ଭୁବନେଶ୍ୱର : ମୟୂରଭଞ୍ଜ ଜିଲ୍ଲାରେ ବିଜେଡି ଗୋଷ୍ଠୀବିବାଦ ଏବେ ଉଗ୍ରରୂପ ନେବାର ଆଶଙ୍କା ଦେଖାଦେଇଛି । ଏକ ପ୍ରଭାବଶାଳୀ ଗୋଷ୍ଠୀର ଚାପରେ ବରିଷ୍ଠ ନେତା ସୁଶାନ୍ତ ଚୌଧୁରୀ(ମନୁ)ଙ୍କୁ ଅପ୍ରତ୍ୟାଶିତ ଭାବେ ବିଜେଡି ରାଜ୍ୟ ସମ୍ପାଦକ ପଦରୁ ହଟାଇ ଦିଆଯାଇଛି ।
ଦଳ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଶ୍ରୀ ଚୌଧୁରୀଙ୍କୁ ରାଜ୍ୟ ସମ୍ପାଦକ ପଦରୁ ଅବ୍ୟାହତି ଦେଇଛନ୍ତି । ତେବେ ଏନେଇ ଖୋଳତାଡ଼ ପରେ ଜଣାପଡ଼ିଛି ଯେ, ଜିଲ୍ଲା ପାଇଁ ନବନିଯୁକ୍ତ ହୋଇଥିବା ଜଣେ ସହ-ପର୍ଯ୍ୟବେକ୍ଷକଙ୍କ ସୁପାରିସରେ ଶ୍ରୀ ଚୌଧୁରୀଙ୍କୁ ଦଳର ରାଜ୍ୟ ସମ୍ପାଦକ ପଦରୁ ହଟାଇ ଦିଆଯାଇଛି । ଜିଲ୍ଲାରେ ବିଜେଡି ଏବେ ଏକାଧିକ ଗୋଷ୍ଠୀରେ ବିଭକ୍ତ ହୋଇ କାର୍ଯ୍ୟ କରୁଥିବାବେଳେ ଜଣେ ବରିଷ୍ଠ ଆଦିବାସୀ ନେତାଙ୍କ ଚାପ ଓ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସମ୍ମତିରେ ଶ୍ରୀ ଚୌଧୁରୀ ରାଜ୍ୟ ସମ୍ପାଦକ ପଦରୁ ବାଦ୍ ପଡ଼ିଛନ୍ତି । ରାଜ୍ୟର ଜଣେ ପ୍ରଭାବଶାଳୀ ଯୁବନେତାଙ୍କ ଘନିଷ୍ଠ ଭାବେ ପରିଚିତ ଶ୍ରୀ ଚୌଧୁରୀଙ୍କ ସାଂଗଠନିକ ଦକ୍ଷତା ଯୋଗୁ ୨୦୦୯ରୁ ୨୦୧୨ ମସିହା ପର୍ଯ୍ୟନ୍ତ ବିଜେଡିକୁ ମୟୂରଭଞ୍ଜ ଜିଲ୍ଲାରେ ନିର୍ବାଚନୀ ସଫଳତା ମିଳିଥିଲା ।


