ହାଇଦ୍ରାବାଦ : ରିଜିଓନାଲ ଏୟାରଲାଇନ୍ସ ‘ଟ୍ରୁଜେଟ୍ ’ ନିଜର ଚତୁର୍ଥ ବାର୍ଷିକୀ ଅବସରରେ ଗୋଟିଏ ବୃଦ୍ଧାଶ୍ରମର ୪୫ଜଣ ଲୋକଙ୍କୁ ମାଗଣା ବିମାନ ଉଡ଼ାଣର ସୁବିଧା ଉପଲବ୍ଧ କରିଛି। ଟ୍ରୁଜେଟ୍ ମୁଖ୍ୟାଳୟ ହାଇଦ୍ରାବଦରେ ଅଛି ଓ ରବିବାର ଏୟାରଲାଇନ୍ସ ନିଜର ‘ୱିଙ୍ଗସ୍ ଅଫ ପ୍ରାଇଡ୍’ ପ୍ରୋଗାମ ଆଧାରରେ ଏହି ବୃଦ୍ଧବୃଦ୍ଧାମାନଙ୍କୁ ହାଇଦ୍ରାବାଦରୁ ନାନ୍ଦେଡ଼ ଏବଂ ନାନ୍ଦେଡ଼ରୁ ହାଇଦ୍ରାବାଦ ପର୍ଯ୍ୟନ୍ତ ମାଗଣା ବିମାନ ଯାତ୍ରା କରାଇଥିଲା।
ଏହି ସମସ୍ତ ବୃଦ୍ଧ ଲୋକ ଓଡ଼ିଶାର ମାଲକାଜୀଗିରିସ୍ଥିତ ସେଣ୍ଟ ଆଣ୍ଟୋନୀ ଓଲଡେଜ୍ ହୋମରେ ରହୁଛନ୍ତି। ରବିବାର ସେମାନେ ସମସ୍ତେ ପ୍ରଥମଥର ପାଇଁ ବିମାନ ଯାତ୍ରାର ଅନୁଭବ ନେଇଥିଲେ। ଏହି ସମସ୍ତ ବରିଷ୍ଠ ନାଗରିକଙ୍କୁ ନାନ୍ଦେଡ ପହଞ୍ôଚବା ପରେ ଗୁରୁଦ୍ୱାର ଯାଇ ଆଶୀର୍ବାଦ ନେଇଥିଲେ। ଏହାପରେ ହାଇଦ୍ରାବାଦ ଯିବା ପୂର୍ବରୁ ସମସ୍ତଙ୍କୁ ଖାଇବାକୁ ଦିଆଯାଇଥିଲା। ଶସ୍ତା ବିମାନ ସେବା ଉପଲବ୍ଧ କରାଉଥିବା ଏହି ଏୟାରଲାଇନ୍ସ ଏକ ବୟାନରେ କହିଛି ଯେ ବୃଦ୍ଧାଶ୍ରମର ସମସ୍ତ ବୃଦ୍ଧବୃଦ୍ଧା ଜୀବନରେ ପ୍ରଥମଥର ପାଇଁ ବିମାନ ଉଡ଼ାଣ ଅନୁଭବ କରି ରୋମାଞ୍ଚତ ହୋଇଥିଲେ। ଏହାପୂର୍ବରୁ ଏୟାରଲାଇନ୍ସ ମଧ୍ୟ ହାଇଦ୍ରାବାଦର ଡୁଣ୍ଡ୍ରିଗଲରେ ଥିବା ସ୍ପର୍ତ୍ତି ଅନାଥାଳୟର ପ୍ରାୟ ୨୦୦ ପିଲାଙ୍କ ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ଏହି କାର୍ଯ୍ୟକ୍ରମରେ ପାଇଲଟ , କ୍ୟାପଟେନ, ଏୟାରହୋଷ୍ଟେସ ଓ ଅନ୍ୟ କ୍ରୁ ସଦସ୍ୟମାନେ ପିଲାମାନଙ୍କ ସହ କେକ୍ କାଟିଥିଲେ ଓ ସେମାନଙ୍କୁ ଉପହାର ମଧ୍ୟ ଦେଇଥିଲେ। ସେହି ପିଲାମାନଙ୍କ ସହ ସମସ୍ତେ ଏକାଠି ମଧ୍ୟାହ୍ନଭୋଜନ କରିଥିଲେ।
ସୂଚନାଯୋଗ୍ୟ ଟ୍ରୁଜେଟ୍ ଏୟାରଲାଇନ୍ସ ପୂର୍ବରୁ ଅନେକ ଅନାଥ ଶିଶୁଙ୍କୁ ବିମାନ ଯାତ୍ରାର ସୁବିଧା କରିସାରିଛି। ଏହି ଏୟାରଲାଇନ୍ସ ସ୍ୱଳ୍ପ ଭଡ଼ାରେ ଦେଶର ଦକ୍ଷିଣ ଓ ପୂର୍ବଭାଗରେ ଥିବା ରାଜ୍ୟର ୨୦ଟି ମାର୍ଗରେ ନିଜର ସେବା ପ୍ରଦାନ କରୁଛି।


