ଭୁବନେଶ୍ୱର(ଓଡ଼ିଶା ୱେୟାର): ଦଳିତ ଭୋଟକୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ଫେବୃୟାରୀ ମାସରେ ବିଜେପି ଭୁବନେଶ୍ୱରରେ ଆଦିବାସୀଙ୍କ ଜାତୀୟ ସମାବେଶ ପାଇଁ ନିଷ୍ପତି ନେଇଥିବାବେଳେ ଆସନ୍ତା ମାସରେ ଦଳିତ ସମାବେଶ କରିବ ବୋଲି ବିଜେଡି ଘୋଷଣା କରିଛି।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ବିଜେଡି ଅନୁସୂଚିତ ଜାତି ସେଲର୍ ଦ୍ୱିତୀୟ କାର୍ଯ୍ୟକାରିଣୀ ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ସେଲର ଆବାହକ ତଥା ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଦାସ କହିଛନ୍ତି ଯେ ଆଜିର ବୈଠକରେ ଅନୁସୂଚିତ ଜାତିର ଲୋକମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହେବା ସହ ଆସନ୍ତା ମାସରେ ଭୁବନେଶ୍ୱରେ ଅନୁସୂଚିତ ଜାତି ଲୋକଙ୍କର ଏକ ବିଶାଳ ସମାବେଶ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ପାଇଁ ସ୍ଥିର ହୋଇଛି। ଅନୁସୂଚିତ ଜାତିର କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରହିଥିବା ଦୃଷ୍ଟିଭଙ୍ଗୀ ସଂପର୍କରେ ବୈଠକରେ ବିଶଦ ଭାବେ ଆଲୋଚନା କରାଯାଇ ଧନ୍ୟବାଦ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଆଲୋଚନା ମାଧ୍ୟମରେ ବିଭିନ୍ନ ପ୍ରସ୍ତାବମାନଙ୍କ ମଧ୍ୟରୁ ସରକାରଙ୍କ ତରଫରୁ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଶିକ୍ଷାବୃତିରେ କେନ୍ଦ୍ରୀୟ ଅଂଶଧନ ହ୍ରାସ ବିରୋଧରେ ଉଦବେଗ ପ୍ରକାଶ ପାଇଥିଲା। ଅନୁସୂଚିତ ଜାତିର କଲ୍ୟାଣ ପାଇଁ ଏକ ଅନୁସୂଚିତ ଜାତି ଉନ୍ନୟନ ପରିଷଦ ଗଠନ କରିବା ସହିତ ସ୍ୱତନ୍ତ୍ର ଅନୁଦାନର ବ୍ୟବସ୍ଥା ସରକାରଙ୍କ ତରଫରୁ କରାଯିବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ସଂପ୍ରତି ଦଳ ତରଫରୁ ୱାର୍ଡ କମିଟି ଓ ହାଉସ୍ ଟ୍ୟାଗିଙ୍ଗ ବ୍ୟବସ୍ଥାରେ ସ୍ଥାନୀୟ ପ୍ରତିନିଧିମାନେ ଅନୁସୂଚିତ ଜାତି ପରିବାରଙ୍କୁ ପ୍ରାଧାନ୍ୟ ଦେବା, ବିଭିନ୍ନ ସାଂଗଠନିକ ଦାୟିତ୍ୱରେ ସେମାନଙ୍କୁ ଅନ୍ତର୍ଭୁକ୍ତ କରିବା, ସରକାରଙ୍କ ସମସ୍ତ ଯୋଜନାକୁ ସେମାନଙ୍କ ନିକଟରେ ପହଞ୍ଚାଇବା ଓ ଅନୁସୂଚିତ ଜାତି ବ୍ୟକ୍ତିମାନଙ୍କ ଉପରେ ହେଉଥିବା ନିର୍ଯାତନା ମାମଲାଗୁଡିକରେ ଜିଲ୍ଲା ପ୍ରଶାସନ ଦ୍ୱାରା ସ୍ୱତନ୍ତ୍ର ଭାବେ ଫଏସଲା କରାଯିବା ଦିଗରେ ପଦକ୍ଷେପ ନେବାପାଇଁ ସର୍ବ ସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା । ପୂର୍ବତନ ବିଧାୟକ ସୁରେନ୍ଦ୍ର ପ୍ରସାଦ ପରମାଣିକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ସୁରେନ୍ଦ୍ର ସେଠୀ, ମହେଶ ସାହୁ, ପୂର୍ବତନ ବିଧାୟକ ଆଦିକନ୍ଦ ସେଠୀ, ରାଜେନ୍ଦ୍ର ଦାସ ପ୍ରମୁଖ ଆଲୋଚନାରେ ଭାଗ ନେଇ ବିଭିନ୍ନ ପ୍ରସ୍ତାବମାନ ଆଗତ କରିଥିଲେ । ଅନୁସୂଚିତ ଜାତି ସେଲ୍ର ସାଧାରଣ ସଂପାଦକ ଆଡଭୋକେଟ୍ ନିରଞ୍ଜନ ସେଠୀ, ଅଶୋକ ମଲ୍ଲିକଙ୍କ ସମେତ ୨୦୦ରୁ ଊଦ୍ଧ୍ୱର୍ ସଭ୍ୟସଭ୍ୟା ଏହି କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇଥିଲେ ।


