ଭୁବନେଶ୍ୱର(ଓଡ଼ିଶା ୱେୟାର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ତଥା ବିଶିଷ୍ଟ ଲେଖିକା ଗୀତା ମେହେଟା ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିବାକୁ ମନା କରିଛନ୍ତି। ଏକ ପ୍ରେସ ନୋଟ୍ ମାଧ୍ୟମରେ ଗୀତା ତାଙ୍କର ଏହି ନିଷ୍ପତ୍ତି ଜଣାଇ ଦେଇଛନ୍ତି। ଗୀତା କହିଛନ୍ତି, ଆଗକୁ ସାଧାରଣ ନିର୍ବାଚନ ଅଛି। ତେଣୁ ଏହା ଏକ ଭୁଲ୍ ବାର୍ତ୍ତା ଦେବ। ଏହା ସରକାର ଓ ମୋ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରି ଥାଆନ୍ତା।
ବିଜେପି ଏହି ଘଟଣାକୁ ନେଇ ସମାଲୋଚନା କରିଛି। ବିଜେଡି କହିଛି ଏଭଳି ଘଟଣା ଉପରେ କିଛି ମତ ରଖିବା ଉଚିତ ନୁହେଁ। ଏ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଉପରେ କୌଣସି ଟିପ୍ପଣୀ ରଖିନାହାଁନ୍ତି ।ଶୁକ୍ରବାର ପଦ୍ମ ପୁରସ୍କାର ଘୋଷଣା ରାଷ୍ଟ୍ରପତିଭବନ ପକ୍ଷରୁ କରାଯାଇଥିଲା। ଗୀତା ମେହେଟା(ଆମେରିକା)ଙ୍କୁ ସାହିତ୍ୟ ଓ ଶିକ୍ଷା ପାଇଁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ ବୋଲି ଗତକାଲି ଭାରତ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା। ପ୍ରବାସୀ ଭାରତୀୟ ଭାବେ ତାଙ୍କୁ ଏହି ସମ୍ମାନ ଦିଆଯିବାକୁ ନିଷ୍ପତ୍ତି ହୋଇଥିଲା।ଚଳିତ ବର୍ଷ ପଦ୍ମଶ୍ରୀ ତାଲିକାରେ ୩ଜଣ ଓଡ଼ିଆ ରହିଛନ୍ତି। ସେମାନେ ହେଲେ ଦୈତାରୀ ନାୟକ, କମଳା ପୂଜାରୀ ଓ ଡି.ପ୍ରକାଶ ରାଓ।
ଚଳିତବର୍ଷ ୪ ଜଣଙ୍କୁ ପଦ୍ମ ବିଭୂଷଣ, ୧୪ଜଣଙ୍କୁ ପଦ୍ମ ଭୂଷଣ ଏବଂ ୯୪ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବାକୁ ଗତକାଲି ଘୋଷଣା କରାଯାଇଥିଲା।


