ଜଗତସିଂହପୁର (ଓଡବ୍ଲ୍ୟୁ) : ଜଗତସିଂହପୁର ବ୍ଲକ ଅନ୍ତର୍ଗତ ରମ୍ଭାଦେଇପୁର ପଞ୍ଚାୟତରେ ବିଜେଡିର ଏକ ବିଶାଳ କର୍ମୀ ସମ୍ମିଳନୀ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଜଗତସିଂହପୁରର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲିଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି କର୍ମୀ ସମ୍ମିଳନୀରେ ପଞ୍ଚାୟତର ପ୍ରାୟ ଏକ ହଜାରରୁ ଅଧିକ କର୍ମୀ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ବିଜୟୀ କରିବାକୁ ଶପଥ ନେଇଥିଲେ।
ଏହି ଅବସରରେ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲି କହିଥିଲେ ଯେ, ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସେ ଏଠାରେ ପ୍ରାର୍ଥୀ ହୋଇଛନ୍ତି। ଜିଲ୍ଲାର ରାଜନୀତିକ ସମୀକରଣ ଯୋଗୁଁ ତାଙ୍କୁ ବାଲିକୁଦାରୁ ବଦଳରେ ଜଗତସିଂହପୁରରେ ପ୍ରାର୍ଥୀ ହୋଇଛନ୍ତି। ନାମାଙ୍କନ ପତ୍ର ଦାଖଲ କରିବାବେଳେ ସେହି ଦିନଠାରୁ ଜଗତସିଂହପୁରକୁ ନିଜର କର୍ମଭୂମି ଭାବେ ବାଛି ନେଇଛି। ଭୋଟ ଅଛି, କର୍ମୀ ଅଛନ୍ତି, ଜୋନ୍ ଅଛି ତାହା ହେଲେ ଆମେ ପଛରେ ରହିବା କାହିଁକି ? ଜନ୍ମଠୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଯୋଜନା ନବୀନ ପଟ୍ଟନାୟକ କରିଛନ୍ତି। କିନ୍ତୁ ଅନ୍ୟ ଦଳର ବିଧାୟକ ଥିବା ଯୋଗୁଁ ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଏଠି କଂଗ୍ରେସ ବିଧାୟକ ୫ବର୍ଷର କାର୍ଯ୍ୟକାଳ ମଧ୍ୟରେ ସମଗ୍ର ନିର୍ବାଚନ ମଣ୍ଡଳୀକୁ ୧୦ବର୍ଷ ପଛକୁ ନେଇ ଯାଇଛନ୍ତି। ଶ୍ରୀ ମୁଦୁଲି ଅଞ୍ଚଳର ବିକାଶ ପାଇଁ ପ୍ରତିଶ୍ରୁତି ଦେବା ସହ ଆଗାମୀ ଦିନରେ ପ୍ରତି ଗାଁ କୁ ଯାଇ ଲୋକଙ୍କ ସମସ୍ୟାରେ ସହଭାଗୀ ହୋଇ ସମାଧାନ କରିବେ ବୋଲି କହିଛନ୍ତି। ପ୍ରାର୍ଥୀ ଘୋଷଣା ହେବା ପରେ ସମୟର ସ୍ବଳ୍ପତା ଯୋଗୁଁ ସମସ୍ତଙ୍କୁ ବ୍ୟକ୍ତିଗତ ଭାବେ ଜାଣିବା ସମ୍ଭବପର ହୋଇ ପାରିନି ବୋଲି କହିଥିଲେ।

ଏହି ଅବସରରେ ଜିଲ୍ଲା ଉପସଭାପତି ଦୀପ୍ତି ଦାସ,ଜଗତସିଂହପୁର ବ୍ଲକର ସଭାପତି ମନୋଜ ଭୋଇ, ସ୍ଥାନୀୟ ସରପଞ୍ଚ ଦାମୋଦର ସେଠୀ ଓ ମଣ୍ଡାସାହି ସରପଞ୍ଚଙ୍କ ସମେତ ଲକ୍ଷ୍ମୀଧର ସାର୍ ଓ ଅନ୍ୟମାନେ ଯୋଗ ଦେଇ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲିଙ୍କୁ ବିପୁଳ ଭୋଟରେ ବିଜୟୀ କରାଇବାକୁ ଆହ୍ବାନ ଦେଇଥିଲେ।


