ଭୁବନେଶ୍ୱର(ଓଡବ୍ଲ୍ୟୁ): ପୂର୍ବ ଘୋଷଣା ଅନୁସାରେ କୋରାପୁଟର କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ ଆଜି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ସେ ଆଜି ବାଚସ୍ପତି ପ୍ରଦୀପ କୁମାର ଅମାତଙ୍କୁ ଭେଟି ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । କୁନ୍ଦୁଲି ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ନ୍ୟାୟ ଦେବାରେ ରାଜ୍ୟ ସରକାର ବିଫଳ ହୋଇଥିବା ପ୍ରତିବାଦରେ ସେ ବିଧାୟକ ପଦରୁ ଇସ୍ତଫା ଦେଇଥିବା କହିଛନ୍ତି ।
ଶଗରିଆଙ୍କ ଇସ୍ତଫା ସମ୍ପର୍କରେ ଆସନ୍ତା ନଭେମ୍ବର ୧୬ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ବିଧାନସଭାର ଶୀତକାଳୀନ ଅଧିବେଶନରେ ବାଚସ୍ପତି ବିଧିବଦ୍ଧ ଘୋଷଣା କରିପାରନ୍ତି।ତେବେ ଶ୍ରୀ ଶଗରିଆ ଇସ୍ତଫା ଦେଇଥିଲେ ମଧ୍ୟ ପଂଚଦଶ ବିଧାନସଭାର କାର୍ଯ୍ୟକାଳ ଆଉ ମାତ୍ର କିଛିମାସ ଥିବାରୁ ସାଧାରଣ ନିର୍ବାଚନ ପୂର୍ବରୁ ଉପନିର୍ବାଚନ ସମ୍ଭାବନା କ୍ଷୀଣ।
ଇସ୍ତଫା ପତ୍ର ଦେବାପରେ ଶ୍ରୀ ଶଗରିଆ କହିଛନ୍ତି ଯେ ରାଜ୍ୟ ସରକାର ପୀଡ଼ିତା ନାବାଳିକାକୁ ନ୍ୟାୟ ଦେବାରେ ସକ୍ଷମ ହୋଇନଥିବାରୁ ସେ ଏହାର ପ୍ରତିବାଦରେ ବିଧାୟକ ପଦ ଛାଡ଼ିଛନ୍ତି । ତେବେ ସେ କଂଗ୍ରେସ ଦଳ ଛାଡ଼ି ଅନ୍ୟ କୌଣସି ଦଳକୁ ଯିବାର ତାଙ୍କର ଯୋଜନା ନାହିଁ । ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ଶଗରିଆଙ୍କ ଇସ୍ତଫା ଦ୍ୱାରା କଂଗ୍ରେସ ଲାଭାନ୍ୱିତ ହେବ । କାରଣ କଂଗ୍ରେସ ବିଧାୟକଙ୍କ ଇସ୍ତଫା ପରେ ସରକାର ଉପରେ ଚାପ ବଢ଼ିବ ।


