ଭୁବନେଶ୍ୱର(ଓଡ଼ିଶା ୱେୟାର): ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳରେ ସାଂଗଠନିକ ପରିବର୍ତ୍ତନ ହୋଇଛି। ଦେବାଶିଷ ସାମନ୍ତରାୟଙ୍କୁ ଦଳର ସାଧାରଣ ସଂପାଦକ ପଦରୁ ଅବ୍ୟାହତି ଦିଆଯାଇ କଟକ ଜିଲ୍ଲା ବିଜେଡି ସଭାପତି ଭାବେ ନିଯୁକ୍ତି ମିଳିଛି।ସାଂଗଠନିକ ଅଦଳବଦଳ ବେଳେ କିଛି ନେତାଙ୍କୁ ସମ୍ପାଦକ ଓ ଜିଲ୍ଲା ସଭାପତି ଭାବେ ମଧ୍ୟ ଦାୟିତ୍ୱ ମିଳିଛି।
ସେହିଭଳି ବିଜୁ ଶ୍ରମିକ ସାମ୍ମୁଖ୍ୟର ଇନ୍ଚାର୍ଜ ଭାବେ ବିମ୍ବାଧର କୁଅଁର ନିଯୁକ୍ତ ହୋଇଛନ୍ତି। ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଖାସ୍ ଅନୁଗତ ମହମ୍ମଦ ସକିଲଙ୍କୁ ଦାୟିତ୍ୱ ମିଳିଛି । କଟକର ସଂଗଠନ ଦୃଷ୍ଟିରୁ ସକିଲ ଏବେ ଦେବାଶୀଷଙ୍କ କ୍ୟାମ୍ପରେ ମଧ୍ୟ ରହିଛନ୍ତି ।
ଚନ୍ଦ୍ରଶେଖର ସାହୁଙ୍କୁ ଦଳର ଉପସଭାପତି ଓ ବିକ୍ରମ ପଣ୍ଡାଙ୍କୁ ଦଳର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦିଆଯିବା ସହ ରଞ୍ଜନ ଖଣ୍ଡୁଆଳ ଓ ରମା ଖଣ୍ଡୁଆଳଙ୍କ ଉପରୁ ନିଲମ୍ବନ ଆଦେଶ ହଟାଇ ଦିଆଯାଇଛି । ଗଞ୍ଜାମ ଜିଲ୍ଲାରେ ବିଜେଡି ସଂଗଠନକୁ ସୁଦୃଢ଼ କରିବା ପାଇଁ ଚନ୍ଦ୍ରଶେଖର ଓ ବିକ୍ରମଙ୍କ ଭରସାରେ ବିଜେଡି ରହିଛି । ମୁଖପାତ୍ର ସସ୍ମିତ ପାତ୍ରଙ୍କୁ ଦଳର ସମ୍ପାଦକ(ସଂଖ୍ୟାଲଘୁ ବ୍ୟାପାର) ପଦ ମିଳିଛି । ସେହିପରି ଅଶୋକ ବଳ, ସଂଗ୍ରାମ କେଶରୀ ପାଇକରାୟ, ପ୍ରମୋଦ କୁମାର ସାହୁ, ଆଶୀଷ ଚକ୍ରବର୍ତ୍ତୀ, ରବି ସାମଲ, ତପନ ଦାସ ଓ ପ୍ରସାଦ ରାଓ ଦୋରାଙ୍କୁ ମଧ୍ୟ ସମ୍ପାଦକ ପଦ ମିଳିଛି । ସମ୍ବଲପୁର ଜିଲ୍ଲା ସଭାପତି ପଦରୁ ପ୍ରମୋଦ କୁମାର ରଥଙ୍କୁ ହଟାଇ ଦିଆଯାଇଛି ।
ସେହିପରି ନିର୍ବାଚନ ପୂର୍ବରୁ କେନ୍ଦୁଝର ଜିଲ୍ଲାରେ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କୁ ପୁଣିଥରେ ହେଭିୱେଟ୍ କରିବାକୁ ରଣନୀତି ପ୍ରସ୍ତୁତ ହୋଇଛି । ଆଶୀଷ ଚକ୍ରବର୍ତ୍ତୀଙ୍କୁ ଜିଲ୍ଲା ସଭାପତି ପଦରୁ ହଟାଇ ବଦ୍ରି ନିଜର ଖାସ୍ ଅନୁଗତ ବିମ୍ବାଧର ବିଶ୍ୱାଳଙ୍କୁ ସେହି ପଦରେ ଥଇଥାନ କରିଛନ୍ତି । ରୀନା ବାରିକଙ୍କୁ କେନ୍ଦୁଝର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ମିଳିଥିବାବେଳେ ବଦ୍ରିଙ୍କ ଘନିଷ୍ଠ କୁଶ ଆପଟ୍ଟଙ୍କ ଉପରୁ ମଧ୍ୟ ନିଲମ୍ବନ ପ୍ରତ୍ୟାହାର ହୋଇଛି ।


