କଟକ(ଓଡବ୍ଲ୍ୟୁ): ଦୀର୍ଘ ୭୮ଦିନ ଧରି ଚାଲିଥିବା ଓକିଲ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ଓକିଲମାନେ ଆସନ୍ତାକାଲିଠୁ କୋର୍ଟ କାର୍ଯ୍ୟରେ ଯୋଗ ଦେବେ ବୋଲି ଘୋଷଣା କରିଛନ୍ତି ।ଏହାସହିତ ପୁଲିସ-ଓକିଲ ବିବାଦର ପରିସମାପ୍ତି ଘଟିଛି ।
ହାଇକୋର୍ଟ ବାର ଆସୋସିଏସନର ସଭାପତି ଶ୍ରୀକାନ୍ତ ନାୟକ ଆଜି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଆଜି କୋର୍ଟରେ ମୁଖ୍ୟ ବିଚାରପତିଙ୍କ ସମ୍ମୁଖରେ ଘଟଣା ସହ ସମ୍ପୃକ୍ତ ଥିବା ଜଣେ ହାବିଲଦାର ଓ ୨ଜଣ କନଷ୍ଟେବଳ ନିଃସର୍ତ କ୍ଷମା ପ୍ରାର୍ଥନା କରିବା ପରେ ବିବାଦର ସମାଧାନ ହୋଇଛି । ଏହାସହିତ ଅକ୍ଟୋବର ୨୯ତାରିଖରେ ଓକିଲମାନେ ଯେଉଁ କାର୍ଯ୍ୟ କରିଥିଲେ ସେଥିପାଇଁ ମଧ୍ୟ ଦୁଃଖପ୍ରକାଶ କରିଛନ୍ତି । ଓକିଲ ଓ ପୁଲିସ ମଧ୍ୟରେ ଭବିଷ୍ୟତରେ ଯେଭଳି ବିବାଦ ନହେବ ସେଥିପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ମୁଖ୍ୟ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି । ଏହି କମିଟିରେ ଗୃହ ବିଭାଗର ବରିଷ୍ଠ ଅଧିକାରୀ ଓ ବରିଷ୍ଠ ଓକିଲମାନେ ସଦସ୍ୟ ରହିବେ । ଏଭଳି ଅପ୍ରୀତିକର ଘଟଣା ଭବିଷ୍ୟତରେ ଘଟିଲେ ପ୍ରଥମେ ସେମାନେ ଏହାକୁ ଅନୁଧ୍ୟାନ କରିବେ ବୋଲି କୋର୍ଟ କହିଛନ୍ତି ।
ସୂଚନାଯୋଗ୍ୟ ଜଣେ ଓକିଲଙ୍କୁ ମାଡ଼ ମାରିବା ଘଟଣାରେ ଅଗଷ୍ଟ ୨୯ ତାରିଖରୁ ଓକିଲମାନେ ଆନ୍ଦୋଳନ କରୁଥିଲେ ।
ଅନ୍ୟପକ୍ଷରେ ଆଜି ବୁଗୁଡ଼ା ଥାନା ଆଇଆଇସିଙ୍କ ମାଡ଼ରେ ଜଣେ ଓକିଲ ଆହତ ହେବା ଘଟଣା ପ୍ରତିବାଦରେ ଗଞ୍ଜାମରେ ଓକିଲମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି ।


