ଭୁବନେଶ୍ୱର : ବିଶ୍ୱବିଦ୍ୟାଳୟଗୁଡ଼ିକରେ କମନ୍ ଏଣ୍ଟ୍ରାନ୍ସ ବ୍ୟବସ୍ଥା ଓ ବାୟୋମେଟ୍ରିକ ବ୍ୟବସ୍ଥା ପ୍ରଚଳନ ପାଇ ରାଜ୍ୟପାଳ ତଥା କୁଳାଧିପତି ସତ୍ୟ ପାଲ ମଲିକ ପରାମର୍ଶ ଦେଇଛନ୍ତି ।
ଆଜି ରାଜଭବନରେ ଆୟୋଜିତ କୁଳପତି ସମ୍ମିଳନୀରେ ଅଧ୍ୟକ୍ଷତା କରି କୁଳାଧିପତି ତଥା ରାଜ୍ୟପାଳ ଶ୍ରୀ ମଲିକ କହିଛନ୍ତି ଯେ, ବିଶ୍ୱବିଦ୍ୟାଳୟଗୁଡ଼ିକରେ କମନ୍ ଏଣ୍ଟ୍ରାନ୍ସ ବ୍ୟବସ୍ଥାରେ ନାମଲେଖା ପ୍ରକ୍ରିୟା ଅଧିକ ସ୍ୱଚ୍ଛ ହୋଇପାରିବ ଓ ବାୟୋମେଟ୍ରିକ ବ୍ୟବସ୍ଥା ପ୍ରଚଳନ କରାଗଲେ ନିୟମିତ ଉପସ୍ଥାନକୁ ସୁନିଶ୍ଚିତ କରାଯାଇପାରିବ । ଉନ୍ନତ ମାନବ ସମ୍ବଳ ହେଉଛି ଏକ ଜାତିର ଅସଲ ସମ୍ପତ୍ତି । ଏଥିରେ ବିଶ୍ୱବିଦ୍ୟାଳୟଗୁଡ଼ିକର ପ୍ରମୁଖ ଭୂମିକା ରହିଛି । ସମୟର ଆହ୍ୱାନ ଓ ଆବଶ୍ୟକତା ଅନୁସାରେ ନିଜକୁ ରୂପାନ୍ତରିତ କରିବାକୁ ବିଶ୍ୱବିଦ୍ୟାଳୟଗୁଡ଼ିକ ପଦକ୍ଷେପ ନେବା ଉଚିତ୍୍ । ବିଶ୍ୱବିଦ୍ୟାଳୟରେ ଅନୁକୂଳ ଶୈକ୍ଷିକ ବାତାବରଣରେ ଉନ୍ନତି ସହିତ ଛାତ୍ରଛାତ୍ରୀଙ୍କ ଶକ୍ତି ଓ ସାମର୍ଥ୍ୟର ବିକାଶ ଉପରେ ରାଜ୍ୟପାଳ ଗୁରୁତ୍ୱ ଦେଇଛନ୍ତି । ଓଡ଼ିଶାରେ ବିଶ୍ୱବିଦ୍ୟାଳୟଗୁଡ଼ିକର ସ୍ଥିତି ବିହାର ତୁଳନାରେ ଭଲ ରହିଛି ବୋଲି ରାଜ୍ୟପାଳ କହିବା ସହ ନିୟମିତ ଛାତ୍ର ସଂସଦ ନିର୍ବାଚନ କରାଗଲେ ନୂଆ ନେତୃତ୍ୱ ବିକାଶରେ ଏହା ସହାୟକ ହୋଇପାରିବ ବୋଲି ମତ ଦେଇଛନ୍ତି । ନିର୍ଦ୍ଧାରିତ ସମୟରେ ପରୀକ୍ଷା ପରିଚାଳନା, ଫଳ ପ୍ରକାଶନ ଓ ସାର୍ଟିଫିକେଟ୍ ପ୍ରଦାନ, ଖାଲିଥିବା ପଦବୀ ପୂରଣ ସହ ଆବଶ୍ୟକତା ଅନୁଯାୟୀ ନୂତନ ପଦବୀ ସୃଷ୍ଟି, ପ୍ରତି ବିଶ୍ୱବିଦ୍ୟାଳୟରେ କ୍ରୀଡ଼ା କମ୍ପେ୍ଲକ୍ସ ନିର୍ମାଣ, ଗବେଷଣାକୁ ପ୍ରାଧାନ୍ୟ ଦେବାକୁ ସେ ପରାମର୍ଶ ଦେଇଛନ୍ତି । ଏଥିସହ ଉତ୍କର୍ଷ କେନ୍ଦ୍ର ସ୍ଥାପନ ଏବଂ ୟୁଜିସି ମଞ୍ଜୁରୀ ଓ ଅନୁଦାନର ବିନିଯୋଗ ପ୍ରମାଣପତ୍ର ସଠିକ୍ ସମୟରେ ଦେବାକୁ ଏହି ଅବସରରେ ସେ କୁଳପତିମାନଙ୍କୁ କହିଛନ୍ତି । ଏହି କୁଳପତି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା, ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ, ପର୍ଯ୍ୟଟନ, ଓଡ଼ିଆ ଭାଷା ଓ ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା , ଆଇଟି ମନ୍ତ୍ରୀ ଚନ୍ଦ୍ର ସାରଥି ବେହେରା ଉଚ୍ଚଶିକ୍ଷାର ବିକାଶ ନିମନ୍ତେ ବିଶ୍ୱବିଦ୍ୟାଳୟର ସଶକ୍ତିକରଣ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ରାଜ୍ୟର ୧୭ଟି ବିଶ୍ୱବିଦ୍ୟାଳୟର କୁଳପତି ଏହି ସମ୍ମିଳନୀରେ ଯୋଗ ଦେଇଥିଲେ ।
ଏହି ବୈଠକରେ କୃଷି ଉତ୍ପାଦନ କମିଶନର ଗଗନ କୁମାର ଧଳ, ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ସି.ଜେ. ଭେନୁଗୋପାଳ, କୃଷି ସଚିବ ସୋ÷ରଭ ଗର୍ଗ, ଉଚ୍ଚ ଶିକ୍ଷା ସଚିବ ବିଷ୍ଣୁପଦ ସେଠୀ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସଚିବ ସଞ୍ଜୟ କୁମାର ସିଂ, ସ୍ୱାସ୍ଥ୍ୟ ସଚିବ ଡ଼. ପ୍ରମୋଦ ମେହେର୍ଦ୍ଦା, ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀ, ଆଇଟି ବିଭାଗର ସ୍ୱତନ୍ତ୍ର ସଚିବ ଆର୍ ଏନ୍ ପଲାଇ, ରାଜ୍ୟପାଳଙ୍କ ଅତିରିକ୍ତ ସଚିବ ସୁକାନ୍ତ ପ୍ରଧାନ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


