ଭୁବନେଶ୍ଵର: ବିଜେଡିର ବରିଷ୍ଠ ନେତା ତଥା ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତଙ୍କୁ ଦଳବିରୋଧୀ କାର୍ଯ୍ୟ ପାଇଁ ଆଜି ଦଳରୁ ବହିଷ୍କାର କରାଯାଇଛି । ଦିଲ୍ଲୀ ଗସ୍ତରେ ଥିବା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏକ ପ୍ରେସ୍ ରିଲିଜ୍ ମାଧ୍ୟମରେ ବିଜେଡି ସମ୍ପାଦକ ବିଜୟ ନାୟକ ଏହି ସୂଚନା ଦେଇଛନ୍ତି ।

ଏରସମାରେ ବିପ୍ଲବ ଦିବସ ସମାରୋହ ପାଳନବେଳେ ଦଳ ଓ ସ୍ଥାନୀୟ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ବିରୁଦ୍ଧରେ ମନ୍ତବ୍ୟ ଦେବା ଏବଂ ବିଭିନ୍ନ ଦୁର୍ନୀତି ମାମଲା ଉଠାଇ ସରକାରଙ୍କୁ ଟାର୍ଗେଟ୍ କରିବା ଡାକ୍ତର ରାଉତଙ୍କୁ ମହଙ୍ଗା ପଡ଼ିଛି । ସୂଚନାଯୋଗ୍ୟ, ଗତକାଲି ଏରସମା-ବାଲିକୁଦା ବିଧାୟକ ପ୍ରଶାନ୍ତ ମୁଦୁଲି ଓ ତାଙ୍କର ହଜାର ହଜାର ଦଳୀୟ କର୍ମୀ ନବୀନ ନିବାସରେ ବିଜେଡି ସୁପ୍ରିମୋଙ୍କୁ ଭେଟି ଡାକ୍ତର ରାଉତଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ । ଗତକାଲି ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଯିବା ପୂର୍ବରୁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବାର ଥିଲା କିନ୍ତୁ ଶେଷ ମୁହୂର୍ତରେ ଏହି ନିଷ୍ପତି ସ୍ଥଗିତ ରହିଥିଲା । ଯାହାକି ଆଜି ଘୋଷଣା ହୋଇଛି । ଉଲ୍ଲେଖଯୋଗ୍ୟ ଗତ ଡିସେମ୍ବର ମାସରେ ତାଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରାଯିବା ସହ ଦଳର ଉପସଭାପତି ଓ ପର୍ଯ୍ୟବେକ୍ଷକ ପଦରୁ ମଧ୍ୟ ବହିଷ୍କାର କରାଯାଇଥିଲା ।


