ଝାରସୁଗୁଡ଼ା/ଭୁବନେଶ୍ୱର(ଓଡବ୍ଲ୍ୟୁ):ପିସିସି କାର୍ଯ୍ୟକାରୀ ସଭାପତି ତଥା ଝାରସୁଗୁଡ଼ା କଂଗ୍ରେସ ବିଧାୟକ ନବ ଦାସ ଖୁବଶୀଘ୍ର ବିଜେଡିରେ ସାମିଲ ହେବେ।ସେ ଗତକାଲି ନିଜ ସମର୍ଥକଙ୍କ ସହ ଏନେଇ ବିଚାରବିମର୍ଶ କରିଥିବାବେଳେ ଆଜି ବିଜେଡିର ବରିଷ୍ଠ ଉପସଭାପତି ତଥା ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଏହା ସ୍ପଷ୍ଟ କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ ଶନିବାର ବିଧାୟକ ନବ ଦାସ ନିଜର ସମର୍ଥକମାନଙ୍କ ଏକ ବୈଠକ ଡାକି ସେମାନଙ୍କ ସହ ଦଳ ଛାଡ଼ିବା ପ୍ରସଙ୍ଗରେ ବିଚାରବିମର୍ଶ କରିଛନ୍ତି। ଝାରସୁଗୁଡ଼ାର ରଘୁନାଥପାଲି ଛକସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ କୋଲବିରା ବ୍ଳକର ସୋଢ଼ାମାଲ, କୋଲାବିରା, ପୋଖରା ସାଲେ ଆଦି ପଂଚାୟତ ଓ ବ୍ଲକସ୍ତରୀୟ କର୍ମୀମାନଙ୍କୁ ଡାକି ଶ୍ରୀ ଦାସ ଦଳ ଛାଡ଼ିବା ପ୍ରସଙ୍ଗରେ ମତାମତ ଜାଣିବାକୁ ଚାହିଁଥିଲେ।ସେଠାରେ ଉପସ୍ଥିତ ପ୍ରାୟ ୩୦୦ କର୍ମୀ ସମର୍ଥନ କରିଥିଲେ।ଯଦି ସେ ଅନ୍ୟ ଦଳକୁ ଯିବେ ତାଙ୍କୁ କର୍ମୀମାନେ ସମର୍ଥନ କରିବେ କି ବୋଲି ପ୍ରଶ୍ନର ଉତରରେ ସମସ୍ତେ ନବଙ୍କୁ ସମର୍ଥନ ଜଣାଇବାର ପ୍ରତିଶ୍ରୁତି ଦେଇଛନ୍ତି।ସେ ଏଭଳି ବୈଠକ ନିଜ ନିର୍ବାଚନମଣ୍ଡଳୀର ଅନ୍ୟ ଅଂଚଳରେ ଖୁବଶୀଘ୍ର କରି କର୍ମୀଙ୍କ ମତାମତ ଜାଣିବାକୁ ଚେଷ୍ଟା କରିବେ ବୋଲି କହିଥିବା ଜଣାପଡ଼ିଛି।
ତେବେ ଏ ସମ୍ପର୍କରେ ଶ୍ରୀ ଦାସଙ୍କୁ ପଚରାଯିବାରୁ ସେ ଦଳ ଛାଡ଼ିବା ଖବରକୁ ଖଣ୍ଡନ ନକରି କହିଛନ୍ତି ଯେ ଝାରସୁଗୁଡ଼ାବାସୀ ହେଉଛନ୍ତି ତାଙ୍କ ଦଳ।ସେମାନେ ଯାହା କହିବେ ସେ ତାହା କରିବେ।ଯଦି ଝାରସୁଗୁଡ଼ାବାସୀ ଚାହିଁବେ ନବ ଦାସ ଦଳ ପରିବର୍ତନ କଲେ ଭଲ ତେବେ ସେ ତାହା କରିବେ।
ମନ୍ତ୍ରୀ ସୂର୍ଯ୍ୟ ପାତ୍ର କହିଛନ୍ତି ଯେ, କେବଳ ନବ ଦାସ ଏକାକୀ ନୁହଁନ୍ତି ଅନେକ କଂଗ୍ରେସ ବିଧାୟକ ଏବେ ଦଳ ଛାଡ଼ିବା ପାଇଁ ଚିନ୍ତା କରୁଛନ୍ତି।ନବୀନ ପଟ୍ଟନାୟକଙ୍କ ନେତୃତ୍ୱ,ବିଜେଡି ଓ ଶଙ୍ଖ ଦଳକୁ ଯିଏ ଗ୍ରହଣ କରିବ ଏବଂ ତାକୁ ଯଦି ମୁଖ୍ୟମନ୍ତ୍ରୀ ଗ୍ରହଣ କରିବେ ତା’ହେଲେ ସେଥିରେ ଦଳର କାହାର କିଛି ଆପତି ନାହିଁ।କେସ୍ ଟୁ କେସ୍ ଷ୍ଟଡି କରି ମୁଖ୍ୟମନ୍ତ୍ରୀ ନିଷ୍ପତି ନିଅନ୍ତି ବୋଲି ଶ୍ରୀ ପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି।
ଉଲ୍ଲେଖଯୋଗ୍ୟ,ଶ୍ରୀ ଦାସ ଦୀର୍ଘଦିନ ଧରି ବିଜେଡିରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି।


