ଭୁବନେଶ୍ୱର: ଜାତୀୟ ଅନୁସୂଚିତ ଜନଜାତି କମିଶନଙ୍କ ରାଜନୀତିକରଣ, ଜନଜାତିଙ୍କ ସ୍ୱାର୍ଥର ପରିପନ୍ଥୀ ବୋଲି ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ କହିଛନ୍ତି ।
ଏକ ପ୍ରେସ୍ ରିଲିଜରେ ସେ କହିଛନ୍ତି ଯେ, ଓଡ଼ିଶାର ଦାବି ପ୍ରତି ଅଣଦେଖା କରି, ଓଡ଼ିଶାରେ ବସବାସ କରୁଥିବା ଜନଜାତିଙ୍କ ସମସ୍ୟାକୁ ବେଖାତିର କରି କେନ୍ଦ୍ର ସରକାର ପୋଲାଭରମ୍ ପ୍ରକଳ୍ପ କାମକୁ ଆଗେଇ ନେବାରେ ସବୁ ପ୍ରକାର ସହଯୋଗ କରିଚାଲିଛନ୍ତି । ଏହି ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ଜନଜାତିଙ୍କ ସଂପର୍କରେ ଶେଷ ରିପୋର୍ଟ ଏବେ ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ରାଷ୍ଟ୍ରପତିଙ୍କୁ ଦେଇଛନ୍ତି । ଆଶ୍ଚର୍ଯ୍ୟର କଥା ଏଥିରେ ଓଡ଼ିଶାର ମାଲକାନଗିରିରେ ରହୁଥିବା ଓ ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ହେଉଥିବା ଅନୁସୂଚିତ ବିସ୍ଥାପିତଙ୍କ ସଂପର୍କରେ କିଛି ନାହିଁ । ପୋଲାଭରମ୍ ପ୍ରକଳ୍ପକୁ ନେଇ ବିଜେଡି ସରକାରଙ୍କ ଆଭିମୁଖ୍ୟ ପ୍ରଥମରୁ ସ୍ପଷ୍ଟ । କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ଓଡ଼ିଶାର ସ୍ୱାର୍ଥ ବିରୋଧୀ ଏହି ପ୍ରକଳ୍ପକୁ ସମସ୍ତ ପ୍ରକାର ସହଯୋଗ କରିଥିଲେ । ତା’ପରେ କେନ୍ଦ୍ରରେ ଏନ୍ଡିଏ ସରକାର ଏହି ପ୍ରକଳ୍ପକୁ ଆହୁରି ଆଗକୁ ଜାତୀୟ ପ୍ରକଳ୍ପର ମାନ୍ୟତା ଦେଇଥିଲେ । କେନ୍ଦ୍ରରେ ଶାସନ କରୁଥିବା ଏନ୍ଡିଏ ସରକାର କ୍ରମାଗତ ଭାବରେ ରାଷ୍ଟ୍ରୀୟ ସ୍ତରର ମର୍ଯ୍ୟାଦାସଂପନ୍ନ ସଂସ୍ଥା ଓ ଅନୁଷ୍ଠାନଗୁଡିକର ଅବମୂଲ୍ୟାୟନ କରିଚାଲିଛନ୍ତି । ବିଜେପି ସରକାର ନିଜର ରାଜନୈତିକ ଉଦ୍ଦେଶ୍ୟ ରଖି ଅନେକ ସଂସ୍ଥାର ନାମ, ଢାଞ୍ଚା ଓ ଆଭିମୁଖ୍ୟରେ ମଧ୍ୟ ପରିବର୍ତ୍ତନ କରିଚାଲିଛନ୍ତି । ଏହି ପ୍ରକଳ୍ପ ଦ୍ୱାରା ମାଲକାନଗିରି ଜିଲ୍ଲାର ମୋଟୁ ତହସିଲର ୧୫ଟି ରାଜସ୍ୱ ଗ୍ରାମ ଓ ୧୦ଟି ପଡ଼ା ଜଳମଗ୍ନ ହେବ । ମୋଟ ଉପରେ ୨୫ଟି ଗ୍ରାମର ୬୮୧୮ ଲୋକ ବିସ୍ଥାପିତ ହେବେ, ଯେଉଁଥିରେ ୫୯୧୬ ଜଣ ଆଦିବାସୀ ଅନ୍ତର୍ଭୁକ୍ତ । ଏଥିରେ ୭୬୫୬ ହେକ୍ଟର ଚାଷ ଓ ଜଙ୍ଗଲ ଜମି ବୁଡ଼ିଯିବ । ଓଡ଼ିଶାର ଜନଜାତିଙ୍କ ଜୀବନ ଏବଂ ଜୀବିକା ଉପରେ ଏହାର ପ୍ରଭୂତ ପ୍ରତିକୂଳ ପ୍ରଭାବ ପଡ଼ିବ । କିନ୍ତୁ ଆୟୋଗ ତାଙ୍କ ରିପୋର୍ଟରେ ରାଷ୍ଟ୍ରପତିଙ୍କୁ ଏହା ଜଣାଇନାହାନ୍ତି । ଓଡ଼ିଶାର ଜନଜାତିଙ୍କ ସ୍ୱାର୍ଥର ସୁରକ୍ଷା ଯେପରି ଜାତୀୟ ଆୟୋଗର କାର୍ଯ୍ୟ ନୁହେଁ । ଏଭଳି ଆଚରଣ ଭବିଷ୍ୟତରେ ଭୟାନକ ପରିସ୍ଥିତି ସୃଷ୍ଟି କରିବ । ଜାତୀୟ ଅନୁସୂଚିତ ଜନଜାତି ଆୟୋଗ କେନ୍ଦ୍ର ବିଜେପି ସରକାରଙ୍କ ହାତବାରିସୀ ସାଜି ଓଡ଼ିଶାର ଜନଜାତିଙ୍କ ବିରୋଧରେ ଏଭଳି ବ୍ୟବହାର କରିଛନ୍ତି । ଏହା ମାଧ୍ୟମରେ ଆୟୋଗ ନିଜର ମାନ ଓ ମର୍ଯ୍ୟାଦା ହରାଇଛନ୍ତି । ଆୟୋଗଙ୍କ ପକ୍ଷପାତିତା ଓ ପାତର ଅନ୍ତର ଭାବ ନିହାତି ନିନ୍ଦନୀୟ । ଆଗାମୀ ଦିନରେ ପୋଲାଭରମ୍ ପ୍ରକଳ୍ପରେ କ୍ଷତିଗ୍ରସ୍ତ ଜନଜାତିର ଲୋକମାନଙ୍କ କ୍ରୋଧର ପରିଣାମ ଉଭୟ କେନ୍ଦ୍ର ସରକାର ଓ ଆୟୋଗ ଭୋଗିବେ ବୋଲି ଶ୍ରୀ ନାୟକ ଚେତାଇ ଦେଇଛନ୍ତି ।


