ନୂଆଦିଲ୍ଲୀ :ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଜେପି ନଡ୍ଡା ମନୋନୀତ ହୋଇଛନ୍ତି। କିନ୍ତୁ ଅମିତ ଶାହ ପୂର୍ବପରି ଦଳର ରାଷ୍ଟ୍ରୀୟ ସଭାପତି ରହିବେ। ଶ୍ରୀ ଶାହ କେନ୍ଦ୍ରରେ ସ୍ୱରାଷ୍ଟ୍ରମନ୍ତ୍ରୀ ହେବାପରେ ଦଳର କାର୍ଯ୍ୟଭାର ସମ୍ଭାଳିବା ନେଇ ସମସ୍ୟା ଦେଖାଦେଇଛି। ସେଥିପାଇଁ ନଡ୍ଡାଙ୍କୁ ଦାୟିତ୍ୱ ଦିଆଯାଇଛି। ସୋମବାର ଦିଲ୍ଲୀରେ ବିଜେପି ସଂସଦୀୟ ବୋର୍ଡ ବୈଠକ ବସି ସର୍ବସମ୍ମତ କ୍ରମେ ଶ୍ରୀ ନଡ୍ଡାଙ୍କ ନାମ ବଛାଯାଇଥିଲା। ଗତ ସରକାରରେ ଶ୍ରୀ ନଡ୍ଡାଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀଭାବେ ଦାୟିତ୍ୱ ଦିଆଯାଇଥିବାବେଳେ ଏଥର ତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇନଥିଲା। ପର୍ବରୁ ସେ ଦଳର ସଭାପତି ହେବେ ବୋଲି ଆଲୋଚନା ହେଉଥିଲା। ତାଙ୍କୁ ଯେତେବେଳେ ମନ୍ତ୍ରୀ କରାନଗଲା, ସେତେବେଳେ ସେ ସଭାପତି ହେବେ ବୋଲି ସ୍ପଷ୍ଟ ହୋଇଥିଲା। ଆଜି ସଂସଦୀୟ ବୋର୍ଡ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ପ୍ରମୁଖ ନେତାମାନେ ଉପସ୍ଥଇତ ଥିଲେ। ଅମିତ ଶାହ ୬ମାସ ପର୍ଯ୍ୟନ୍ତ ପାର୍ଟିର ଅଧ୍ୟକ୍ଷ ଦାୟିତ୍ୱରେ ରହିବେ।


