍ତବ୍ୟ ଉପରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ମୁହଁ ଖୋଲିବା ସହ ପରୋକ୍ଷରେ ତାଙ୍କର ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି । ସେହିପରି ଉଭୟ ବିଜେଡି ଓ କଂଗ୍ରେସ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତବ୍ୟକୁ ତୀବ୍ର ସମାଲୋଚନା କରିଛନ୍ତି ।
ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି ଯେ, ମହାନଦୀ ଏକ ସ୍ପର୍ଶକାତର ପ୍ରସଙ୍ଗ । ଓଡ଼ିଶାବାସୀ ଯେମିତି ମନ୍ତବ୍ୟ ଆଶା କରୁଥିଲେ, ପ୍ରଧାନମନ୍ତ୍ରୀ ସେମିତି କିଛି କହିନାହାନ୍ତି । ଛତିଶଗଡ଼ର ବେଆଇନ କାର୍ଯ୍ୟ ସମ୍ପର୍କରେ ପ୍ରଧାନମନ୍ତ୍ରୀ କିଛି କହିଥିଲେ ଭଲ ହୋଇଥାନ୍ତା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଟ୍ରିବ୍ୟୁନାଲ ଗଠନ ହୋଇଛି । କିନ୍ତୁ ୬ମାସ ମଧ୍ୟରେ ଟ୍ରିବ୍ୟୁନାଲ କାର୍ଯ୍ୟକ୍ଷମ ହେବା ଭଳି ଲାଗୁନି । ଓଡ଼ିଶାକୁ ନ୍ୟାୟ ମିଳିବାରେ ବିଳମ୍ବ ହେବ । ତେଣୁ ରାଜ୍ୟ ସରକାର ପୁଣିଥରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବା ଉଚିତ୍ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ସେହିପରି ବିଜେଡି ସାଂସଦ ତଥା ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ଓଡ଼ିଶାବାସୀଙ୍କ ପାଇଁ କନ୍ଫ୍ୟୁଜନ ଥିଲା, କମ୍ପ୍ଲିମେଣ୍ଟ ନଥିଲା । ପ୍ରଧାନମନ୍ତ୍ରୀ ମହାନଦୀ ପ୍ରସଙ୍ଗରେ ଯେଉଁ ମନ୍ତବ୍ୟ ଉପସ୍ଥାପନ କଲେ ତାହା ଅସତ୍ୟ, ବିଭ୍ରାନ୍ତିକର ଓ ଦ୍ୱନ୍ଦ୍ୱାତ୍ମକ । ବର୍ତ୍ତମାନ ସୁଦ୍ଧା ଏକକ ଟ୍ରିବ୍ୟୁନାଲ ବିଲ୍ ପାସ୍ ହୋଇନାହିଁ । ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ହିଁ ଟ୍ରିବ୍ୟୁନାଲ ଗଠନ କରିବାକୁ କେନ୍ଦ୍ର ସରକାର ବାଧ୍ୟ ହୋଇଛି । ସେହିପରି ବରିଷ୍ଠ ବିଜେଡି ନେତା ଡାକ୍ତର ଦାମୋଦର ରାଉତ କହିଛନ୍ତି ଯେ ସଂଘୀୟ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ ଭାଷଣ ଅରୁଚିକର ଓ ଉଦ୍ଦେଶ୍ୟ ପ୍ରଣୋଦିତ । ମୋଦି ରାଷ୍ଟ୍ରର ପ୍ରଧାନମନ୍ତ୍ରୀ, ବିଜେପିର ନୁହଁନ୍ତି । ଓଡ଼ିଶା ଭଳି ଅଣବିଜେପି ଶାସିତ ରାଜ୍ୟକୁ ଆସି ରାଜ୍ୟ ସରକାରଙ୍କୁ ନିନ୍ଦା କରିବା ଗଣତାନ୍ତ୍ରିକ ପରମ୍ପରାର ଉଲ୍ଲଘଂନ । ସଂଘୀୟ ରାଷ୍ଟ୍ରର ସବୁକ୍ଷମତାର ଅଧିକାରୀ ହେଉଛନ୍ତି ପ୍ରଧାନମନ୍ତ୍ରୀ ଏବଂ ତାଙ୍କର ସହଯୋଗରେ ଛତିଶଗଡ଼ ମହାନଦୀର ସ୍ରୋତକୁ ଶୁଷ୍କ କରିଦେଇଛି । କଟକଠାରେ ଯେଉଁଠି ଭରପୁର ଜଳ ରହିବାକଥା ସେଠି ଧୁ ଧୁ ବାଲିସ୍ତୁପ ହେଲା କେମିତି ଏବଂ ସେହି ବାଲି ଉପରେ ସଭାକରି ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଲମ୍ବା ଆରୋପ ଲଗାଇବା ଅସତ୍ୟର ସୌଦାଗର ବ୍ୟତୀତ ଅନ୍ୟ କ’ଣ ହୋଇପାରେ ବୋଲି ଡାକ୍ତର ରାଉତ କହିଛନ୍ତି ।
ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ,ସିବିଆଇ ତଦନ୍ତ ପାଇଁ ବିଜେଡି ଭୟଭୀତ ଥିବାବେଳେ ବିଜେପି କେନ୍ଦ୍ରରେ ସିଟ୍ ସଂଖ୍ୟା କମିବାକୁ ନେଇ ଆଶଙ୍କାରେ ରହିଛି । ରାଜନୀତିକ ସ୍ୱାର୍ଥ ହାସଲ ପାଇଁ ଉଭୟ ବିଜେଡି ଓ ବିଜେପିକୁ ପରସ୍ପରର ଆବଶ୍ୟକତା ରହିଛି । ତେଣୁ ଉଭୟଙ୍କ ମଧ୍ୟରେ କିଛି ବୁଝାମଣା ହୋଇଛି ବୋଲି ଶ୍ରୀ ପଟ୍ଟନାୟକ ମତ ଦେଇଛନ୍ତି ।


