ଭୁବନେଶ୍ୱର: ଭାରତୀୟ ବାଣିଜ୍ୟ ମହାସଂଘ(ସିଆଇଆଇ) ସହ ସମ୍ପର୍କକୁ ଓଡ଼ିଶା ସରକାର ଆନୁଷ୍ଠାନିକ ଭାବେ ଛିନ୍ନ କରିଛନ୍ତି । ଶିଳ୍ପ ବିଭାଗ ପକ୍ଷରୁ ଜୁନ୍ ୮ ତାରିଖରେ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଓଡ଼ିଶାରେ ପୁଞ୍ଜିନିବେଶ ପ୍ରୋତ୍ସାହନ ଗତିବିଧି ଓ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ପାଇଁ ଉଦ୍ୟୋଗୀ ସହଯୋଗୀ ଥିବା ସିଆଇଆଇକୁ ଦାୟିତ୍ୱମୁକ୍ତ କରାଯାଇଛି । ଏଥିପାଇଁ ରାଜ୍ୟ ସରକାର ୨୦୧୫ ଅକ୍ଟୋବର ୧ ତାରିଖର ବିଜ୍ଞପ୍ତି ସଂଶୋଧନ କରିଛନ୍ତି । ନୂଆ ବିଜ୍ଞପ୍ତି ଅନୁସାରେ ସିଆଇଆଇକୁ ଏହି କାର୍ଯ୍ୟରୁ ଦାୟିତ୍ୱମୁକ୍ତ କରାଯାଇଛି । ଚଳିତବର୍ଷ ନଭେମ୍ବର ମାସରେ ହେବାକୁ ଥିବା ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ’ରେ ଉଦ୍ୟୋଗୀ ସହଯୋଗୀ ଭାବେ ସିଆଇଆଇ ବଦଳରେ ଆସୋଚାମ୍କୁ ରାଜ୍ୟ ସରକାର ସହଯୋଗୀ ଭାବେ ସାମିଲ କରିବାର ସମ୍ଭାବନା ରହିଛି । ସୂଚନାଯୋଗ୍ୟ, ଚଳିତବର୍ଷ ଏପ୍ରିଲ ୪ତାରିଖରେ ସିଆଇଆଇ ଓଡ଼ିଶା ପରିଷଦର ଅଧ୍ୟକ୍ଷ ରାଜ୍ୟ ଶିଳ୍ପ ସଚିବଙ୍କୁ ଚିଠି ଲେଖି ମେକ୍ ଇନ୍ ଓଡ଼ିଶା-୨୦୧୮ କନକ୍ଲେଭ୍ରେ ଉଦ୍ୟୋଗୀ ସହଯୋଗୀ ସିଆଇଆଇ ହୋଇପାରିବ ନାହିଁ ବୋଲି ଜଣାଇଥିଲେ ।


