ଭୁବନେଶ୍ୱର(ଓଡ଼ିଶା ୱେୟାର):ଚାଷୀଙ୍କୁ ଧାନର ଉପଯୁକ୍ତ ମୂଲ୍ୟ ଓ ମଣ୍ଡିରେ କଟନୀ-ଛଟନୀ ପ୍ରତିବାଦରେ ପ୍ରଦେଶ କଂଗ୍ରେସ ପକ୍ଷରୁ ଆନ୍ଦୋଳନ ପାଇଁ ଧମକ ଦିଆଯିବା ପରେ ରାଜ୍ୟ ସରକାରଙ୍କ ଚେତା ପଶିଛି।
ରାଜ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ଯେ ମଣ୍ଡିରେ ମିଲର୍ସମାନେ କଟନୀ-ଛଟନୀ କଲେ ସେମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।ଯେଉଁ ମିଲର୍ସମାନେ କଟନୀ-ଛଟନୀ କରୁଥିବାର ଅଭିଯୋଗ ଆସିବ ସେହି ମଣ୍ଡି ଓ ମିଲକୁ ତୁରନ୍ତ ସିଜ୍ କରିବାକୁ କୁହାଯାଇଛି।ଏବେ ୨୩ଟି ଜିଲ୍ଲାରେ ମଣ୍ଡି ଖୋଲାଯାଇ ଧାନକିଣା ଆରମ୍ଭ ହୋଇଛି।କୌଣସି ପ୍ୟାକ୍ସରେ ୨୪ଘଂଟାରୁ ଅଧିକ ସମୟ ଧାନ ପଡ଼ି ରହିବ ନାହିଁ।ଚାଷୀମାନଙ୍କୁ ସେମାନଙ୍କ ପ୍ରାପ୍ୟ ତୁରନ୍ତ ପି-ପାସ୍ ମାଧ୍ୟମରେ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।ଧାନ ମଣ୍ଡିକୁ ନେଇ କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରେ ଥିବା ସମସ୍ୟାର ଇତିମଧ୍ୟରେ ସମାଧାନ ସରିଛି।ବାକି ଜିଲ୍ଲାଗୁଡ଼ିକରେ ଖୁବଶୀଘ୍ର ଧାନ ମଣ୍ଡି ଖୋଲାଯିବ।
ସୂଚନାଯୋଗ୍ୟ ଧାନ ବିକ୍ରିକୁ ନେଇ ଚାଷୀମାନେ ସମ୍ମୁଖୀନ ହେଉଥିବା ସମସ୍ୟା ପ୍ରସଙ୍ଗରେ ଗତ ଦୁଇଦିନ ତଳେ ବିଜେପି ଓ ଆଜି କଂଗ୍ରେସ ପକ୍ଷରୁ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରାଯାଇଥିଲା।ଦୁଇଦିନ ତଳେ ବିଜେପି ଧାନମଣ୍ଡିରେ ଏଭଳି ଅବ୍ୟବସ୍ଥା ଓ ଉପଯୁକ୍ତ ମୂଲ୍ୟ ମିଳୁନଥିବାର ଅଭିଯୋଗ କରିବା ପରେ ଆଜି କଂଗ୍ରେସ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ଏକ ସାମ୍ବାଦିକ ସମ୍ମିଳନୀରେ ତୁରନ୍ତ କଟନୀ-ଛଟନୀ ବନ୍ଦ ନହେଲେ କଂଗ୍ରେସ ଆଗାମୀ ଦିନରେ ରାଜରାସ୍ତାରେ ଆନ୍ଦୋଳନ କରିବ ବୋଲି ଧମକ ଦେଇଥିଲେ।
ଉଲ୍ଲେଖଯୋଗ୍ୟ,ଏବେ ଚାଷୀ ସଂଗଠନଗୁଡ଼ିକ ପ୍ରାଇସ୍-ପ୍ରେଷ୍ଟିଜ୍ ଓ ପେନସନ ଦାବିରେ ଅସନ୍ତୁଷ୍ଟ ଥିବାବେଳେ ଦୁଇ ବିରୋଧୀ ଦଳର ଏଭଳି କଡ଼ା ଆଭିମୁଖ୍ୟ ଶାସକ ବିଜେଡି ପାଇଁ ଆଗାମୀ ନିର୍ବାଚନରେ ମହଙ୍ଗା ପଡ଼ିବ ବୋଲି ଆଶଙ୍କା କରି ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି।ଯଦିଓ ଦୀର୍ଘବର୍ଷ ଧରି ମଣ୍ଡିରେ କଟନୀ-ଛଟନୀକୁ ବିରୋଧୀ ଦଳ ଓ ଚାଷୀ ସଂଗଠନ ବିରୋଧ କରି ଆସୁଥିଲେ।


