ଜ୍ୟୁରିଖ : ସ୍ୱିସ୍ ବ୍ୟାଙ୍କରେ ଧନ ରଖିବା ମାମଲାରେ ବ୍ରିଟେନ ସବୁଠୁ ଆଗରେ ରହିଛି। ସ୍ୱିସ୍ ନ୍ୟାସନାଲ ବ୍ୟାଙ୍କ ଏସଏନବିର ରିପୋର୍ଟ ଅନୁସାରେ ୨୦୧୮ରେ ମୋଟ ଜମା ରାଶିର ୨୬% ଅଂଶ ବ୍ରିଟେନର ବ୍ୟବସାୟୀଙ୍କ ଥିଲା। ସେହିପରି ଭାରତୀୟଙ୍କ ଧନ ରଖିବା ପରିମାଣରେ ଉଲ୍ଲେଖନୀୟ ହ୍ରାସ ହୋଇଛି। ଭାରତ ଏବେ ୭୪ତମ ସ୍ଥାନରେ ରହିଛି। ଗତବର୍ଷ ଭାରତୀୟଙ୍କ ଜମା ପରିମାଣରେ ୬% ହ୍ରାସ ପାଇଛି । ସ୍ୱିସ୍ ବ୍ୟାଙ୍କରେ ଭାରତୀୟଙ୍କ ଧନର ପରିମାଣ ୦.୦୭%।
ସ୍ୱିସ୍ ବ୍ୟାଙ୍କରେ ଧନ ରଖିଥିବା ଶୀର୍ଷ ୫ଟି ରାଷ୍ଟ୍ର ମଧ୍ୟରେ ଆମେରିକା ମଧ୍ୟ ସାମିଲ ଅଛି। ଏହାପରେ ୱେଷ୍ଟଇଣ୍ଡିଜ, ଫ୍ରାନ୍ସ ଓ ହଂକଂର ନମ୍ବର ରହିଛି। ସ୍ୱିସ୍ ବ୍ୟାଙ୍କରେ ଏହି ୫ଟି ରାଷ୍ଟ୍ରର ଧନ ଜମା ପରିମାଣ ପ୍ରାୟ ୫୦%ରୁ ଅଧିକ ହେବ। ସ୍ୱିସ୍ ବ୍ୟାଙ୍କରେ ସର୍ବାଧିକ ଧନ ରଖିଥିବା ଶୀର୍ଷ ୧୦ଟି ରାଷ୍ଟ୍ର ମଧ୍ୟରେ ବାହାମାସ, ଜର୍ମାନୀ, ଲକଜମବର୍ଗ, କ୍ୟାମେନ ଆଇଲ୍ୟାଣ୍ଡ ଓ ସିଙ୍ଗାପୁର ସାମିଲ ଅଛି। ଭାରତ ଓ ତା’ର ପଡ଼ୋଶୀ ରାଷ୍ଟ୍ର ସ୍ୱିସ୍ ବ୍ୟାଙ୍କରେ ଧନ ଜମା କରିବାରେ ବହୁ ପଛରେ ରହିଛି। ସ୍ୱିସ୍ ବ୍ୟାଙ୍କରେ ଧନ ଜମା କରିବା ମାମଲାରେ ପାକିସ୍ତାନର ସ୍ଥାନ ୮୨ତମ ସ୍ଥାନରେ ଥିବାବେଳେ ବାଂଲାଦେଶ ୮୯, ନେପାଳ ୧୦୯, ଶ୍ରୀଲଙ୍କା ୧୪୧ତମ, ମିଆଁମାର ୧୮୭ ଓ ଭୂଟାନ ୧୯୩ତମ ସ୍ଥାନରେ ରହିଛି। ସ୍ୱିସ୍ ବ୍ୟାଙ୍କରେ ଧନ ଜମା କରିବା ମାମଲାରେ ୨୦୧୪ ମସିହାରେ ଭାରତର ସ୍ଥାନ ୬୧ ଥିବାବେଳେ ୨୦୧୫ ମସିହାରେ ଏହା ଉଲ୍ଲେଖନୀୟ ହ୍ରାସ ପାଇଁ ୭୫ତମ ସ୍ଥାନରେ ରହିଥିଲା। ଅବଶ୍ୟ ୨୦୦୭ ମସିହା ପର୍ଯ୍ୟନ୍ତ ସ୍ୱିସ୍ ବ୍ୟାଙ୍କରେ ଧନ ରଖିବା ମାମଲାରେ ଭାରତ ବିଶ୍ୱର ଶୀର୍ଷ ୫୦ ରାଷ୍ଟ୍ର ମଧ୍ୟରେ ରହିଥିଲା। ୨୦୧୮ ମସିହାରେ ଭାରତୀୟଙ୍କର ସ୍ୱିସ୍ ବ୍ୟାଙ୍କରେ ପ୍ରାୟ ୬୭୫୭ କୋଟି ଟଙ୍କା ଜମା ରହିଛି।


