ଭୁବନେଶ୍ୱର: ମହାନଦୀ ସୁରକ୍ଷା ଅଭିଯାନର ଆଜି ଅଷ୍ଟମ ଦିବସରେ ଡାହାଣ ପାଶ୍ୱର୍ ଟିମ୍ ଦାୟିତ୍ୱରେ ଥିବା ଦଳର ଉପସଭାପତି ତଥା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ବାମ ପାଶ୍ୱର୍ ଦାୟିତ୍ୱ ନେଇଥିବା ଉପସଭାପତି ଦେବୀ ପ୍ରସାଦ ମିଶ୍ର ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା ଓ ସାଧାରଣ ସଭା ଅନୁଷ୍ଠିତ ହୋଇଛି ।
ଆଜି ମହାନଦୀ ଡାହାଣ ପାଶ୍ୱର୍ ଟିମ୍ ଦଳୀୟ ନେତା, କର୍ମୀ ଓ ସମର୍ଥକମାନଙ୍କ ଗହଣରେ ଟିମ୍ ମୁଖ୍ୟ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ପୁରୀ ସହର ଛାଡ଼ି ସାକ୍ଷୀଗୋପାଳ, ସାତଶଙ୍ଖ ଦେଇ ପିପିଲି ଆସିବା ସହ ସେଠାରୁ ଖେଲାର ଓ ନିମାପଡ଼ା ଆସିଥିଲେ । ତା’ପରେ ଚାରିଛକ ଓ କାକଟପୁର ଦେଇ ଅସ୍ତରଙ୍ଗ, ଆନନ୍ଦବଜାର ଆସି ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ଓ ସାଧାରଣ ସଭା କରିଥିଲେ ।ଏହିସବୁ ସଭାଗୁଡିକରେ ମନ୍ତ୍ରୀ ପ୍ରଦୀପ ମହାରଥୀ, ମହେଶ୍ୱର ମହାନ୍ତି, ବିଧାୟକ ସମୀର ରଞ୍ଜନ ଦାସ, ଉମାକାନ୍ତ ସାମନ୍ତରାୟ, ସୁରେନ୍ଦ୍ର ସେଠୀ, ପ୍ରମୋଦ ମଲ୍ଲିକ, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଆଜି ଏହି ଦଳ କାକଟପୁର ଠାରେ ରାତ୍ର ରହଣୀ ପରେ ଆସନ୍ତାକାଲି ଜଗତସିଂହପୁର ଜିଲ୍ଲା ଅଭିମୁଖେ ଯାତ୍ରାରମ୍ଭ କରିବ । ସେହିପରି ଦେବୀ ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ମହାନଦୀ ବାମ ପାଶ୍ୱର୍ ଟିମ୍ ଆଜି ପୂର୍ବାହ୍ଣରେ ସାଲେପୁରରୁ ବାହାରିଥିଲେ । ମଧୁ ଠାରୁ ଏକ ବିରାଟ ବାଇକ୍ ଶୋଭାଯାତ୍ରାରେ ଜନଜାଗରଣ ଅଭିଯାତ୍ରୀଙ୍କୁ ପାଛୋଟି ନିଆଯାଇଥିଲା ନଇନ୍ଦିପୁର ପର୍ଯ୍ୟନ୍ତ । ସେଠାରେ ପାଟକୁରା ବିଧାୟକ ବେଦ ପ୍ରକାଶ ଅଗ୍ରୱାଲଙ୍କ ନେତୃତ୍ୱରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରତାପ କେଶରୀ ଦେବ, ମନ୍ତ୍ରୀ ପ୍ରତାପ ଜେନା, ବିଧାୟକ ବେଦପ୍ରକାଶ ଅଗ୍ରୱାଲ, ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରମିଳା ମଲ୍ଲିକ, ରାଜ୍ୟ ସଂପାଦକ ବିଜୟ ନାୟକ, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ମହାସଚିବ ଶିଶିର ପରିଜା, ଜିଲ୍ଲା ସଭାପତି ଧୃବ ସାହୁ, କାର୍ଯ୍ୟକାରୀ ସଭାପତି ଦୁର୍ଗାଶିଷ ମହାନ୍ତି ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଆଜି ଏହି ଦଳ କେନ୍ଦ୍ରାପଡ଼ାରେ ରାତ୍ର ରହଣୀ ପରେ ଆସନ୍ତାକାଲି ମହାକାଳପଡ଼ା ଅଭିମୁଖେ ଯାତ୍ରାରମ୍ଭ କରିବ ।


