ଭୁବନେଶ୍ୱର(ଓଡବ୍ଲ୍ୟୁ): ଦ୍ୱିତୀୟ ମେକ୍ ଇନ୍ ଓଡ଼ିଶା କନକ୍ଲେଭର ଶିଳ୍ପ ମହାକୁମ୍ଭରେ ରାଜ୍ୟରେ ୧୫ଟି କ୍ଷେତ୍ରରେ ପ୍ରାୟ ୪.୨୦ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ପ୍ରତିଶ୍ରୁତି ମିଳିଛି । ଏହା ଦ୍ୱାରା ରାଜ୍ୟରେ ଅତିରିକ୍ତ ୫.୧୯ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।ପରବର୍ତୀ ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୦ ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି । ଚଳିତ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ରାଜ୍ୟ ସରକାର ଅଢ଼େଇ ଲକ୍ଷ କୋଟି ଟଙ୍କାର ନିବେଶ ସଂଗ୍ରହ ଟାର୍ଗେଟ୍ ରଖିଥିଲେ କିନ୍ତୁ ଲକ୍ଷ୍ୟଠୁ ଦେଢ଼ଗୁଣ ନିବେଶ ପ୍ରତିଶ୍ରୁତି ମିଳିଛି । ଏଥିରେ ବିଦେଶୀ ପୁଞ୍ଜିନିବେଶ ପ୍ରାୟ ୪୬ହଜାର କୋଟି ଟଙ୍କା ସାମିଲ ଅଛି ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ମେକ୍ ଇନ୍ ଓଡ଼ିଶା କନକ୍ଲେଭ ମାଧ୍ୟମରେ ରାଜ୍ୟକୁ ୪ଲକ୍ଷ ୧୯ହଜାର ୫୭୪ କୋଟି ୫୩ଲକ୍ଷ ଟଙ୍କାର ପୁଞ୍ଜି ଆସିବାର ଆଶା କରାଯାଉଛି । ଏଥିପାଇଁ ଶିଳ୍ପପତିମାନେ ପ୍ରତିଶ୍ରୁତି ଦେଇଛନ୍ତି । ଏହି ପ୍ରତିଶ୍ରୁତି କାର୍ଯ୍ୟକାରୀ ହେଲେ ରାଜ୍ୟରେ ୫.୧୯ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଦ୍ୱିତୀୟ ସଂସ୍କରଣରେ ସର୍ବାଧିକ ପୁଞ୍ଜିନିବେଶ ପାଇଁ ହଲଦିଆ ପେଟ୍ରୋକେମିକାଲ୍ସ ପକ୍ଷରୁ ୭୦ହଜାର କୋଟି ଟଙ୍କା, ଜେଏସପିଏଲ ପକ୍ଷରୁ ୬୧ହଜାର କୋଟି, ଏମସିଏଲ୍ ପକ୍ଷରୁ ୫୮ହଜାର କୋଟି, ତାଇୱାନରୁ ୪୩ହଜାର କୋଟି ଓ ସେଲ ପକ୍ଷରୁ ୪୧୫୦୦କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ମିଳିଛି । ପରବର୍ତୀ ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୦ ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଆୟୋଜନ କରାଯିବ । ଏହି ସଂସ୍କରଣରେ ୧୯ଟି ଦେଶ ଓ ୨୧ଟି ରାଜ୍ୟର ୫୦୭୪ଜଣ ପ୍ରତିନିଧି ଯୋଗ ଦେଇଥିଲେ ।
କେଉଁ କ୍ଷେତ୍ରରେ କେତେ ପୁଞ୍ଜି ନିବେଶ ପାଇଁ ପ୍ରତିଶ୍ରୁତି ମିଳିଛି
ଖଣିଜ, ଧାତୁ ଓ ଆନୁସଙ୍ଗିକ – ୨ ଲକ୍ଷ ୩୬ ହଜାର ୪୩୫ କୋଟି – ୧,୮୮୬୩୫ ନିଯୁକ୍ତି
ସାର, ରିଫାଇନାରୀ, ପେଟ୍ରୋକେମିକାଲ୍ସ – ୧ ଲକ୍ଷ ୩୫ ହଜାର କୋଟି – ୭୩୨୦୫ ନିଯୁକ୍ତି
ଲଜିଷ୍ଟିକ୍ସ ଓ ଭିତିଭୂମି – ୧୯୧୨୪ କୋଟି – ୨୫୭୩୧ ନିଯୁକ୍ତି
ଶିଳ୍ପ ପାର୍କ – ୮୪୩୨ କୋଟି – ୧,୪୧,୮୦୦ ନିଯୁକ୍ତି
କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ – ୫୨୨୬ କୋଟି – ୪୧,୬୭୦ ନିଯୁକ୍ତି
ଆଇଟି ଓ ଇଏସଡ଼ିଏମ – ୩୯୧୯ କୋଟି – ୪୨୩୭୩ ନିଯୁକ୍ତି
ଗ୍ଲାସ – ୩୩୦୦ କୋଟି – ୨୩,୪୦୦ ନିଯୁକ୍ତି
ସ୍ୱାସ୍ଥ୍ୟସେବା – ୨୯୧୫ କୋଟି – ୩୩୬୫ ନିଯୁକ୍ତି
ଶକ୍ତି ଓ ଅକ୍ଷୟ ଶକ୍ତି – ୨୦୨୫ କୋଟି – ୧୭୯୧୫ ନିଯୁକ୍ତି
ପ୍ରତିରକ୍ଷା – ୧୬୫୦ କୋଟି – ୧୧୨୦୦ ନିଯୁକ୍ତି
ବୟନ ଓ ପୋଷାକ – ୫୮୯ କୋଟି – ୧୮୮୦୫ ନିଯୁକ୍ତି
ପର୍ଯ୍ୟଟନ – ୨୮୫ କୋଟି – ୨୪୪୧ ନିଯୁକ୍ତି
ବିଦ୍ୟୁତ ଯାନ – ୨୦୨ କୋଟି – ୫୮୨ ନିଯୁକ୍ତି
ଗବେଷଣା ଓ ଦକ୍ଷତା ବିକାଶ – ୧୧୦ କୋଟି – ୨୫୦ ନିଯୁକ୍ତି
ବର୍ଜ୍ଜ୍ୟବସ୍ତୁ ପରିଚାଳନା – ୫୨ କୋଟି – ୭୫ ନିଯୁକ୍ତି


